ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ :
ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ:
ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳନ ସମାରୋହ ଏବଂ ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ -୨୦୨୫ ପାଳିତ
ସମବାୟ ଆନ୍ଦୋଳନ କ୍ଷେତ୍ରରେ ଚିର ସ୍ମରଣୀୟ ରହିବ ମଧୁସୂଦନଙ୍କ ଭୂମିକା :
ଢେଙ୍କାନାଳ: ତା.୨୯.୦୪.୨୦୨୪ ରିଖ : ଅପରାହ୍ନ ୫ ଘଟିକା ସମୟରେ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନର ଲକ୍ଷ ନେଇ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳନ ସମାରୋହ ଏବଂ ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ -୨୦୨୫ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମେଳନ ହଲ୍ ରେ ଉପ ନିବନ୍ଧକ ସମବାୟ ସମିତି ସମୂହ ସୁଶ୍ରୀ ସରୋଜିନୀ ଜେନାଙ୍କ ସଭାପତିତ୍ବରେ ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନଙ୍କ ସଫଳ ସଂଯୋଜନାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ‘ସମବାୟ ଆନ୍ଦୋଳନରେ ମଧୁସୁଦନ ଦାସଙ୍କ ଭୂମିକା ‘ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବାରେ ଯୋଗଦେଇ ଏହି ଆଲୋଚନା ଚକ୍ରକୁ ଶୁଭ ଉଦ୍ ଘାଟନ କରି ସ୍ଵୀୟ ବକ୍ତବ୍ୟରେ ଓଡ଼ିଶାର ସମବାୟ ଆନ୍ଦୋଳନରେ ଅଗ୍ରଦୂତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଚିର ସ୍ମରଣୀୟ ହୋଇରହିବ ବୋଲି ମତବ୍ୟକ୍ତ କରିଥିଲେ। ସମବାୟ ବ୍ୟବସ୍ଥା ଅଧୂକ ସୁଦୃଢ଼ ହେଲେ ଗ୍ରାମାଞ୍ଚଳ ଲୋକମାନଙ୍କ ଆର୍ଥିକ ଓ ସାମାଜିକସ୍ତରରେ ଅଧିକ ଉନ୍ନତି ହେବ ବୋଲି କହିଥିଲେ। ସମବାୟ ସମିତି ଉପ ନିବନ୍ଧକ ସୁଶ୍ରୀ ସରୋଜିନୀ ଜେନା ସମବାୟ ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବ ରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ମଧୁବାବୁ ସ୍ୱଦେଶୀ ଶିଳ୍ପାୟନର ପ୍ରମୁଖ ସୂତ୍ରଧର,ସମବାୟ ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ,ବାସ୍ତବ,ମହାନ୍ କର୍ମକାର ଓ ସମବାୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।ମଧୁବାବୁ ଓ ସମବାୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ‘ତୁମପରି ଛୋଟ ପିଲାଟିଏ ‘ କବିତାର ଉଦାହରଣ ଦେଇ ପିଲାଟି ଦିନରୁ ସମବାୟ ପ୍ରବୃତ୍ତି ବଳରେ ସେ ସାଙ୍ଗ,ସାଥୀମାନଙ୍କୁ ମେଳ କରି ଗାଁ ଦାଣ୍ଡକୁ ସମତୁଲ କରିବାକୁ ସମର୍ଥ ହୋଇଥିଲେ ଓ ପରବର୍ତ୍ତୀ ଜୀବନରେ ବିଦେଶ ଗସ୍ତ କରି ସେଠାରେ ସମବାୟ ଆନ୍ଦୋଳନକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ କରି,ସମବାୟ ସାଧାରଣ ପୁଞ୍ଜି ସମ୍ପର୍କରେ ଅନୁଶୀଳନ କରି ପ୍ରଥମେ “ଦ କଟକ କୋପରେଟିଭ୍ ଷ୍ଟୋର”, “ଉଦ୍ୟୋଗ ସମିତି ଭଣ୍ଡାର”, “ଓଡ଼ିଶା ଆର୍ଟ ୱେର୍” ଓ “ଉତ୍କଳ ଟ୍ୟାନେରୀ” ଆଦି ଗଠନ କରି ସମବାୟ ଆନ୍ଦୋଳନକୁ ଏକ ନୂତନ ଦିଶା ଦେଇଥିଲେ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ ଓ ମଧୁବାବୁଙ୍କ ସମ୍ପର୍କରେ ସ୍ବରଚିତ ଗୋଟିଏ ସନେଟ୍ ପାଠ କରୁଥିଲେ।ଅନ୍ୟତମ ସମ୍ମାନୀତ ଅତିଥିଭାବରେ ଯୋଗଦାନ କରି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶି ନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ,ଅନୁଗୋଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉତ୍କଳଗୌରବ ମଧୁସୂଦନ ଦାସ ଓ ସମବାୟ ମଧ୍ୟରେ ଥିବା ସଂପର୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଭାଗୀୟ ଅଧୁକାରୀ,ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଓ ସମ୍ପାଦକ,ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅବସରରେ ଋଣ ପ୍ରଦାନ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅନୁଗୋଳ କେନ୍ଦ୍ରୀୟ ସଂଯୁକ୍ତ ସମବାୟ ବ୍ୟାଙ୍କର କର୍ମକର୍ତ୍ତା,ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ଵାରା ପର୍ଯ୍ୟାୟକ୍ରମେ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାତଃ ୮ ଘଟିକା ସମୟରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ସମବାୟ ପ୍ରେମୀ ଅନେକ ବ୍ୟକ୍ତିବିଶେଷ ଓ ସମବାୟ ବିଭାଗର କର୍ମଚାରୀ ବୃନ୍ଦ ସିଭିଲ କୋର୍ଟ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପ ନିବନ୍ଧକ ସମବାୟ ସମିତି ସମୂହ ସୁଶ୍ରୀ ସରୋଜିନୀ ଜେନା ସ୍ବାଗତ ଭାଷଣ ଓ ସଭାପତିଙ୍କ ଅଭିଭାଷଣରେ ଆଜି ମଧୁବାବୁଙ୍କ ଜନ୍ମ ଦିବସ ପାଳନର ଆଭିମୁଖ୍ୟ,ଆବଶ୍ୟକତା,ତାତ୍ପର୍ଯ୍ୟ ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରିଥିଲେ। ଆମ ଦେଶ ତଥା ରାଜ୍ୟ ଅର୍ଥନୀତିର ମୁଖ୍ୟସ୍ରୋତରେ ସମବାୟ ଏକ ମାଇଲଖୁଣ୍ଟ ଭାବେ ନିଜକୁ ପ୍ରଦର୍ଶିତ କରି ଏକ ଆନ୍ଦୋଳନରେ ପରିଣତ ହୋଇଛି।ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଋଣ ପ୍ରଦାନ,କୃଷି ଉତ୍ପାଦନ ବୃଦ୍ଧି,ସାର ବିପଣନ,ଖାଉଟି କଲ୍ୟାଣ ଆଦି ବହୁମୁଖୀ କାର୍ଯ୍ୟକ୍ଷେତ୍ରରେ ସମବାୟର ଉଲ୍ଲେଖନୀୟ ଅବଦାନ ରହିଛି। ସମାଜର ଦୁର୍ବଳ ଓ ଅବହେଳିତ ଶ୍ରେଣୀଙ୍କ ପ୍ରଗତି ନିମନ୍ତେ ସମବାୟ ଏକ ବାସ୍ତବ କ୍ଷେତ୍ର । ସମବାୟ ଜରିଆରେ କୃଷିର ଉନ୍ନତି କୃଷକମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଆମ ରାଜ୍ୟରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସମବାୟ ସଂସ୍ଥାଗୁଡିକ ଦୁର୍ନୀତିମୁକ୍ତ ରହି କିଭଳି ଭାବେ ଦେଶର ବିକାଶ ଦିଗରେ ସହାୟକ ହେବେ ସେଥିନେଇ ମଞ୍ଚାସୀନ ଅତିଥିବୃନ୍ଦ ଦିଗଦର୍ଶନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସନ୍ତୋଷ କୁମାର ପ୍ରଧାନ,ସଭାପତି, ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ,ପ୍ରଦୀପ କୁମାର ପରିଡା,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ,ସୁଶ୍ରୀ ସରୋଜିନୀ ଜେନା, ଉପନିବନ୍ଧକ ସମବାୟ ସମିତି ସମୂହ,ଢେଙ୍କାନାଳ ଜିଲ୍ଲା ତଥା ବରିଷ୍ଠ ସହକାରୀ ନିବନ୍ଧକ ବିରଜା ନନ୍ଦ ଦାସ,ଶରତ ଚନ୍ଦ୍ର ପାଣିଗ୍ରାହୀ,ଅମରଜୟ ଦାଶ ଏବଂ ସହକାରୀ ନିବନ୍ଧକ ସୁଶ୍ରୀ ଅନନ୍ୟା ଶର୍ମା,ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନ,ଅନୁଭାଗ ଅଧିକାରୀ (ସେକ୍ସନ ଅଫିସର୍ )ଉମାକାନ୍ତ ନାୟକ,ବରିଷ୍ଠ କାର୍ଯ୍ୟାଳୟ ସହକାରୀ ମଳୟ କୁମାର ରାଉତ ଓ ଅମିତ ଶକ୍ତି ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମଞ୍ଚାସୀନ ବକ୍ତାମାନେ ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶାରେ ସମବାୟ ଆନ୍ଦୋଳନ କ୍ଷେତ୍ରରେ ମଧୁବାବୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ପ୍ରଗତିର ଏକ ସଫଳ ମାଧ୍ୟମ ହେଉଛି ସମବାୟ।ସମବାୟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି ଭବିଷ୍ୟତ ପାଇଁ ମାର୍ଗ ନିର୍ଣ୍ଣୟ ନିମନ୍ତେ ଆଜି ମଧୁବାବୁଙ୍କ ଜନ୍ମଦିବସରେ ସମବାୟ କାର୍ଯ୍ୟକ୍ରମ ପାଳନ ପ୍ରେରଣା ଯୋଗାଇବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ସମବାୟ ସମିତିର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଚାଷ କ୍ଷେତ୍ର,କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ସରକାର ସମବାୟ ସମିତିରେ ପୁଞ୍ଜି ବିନିଯୋଗ ଓ ସଂଚୟକୁ ପ୍ରୋସାହିତ କରିବା ପାଇଁ ବ୍ୟାପକ ଯୋଜନା ପ୍ରଣୟନ କରୁଛନ୍ତି। ଆଗାମୀ ଦିନରେ ସମବାୟ ସମିତି ରାଜ୍ୟ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆହୁରି ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବ ବୋଲି ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।ଏହାବ୍ୟତୀତ ସମବାୟସଂସ୍ଥାର ବିଭିନ୍ନ କାର୍ଯ୍ୟରେ ଅଗ୍ରଣୀ ରହି ଢେଙ୍କାନାଳ ଜିଲ୍ଲାକୁ ଗୌରବ ମଣ୍ଡିତ କରିଥିବା ସଫଳ ପ୍ୟାକସ୍ ,ବ୍ୟାଙ୍କ୍ ଶାଖା,ଅଗ୍ରଣୀ ଚାଷୀ ପ୍ରମୁଖଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା। ଉପ ସହକାରୀ ନିବନ୍ଧକ ସନ୍ତୋଷ କୁମାର ପ୍ରଧାନ ସଭାର ସୁସଂଯୋଜନା କରିବା ସହିତ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ମଞ୍ଚ ସୁପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ସହକାରୀ ନିବନ୍ଧକ ବିରଜାନନ୍ଦ ଦାଶ ଉପସ୍ଥିତ ଆଜିର କାର୍ଯ୍ୟକ୍ରମକୁ ସଫଳ କରିଥିବା ଉପସ୍ଥିତ ସମସ୍ତ ସୁଧୀ ବୃନ୍ଦ,କାର୍ଯ୍ୟାଳୟର ଅଧିକାରୀ ଗଣ ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

