୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ
୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର
ଜୁନାଗଡ଼,୨୭/୭(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ ନାହିଁ । ଏବେବି ଭତ୍ରା ଡ୍ୟାମ ନିଜର ପରିଚୟ ଖୋଜୁଛି । ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ । ଡ୍ୟାମ ରେ ୧୫ ଫୁଟ ମାଟି ପୋତିହେବା ଯୋଗୁଁ ଜଳ ଯୋଗାଣ ରେ ଅନେକ ଅସୁବିଧା ହେଉଛି । ଅଧିକ ଜମି ରେ ଚାଷ ହେଉଥିବା ବେଳେ ପାଣି କମ ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ବକ୍ସିତୁଲସିପାଲି ପଞ୍ଚାୟତର ରଣପୁର ଓ ଏକନାଗୁଡା, କଲେଇ ଗାଁ ପଞ୍ଚାୟତର ଜାମଚୁଆଁ ଓ ଦାବ୍ରିଗୁଡା, ଦେଦର ପଞ୍ଚାୟତର ଗୋଲାମୁଣ୍ଡା ଓ ସୋରସମାଲ ଗ୍ରାମ ସମେତ ୩ଟି ପଞ୍ଚାୟତ ର ୩୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଭତ୍ରା ଡ୍ୟାମ ନିର୍ମାଣ ହୋଇଛି । ଡ୍ୟାମ ଦ୍ୱାରା ବର୍ତ୍ତମାନ ୧୭୧୩.୩୭ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି । ଭତ୍ରା ଡ୍ୟାମ ଡାହାଣ ବ୍ୟାଙ୍କ ଦ୍ଵାରା ରଣପୁର, ବକ୍ସିତୁଲସିପାଲି, କୁପାଗାଁ, କୃଷ୍ଣପୁର, ମାଲଗୁଣ୍ଡ, ମେରିଆବନ୍ଧଲି ଓ ଜୁନାଗଡ଼ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଏ । ସେହିଭଳି ଡ୍ୟାମର ଡାହାଣ ବ୍ୟାଙ୍କ ଦ୍ୱାରା ସାନ ଡେମେରବାହାଲ, କଲେଇ ଗାଁ, କୁଲିହାରୀ, ଚାରଭାଟି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଇଥାଏ ।ଏ ଅଞ୍ଚଳର ଚାଷୀଙ୍କ ପାଇଁ ପାଣି ଯୋଗାଇଦେବା ନିମନ୍ତେ ଭତ୍ରାଡ୍ୟାମର କଳ୍ପନା ହୋଇଥିଲା । ଘନା ଜଙ୍ଗଲର ପାଣିକୁ ଦଲମଜୋର ଜରିଆରେ ଆଣି ଭତ୍ରା ଡ୍ୟାମରେ ରଖା ଯାଉଥିଲା । ୧୯୫୨ ମସିହାରେ ମାଧ୍ୟମ ଜଳ ସେଚନ ବିଭାଗରୁ କ୍ଷୁଦ୍ର ଜଳ ସେଚନ ବିଭାଗକୁ ହସ୍ତାନ୍ତର ହୋଇଥିଲା । ୧୯୫୮ ମସିହାରେ ଡ୍ୟାମ ଓ କେନାଲ କାମ ଆରମ୍ଭ ହୋଇ ୧୯୬୩ ମସିହା ଜୁନ ମାସରେ ଏହି କାମ ଶେଷ ହୋଇଥିଲା । ଗତ ୨୦୦୧ ମସିହା ଜୁନ ମାସ ୧୨ ତାରିଖରେ କ୍ଷୁଦ୍ର ଜଳ ସେଚନ ବିଭାଗରୁ ଇନ୍ଦ୍ରାବତୀକୁ ହସ୍ତାନ୍ତର ହୋଇଥିଲା । ଏହି ଡ୍ୟାମ ଭୁବନେଶ୍ୱର ଡ୍ୟାମ ସେଫ୍ଟି ଅଧୀନରେ ଥିବା ଯୋଗୁଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ପୁନରୁଦ୍ଧାର ପାଇଁ ରିପୋର୍ଟ ପ୍ରଦାନ କରାଯାଇଥାଏ ।
ବର୍ତ୍ତମାନ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭତ୍ରା ଡ୍ୟାମରେ ନୌକା ବିହାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି । ହେଲେ ଚାଷୀଙ୍କ ପାଇଁ ଭତ୍ରା ଡ୍ୟାମକୁ ପୁନରୁଦ୍ଧାର ନିମନ୍ତେ କୌଣସି ଆବେଗ ଦେଖାଉ ନ ଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଇନ୍ଦ୍ରାବତୀ କେନାଲ ଡିଭିଜନ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ନେଇ ଆମେ ସରକାରଙ୍କୁ ଜଣାଇଛୁ ବୋଲି କହିଥିଲେ ।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

