ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବଶ୍ରମିକ ଦିବସ ଉପଲକ୍ଷେ ବେଣୁଧର ସୂତାର ଙ୍କ କବିତା ଜୟ ହେ ଶ୍ରମିକ ଜୟ

ଜୟ ହେ ଶ୍ରମିକ ଜୟ

  ବେଣୁଧର ସୂତାର

 

ନିଃସ୍ବ ମଣିଷର ଦରଦୀ ପ୍ରାଣରେ

ଏବିଶ୍ବ ମାନବ ଗାଥା

ମଣିଷର ହିତେ ବିଶ୍ବ ମଙ୍ଗଳ

ମଣିଷ ପ୍ରାଣର ବ୍ୟଥା ।।

ବିଶ୍ବ ଧାରିଣୀ ବିଶ୍ବ ମାତାର

ସିଏ ରୂପକାର ସିନା

ମାଟି ମଣିଷ ସେ ଶ୍ରମର ଅର୍ଘ୍ୟରେ

କରିଥାଏ ନିରାଜନା ।।

 

 ମାନବ ବାଦର ଦୃପ୍ତ ବାହକ

ଏବିଶ୍ବେ ବିଚିତ୍ର କର୍ମା

ନବ ପୃଥିବୀର ନିର୍ମାତା ସେତ

ଚଳନ୍ତି ବିଶ୍ବକର୍ମା

ଯା କର ପରଶେ ବସୁମତୀ ହସେ

ସୃଷ୍ଟି ହୁଏ ପ୍ରାଣମୟ

ବିଶ୍ବ ପ୍ରଗତିର କ୍ରାନ୍ତିକାରୀ ବୀର

ଶ୍ରମିକ ତା ପରିଚୟ ।।

ଶ୍ରମଦାନେ ଯାର ବିଶ୍ବ ଛବିରେ

ଫୁଟିଉଠେ ଚାରୁଧାରା

ନିଜେ ଦୁଃଖ ସହି ସୁଖ ବାଣ୍ଟୁଥାଏ

ହସାଇ ମର୍ତ୍ତ୍ୟ ସାରା ।।

ଯାର ମେହନତ ଫଳାଏ ଅମୃତ

ହରିଆଲି କ୍ଷେତ ମାଳେ

ଅଭାବ ତାହାର ଚିର ସହଚର

ଏ ମାଟି ପଣତ ତଳେ ।।

ହାରି ଯାଇନି ସେ ବର୍ଷା ବତାସେ

ଗ୍ରୀଷ୍ମର ତୀକ୍ଷ୍ଣ ଶରେ

ନିଗାଡି ଦେଇଛି ବକ୍ଷ ରକତ

ନିର୍ଲିପ୍ତେ ନିର୍ବିକାରେ ।।

ମଣିଷ ଜାତିର ମହାନ ସେବକ

ଏମାଟିର କର୍ମକାର

ଭୋଗ ବିଳାସର ଉର୍ଦ୍ଧ୍ବରେ ଯାର

ଜୀବନର ଇସ୍ତାହାର ।।

ବୁଝେନିମଣିଷ ମାନବିକତାର

ମହନୀୟ ମହାଦାନ

ପ୍ରଛଦ ନାୟକ ସାଜି କରେ ତାର

ବକ୍ଷ ଶୋଣିତ ପାନ ।।

ସାଜି କର୍ଣ୍ଣଧାର ଦେଶ ପ୍ରଗତିର

ଭୁଲଯାଏ କ୍ଷୁଧା ତୃଷା     

ଶୁଣିନି ସେକେବେ ସମାଜ ଓଠରୁ

ସହାନଭୂତିର ଭାଷା ।।

ନିଃସ୍ବ ମଣିଷର ନିଛକ ଛବିଏ

ଶ୍ରମିକ ଜୀବନ ଗାଥା

ମନହୃଦୟେ ଯା ଭାବନାରେ ଭରେ

ଏମାଟି ମର୍ତ୍ତ୍ୟର କଥା ।।

ପରିଚୟ ହୀନ ଦାନତା ମହାନ

ଅନନ୍ୟ ଅବର୍ଣ୍ଣନୀୟ

ବିଶ୍ବ ନିର୍ମାଣ ର ମହାନ ଉଦ୍ ଗାତା

ଜୟ ହେ ଶ୍ରମିକ ଜୟ ।।

 କେଶଦୁରାପାଳ କେନ୍ଦୁଝର

 

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଜଗନ୍ନାଥ ତୁମେ ପରଂବ୍ରହ୍ମ

Sunil Chandra Nayak

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!