ଜୟ ହେ ଶ୍ରମିକ ଜୟ
ବେଣୁଧର ସୂତାର
ନିଃସ୍ବ ମଣିଷର ଦରଦୀ ପ୍ରାଣରେ
ଏବିଶ୍ବ ମାନବ ଗାଥା
ମଣିଷର ହିତେ ବିଶ୍ବ ମଙ୍ଗଳ
ମଣିଷ ପ୍ରାଣର ବ୍ୟଥା ।।
ବିଶ୍ବ ଧାରିଣୀ ବିଶ୍ବ ମାତାର
ସିଏ ରୂପକାର ସିନା
ମାଟି ମଣିଷ ସେ ଶ୍ରମର ଅର୍ଘ୍ୟରେ
କରିଥାଏ ନିରାଜନା ।।
ମାନବ ବାଦର ଦୃପ୍ତ ବାହକ
ଏବିଶ୍ବେ ବିଚିତ୍ର କର୍ମା
ନବ ପୃଥିବୀର ନିର୍ମାତା ସେତ
ଚଳନ୍ତି ବିଶ୍ବକର୍ମା
ଯା କର ପରଶେ ବସୁମତୀ ହସେ
ସୃଷ୍ଟି ହୁଏ ପ୍ରାଣମୟ
ବିଶ୍ବ ପ୍ରଗତିର କ୍ରାନ୍ତିକାରୀ ବୀର
ଶ୍ରମିକ ତା ପରିଚୟ ।।
ଶ୍ରମଦାନେ ଯାର ବିଶ୍ବ ଛବିରେ
ଫୁଟିଉଠେ ଚାରୁଧାରା
ନିଜେ ଦୁଃଖ ସହି ସୁଖ ବାଣ୍ଟୁଥାଏ
ହସାଇ ମର୍ତ୍ତ୍ୟ ସାରା ।।
ଯାର ମେହନତ ଫଳାଏ ଅମୃତ
ହରିଆଲି କ୍ଷେତ ମାଳେ
ଅଭାବ ତାହାର ଚିର ସହଚର
ଏ ମାଟି ପଣତ ତଳେ ।।
ହାରି ଯାଇନି ସେ ବର୍ଷା ବତାସେ
ଗ୍ରୀଷ୍ମର ତୀକ୍ଷ୍ଣ ଶରେ
ନିଗାଡି ଦେଇଛି ବକ୍ଷ ରକତ
ନିର୍ଲିପ୍ତେ ନିର୍ବିକାରେ ।।
ମଣିଷ ଜାତିର ମହାନ ସେବକ
ଏମାଟିର କର୍ମକାର
ଭୋଗ ବିଳାସର ଉର୍ଦ୍ଧ୍ବରେ ଯାର
ଜୀବନର ଇସ୍ତାହାର ।।
ବୁଝେନିମଣିଷ ମାନବିକତାର
ମହନୀୟ ମହାଦାନ
ପ୍ରଛଦ ନାୟକ ସାଜି କରେ ତାର
ବକ୍ଷ ଶୋଣିତ ପାନ ।।
ସାଜି କର୍ଣ୍ଣଧାର ଦେଶ ପ୍ରଗତିର
ଭୁଲଯାଏ କ୍ଷୁଧା ତୃଷା
ଶୁଣିନି ସେକେବେ ସମାଜ ଓଠରୁ
ସହାନଭୂତିର ଭାଷା ।।
ନିଃସ୍ବ ମଣିଷର ନିଛକ ଛବିଏ
ଶ୍ରମିକ ଜୀବନ ଗାଥା
ମନହୃଦୟେ ଯା ଭାବନାରେ ଭରେ
ଏମାଟି ମର୍ତ୍ତ୍ୟର କଥା ।।
ପରିଚୟ ହୀନ ଦାନତା ମହାନ
ଅନନ୍ୟ ଅବର୍ଣ୍ଣନୀୟ
ବିଶ୍ବ ନିର୍ମାଣ ର ମହାନ ଉଦ୍ ଗାତା
ଜୟ ହେ ଶ୍ରମିକ ଜୟ ।।
କେଶଦୁରାପାଳ କେନ୍ଦୁଝର