ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ସ୍ଥିତ ଡିଭାଇନ ଲାଇଫ ର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦଚନ୍ଦ୍ର ନାୟକଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପ ସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚ ର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଆଧୁନିକ ଓଡିଆ ସାହିତ୍ୟର ଜଣେ ସଫଳ ସ୍ରଷ୍ଟା ହେଉଛନ୍ତି କବି ବିନୋଦଚନ୍ଦ୍ର ନାୟକ । ସବୁଜଯୁଗ ପରବର୍ତ୍ତୀ ପ୍ରଗତିବାଦୀ ସାହିତ୍ୟିକ ଙ୍କ ମଧ୍ୟରେ ତାଙ୍କ ସ୍ଥାନ ସ୍ବତନ୍ତ୍ର । ସୌନ୍ଦର୍ଯ୍ୟାନୁଭୂତି ଓ ରୂପପିପାସା ତାଙ୍କ କବିତାର ପ୍ରାଣ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ ସୁନ୍ଦର ଭାଷାଶୈଳୀ ଓ ସଂଯୋଜନାରେ କବିଙ୍କ ସୃଷ୍ଟି ସମୁହ ବିମଣ୍ଡିତ। ସେ କାଳଜୟୀ ସାହିତ୍ୟ ସୃଷ୍ଟି ଦିଗରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ସୃଷ୍ଟିରେ ମଧ୍ୟରେ ରହିଛି ନୀଳଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ,ସରୀସୃପ,ଇଳାବୃତ୍ତ,ସାତ ତାରାର ଦୀପ,ରାଜକୀୟ,ନିଃସଂଗତା ପ୍ରଭୃତିରେ ତାଙ୍କ କବିତ୍ବର ସ୍ବାକ୍ଷର ଛାଡିଯାଇଛନ୍ତି। ତାଙ୍କ କବିତାରେ ଅପୂର୍ବ କଳ୍ପନା ବିଳାସ,ଛନ୍ଦ ପ୍ରୟୋଗ ଓ ଚମତ୍କାର ବର୍ଣ୍ଣନା ଶୈଳୀର ଚିତ୍ର ପରିପ୍ରକାଶ ଲାଭ କରିଛି କବିଙ୍କ କବିତା ଗୁଡିକରେ। ସଭାପତି ଶ୍ରୀମତୀ ସାମଲ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ,ନିହାରିକା ମିଶ୍ର,ରଶ୍ମିତା ମଣ୍ଡଳ, ଅଞ୍ଜଳି ଗୌଡ ପ୍ରମୁଖ କବି ଙ୍କ କବିତା ପାଠ କରିଥିଲେ । ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ