ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ, ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରନ୍ତୁ 
ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 
ପୋଲିସ ପଦବୀ ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର — ୧୨ ଅଗଷ୍ଟ ୨୦୨୫ — ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ ।

ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଏହି ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ । ଏହାକୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 

ବୈଠକରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ଜୋରଦାର କରିବା ସହିତ, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । 

ଏଥି ସହିତ ପଡୋଶୀ ରାଜ୍ୟ ସୀମାରୁ ଓଡ଼ିଶାକୁ ବ୍ରାଉନସୁଗାର ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଏବଂ କଡ଼ାକଡ଼ି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ବିଗତ ଏକ ବର୍ଷ ମଧ୍ୟରେ ୮,୦୩୫ ମହିଳା ଓ ୩,୩୦୬ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଛି ବୋଲି ବୈଠକରୁ ଜଣାଯାଇଛି। 

ପୋଲିସ ବିଭାଗରେ ଖାଲି ରହୁଥିବା ପଦବୀ ଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଥିଲେ। ବୈଠକରୁ ଜଣାପଡ଼ିଛି ଯେ, ରାଜ୍ୟରେ ପୋଲିସ ବିଭାଗର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମୋଟାମୋଟି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ୧୫ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡିଛି ଯେ, ବିଗତ ଏକ ବର୍ଷ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ଅପରାଧ ହ୍ରାସ ପାଇଛି । ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର, ବାଲି ଚୋରା ଚାଲାଣ ଏବଂ ଜାମିନ୍‍ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ପୋଲିସର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । 

 ଡ୍ରଗ୍ସ ଏବଂ ବେଆଇନ ଗଞ୍ଜେଇ ଚାଷ ରୋକିବା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ମତ ଦେଇ ଏହି ପଦକ୍ଷେପକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । 

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ବରିଷ୍ଠ ପୋଲିସ ଅଧିକାରୀଗଣ ଯୋଗ ଦେଇଥିଲେ । 

ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ଜଳଛତ୍ର 

masiha

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!