ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା 

୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା 

ଢେ଼ଙ୍କାନାଳ (ମନିସ)17/10/25 —  ପ୍ରଥମେ ଛାମୁଡିଆ କୁଡ଼ିଆରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ଢେଙ୍କାନାଳ ଏକ ଗଡ଼ଜାତ ମୂଲକ ଥିଲା । ଏହାର ନାମ ଥିଲା ‘ନିଜଗଡ଼’ । ଉପରଗଡ଼,ମଝିଗଡ଼ ଓ ତଳଗଡ଼ ହୋଇ ୩ଟି ଭାଗରେ ବିଭକ୍ତ ହୋଇଥିଲା । ସ୍ୱର୍ଗୀୟ ବ୍ରଜକିଶାର ପଟ୍ଟନାୟକ ଜଣେ ନାଟ୍ୟପ୍ରେମୀ ଓ କଳାକାର ହୋଇଥିବାରୁ ସେ ସୁନ୍ଦର ମୃଣ୍ମୟମୂର୍ତ୍ତୀ ଗଢ଼ି ପାରୁଥିଲେ । ସେ ଏକ ରାସଲୀଳା ଦଳ ଗଢ଼ିଥିଲେ । ତାଙ୍କ ଉଦ୍ୟମରେ ୧୯୨୩ ମସିହାରେ ଉପରଗଡ଼ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମହାଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରାଯାଇଥିଲା । ରାସଲୀଳା ସହ ସପ୍ତାହ ବ୍ୟାପୀ ନାଟକ ପରିବେଷଣ ହେଉଥିଲା । ୧୯୨୪ରେ ବେବର୍ତ୍ତା ସାହିର ସ୍ବର୍ଗତ ଗତିକୃଷ୍ଣ ପଟ୍ଟନାୟକ ମଝିଗଡ଼ ବା ମୀନାବଜାର ଠାରେ ପୂଜା ଆରମ୍ଭ କରିଥିଲେ । ପୁଣି ୧୯୩୦ ବା ୧୯୩୧ରେ ସାଆନ୍ତ ସାହି ଏବର ଜବାହରଚୌକ ଅଞ୍ଚଳରେ ଚଉପାଢ଼ୀରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବା ଇତିହାସରୁ ଜଣାଯାଏ । ବିଭିନ୍ନ ଡାଳପତ୍ରର ଛାମୁଡିଆ ଓ ପେଟ୍ରୋମାକ୍ସ ଲାଇଟ୍ ଲଗାଇ ପୂଜା କରାଯାଉଥିଲା । ଶଗଡ଼ରେ ପାଖ ଗାଁମାନଙ୍କରୁ ଲୋକେ ପୂଜା ଦେଖିବାକୁ ଆସୁଥିଲେ । ମାତ୍ର ମଝିରେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ କିଛି କାରଣ ଯୋଗୁଁ କିଛି ବର୍ଷ ପୂଜା ବନ୍ଦ ହୋଇଯାଇଥିଲା । ପୁଣି ୧୯୪୨ ମସିହାରେ ମୀନାବଜାର ସ୍ବର୍ଗତ ନଟବର ଦେବତା ପ୍ରମୁଖ ପୁଣିଥରେ ପୂଜା ଆରମ୍ଭ କରିଥିଲେ । ୧୯୪୪ରେ ପୁଣି ଜବାହରଚୌକରେ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୪୮ରେ ଲକ୍ଷ୍ମୀବଜାରରେ ପୂଜା ଆରମ୍ଭ ହେଲା I ଏହିଭଳି ବିଭିନ୍ନ ପ୍ରତିଷ୍ଠାନରେ ପୂଜା ଆରମ୍ଭ ହୋଇଥିଲା । ଯାହା ଏବେ ୩୮ଟି ପ୍ରତିଷ୍ଠାନରେ ପୂଜା ହୋଇଆସୁଛି । ଢେଙ୍କାନାଳ ଲକ୍ଷ୍ମୀପୂଜା ପ୍ରାୟ ଶତାୟୁ ବର୍ଷର ପୂଜା ହୋଇଥିଲେ ହେଁ,୧୯୪୨କୁ ପାଥେୟ କରି ନିରବଚ୍ଛିନ୍ନ ଭାବେ ୮୩ ବର୍ଷ ହେଲା ପୂଜା ହୋଇ ଆସୁଛି । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହାର ପ୍ରତ୍ୟେକ ପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ସହ ଏହାର ପ୍ରସାର ପ୍ରସାର ଓ ଗୌରବ ବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯାଉଛି । ଗଜଲକ୍ଷ୍ମୀ ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଢେଙ୍କାନାଳ ସ‌ହର । ୧୧ଦିନ ବ୍ୟାପି ପୂଜା ଚାଲେ ମାଙ୍କର । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । କୈବଲ୍ୟ ବଜାରରୁ ବାଜିଚୌକ ପ୍ରାୟ ୩ କିମି ବ୍ୟାପି ସିଧା ରାସ୍ତାରେ ହଜାର ହଜାର ଲୋକଙ୍କ ସୁଅ ଛୁଟେ । ଯାହା ଢେଙ୍କାନାଳ ଲକ୍ଷ୍ମୀପୂଜାର ସ୍ବତନ୍ତ୍ରତା ବହନ କରେ । ମା’ଙ୍କ ଦର୍ଶନ ସହ ଦୋଳି ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ କିଣାକିଣି ଓ ରାଜ୍ୟ ବାହାରର ଖାଦ୍ୟର ମଜା ନେବାକୁ ଲୋକେ ଛୁଟିଆସନ୍ତି । ରାଧାଅଷ୍ଟମୀ ଓ ସୁନିଆ ପର୍ବରେ ମା’ଙ୍କ ମୂର୍ତ୍ତୀ ପାଇଁ ବ୍ରାହ୍ମଣୀ ନଦୀରୁ ମାଟି ଅନୁକୂଳ କରାଯାଏ । ପ୍ରତ୍ୟେକ ପୂଜା କମିଟି ବାଜା,ବାଣ ସହ ଶୋଭାଯାତ୍ରାରେ ଯାଇ ମାଟି ଆଣିଥାନ୍ତି । ଏଇଠୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ । ପ୍ରାୟ ମାସେ ଆଗରୁ ତୋରଣ,ଗେଟ୍ କାମ ଆରମ୍ଭ ହୋଇଯାଏ । ନବବଧୂ ପରି ସଜେଇ ହୋଇଉଠେ ଢେଙ୍କାନାଳ । କୁମାର ପୂର୍ଣିମାଠାରୁ ମା’ଙ୍କ ପୂଜା ଆରମ୍ଭ ହୁଏ I ସହରର ୩୮ଟି ମଣ୍ଡପରେ ମା’ ପୂଜା ପାଇଥାନ୍ତି । ଜାତି,ଧର୍ମ,ବର୍ଣ୍ଣର ଉର୍ଦ୍ଧ୍ବକୁ ଉଠି ସମସ୍ତେ ଏକାଠି ହୋଇ ମା’ଙ୍କ ପୂଜା କରିଥାନ୍ତି । ପୂଜା ମଧ୍ୟରେ ସଙ୍କୁଡ଼ି ଭୋଗ ଲାଗି ହୋଇଥାଏ । ପ୍ରତ୍ୟେକ କମିଟି ପକ୍ଷରୁ ପ୍ରାୟ ୨ରୁ ୩ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୁଏ । କେଉଁଠି ପଦ୍ମପତ୍ରରେ ତ କେଉଁଠି ମାଟି କୁଡ଼ୁଆରେ ଦହି ପଖାଳ ପରସା ଯାଏ । ଯାହା ଏକତ୍ଵଭାବ ସୃଷ୍ଟି କରେ । ଅନନ୍ୟ ଆକର୍ଷଣ ମିଳିତ ଭସାଣୀ ଢେଙ୍କାନାଳର ଲକ୍ଷ୍ମୀପୂଜା ଭଳି ଭସାଣୀ ଉତ୍ସବ ବି ସମାନ ଭାବେ ଆକର୍ଷଣୀୟ । ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଦଳ ସହ ରାଜ୍ୟ ବାହାରର ଅନେକ ଗ୍ରୁପ୍ ସାମିଲ ହୋଇଥାନ୍ତି । ମିଳିତ ରସାଣିରେ ସମସ୍ତ ମେଢ଼ ଏକାଠି ସାମିଲ ହୋଇଥାନ୍ତି । ସକାଳୁ ମେଢ଼ଗୁଡ଼ିକ ନିଜ ନିଜର କ୍ରମିକ ସଂଖ୍ୟା ଅନୁସାରେ ଶୋଭାଯାତ୍ରାରେ ପଛକୁ ପଛ ଚାଲିଥାନ୍ତି । ବ୍ରାଣ୍ଡ ପାର୍ଟି ସାଙ୍ଗକୁ ରାଜ୍ୟ ବାହାରର ଭିନ୍ନଭିନ୍ନ ନୃତ୍ୟ,ଗୀତ,କଳା,ବାଦ୍ୟ,ସାଂସ୍କୃତିକ ପରମ୍ପରା ପ୍ରଦର୍ଶନ ଦୃଶ୍ୟ ଦେଖିବାକୁ ମିଳେ। ରାତି ପର୍ଯ୍ୟନ୍ତ ସହର ଦୁଲୁକି ଉଠେ । ଚାନ୍ଦିରେ,ସୁନାର ଚମକ ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ମେଢ଼ରେ ଚାନ୍ଦିର ଚମକ ଭିନ୍ନ କିଛି ଆକର୍ଷଣ ସୃଷ୍ଟି କରେ । ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପ ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦି ଚମକି ଉଠେ । ଚାନ୍ଦି ମେଢ଼ ସହ ସୁନାର ମୁକୁଟରେ ମା’ ଅପରୂପ ଦର୍ଶନ ଭକ୍ତଙ୍କୁ ବିଭୋର କରେ । ପ୍ରଥମ ପ୍ରତିଷ୍ଠାନର ମାନ୍ୟତା ପାଇଥିବା ମିନାବଜାରର ଶ୍ରୀ ଶ୍ରୀ ମଉଡ଼ମଣୀ ପୂଜା ପ୍ରତିଷ୍ଠାନ ପ୍ରଥମେ ଚାନ୍ଦି ମେଢ଼ ହୋଇଥିଲା । ୧ କୁଇଣ୍ଟାଲ ୬୫ କେଜି ଚାନ୍ଦି ସହ ସୁନା ମୁକୁଟ ମା’ ପିନ୍ଧିଥାନ୍ତି । କୈବଲ୍ୟ ବଜାର ପୂଜା ପାର୍ଟି ସାଙ୍ଗକୁ ରାଜ୍ୟ ବାହାରର ଭିନ୍ନଭିନ୍ନ ପାରମ୍ପରିକ,ନୃତ୍ୟ,ଗୀତ,କଳା ପ୍ରଦର୍ଶନ ଦେଖିବାକୁ ମିଳେ। ରାତି ପର୍ଯ୍ୟନ୍ତ ସହର ଦୁଲୁକି ଉଠେ ।ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପ ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦି କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନରେ ୧ କୁଇଣ୍ଟାଲ ୪୦ କେଜି,ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାରରେ ୩ କୁଇଣ୍ଟାଲର ଚାନ୍ଦି ଓ ଏକ କେଜିର ସୁନା ମୁକୁଟ, ଗୁଡିଆନାଳୀର ଗୋଲଡେନ୍ ଷ୍ଟ୍ରିଟ୍ ପୂଜା କମିଟିରେ ୧ କୁଇଣ୍ଟାଲ ୧୦ କେଜିର ଚାନ୍ଦି ସହ ଲକ୍ଷ୍ମୀ ବଜାର,ଜୁବଲି ଗଉନ୍-୨ ପୂଜା ପ୍ରତିଷ୍ଠାନରେ ଚାନ୍ଦି ମେଢ଼ ହୋଇଆସୁଛି । ଏଥର କାଞ୍ଜନ ବଜାର ପୂଜା କମିଟି ୭୫ ବର୍ଷର ପ୍ଲାଟିନମ୍ ଜୁବଲି ପାଳନ କରୁଥିବାରୁ ପ୍ରଥମ ଥର ପାଇଁ ଚାନ୍ଦିମେଢ଼ କରିଛି । ଅନ୍ୟ ମେଢ଼ରେ ବି କିଛି କିଛି ଚାନ୍ଦି ଓ ସୁନା ଦେଖିବାକୁ ମିଳେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

ଜୁନାଗଡ ଦଧି ବାମନ ଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

Sunil Chandra Nayak

Leave a Comment

error: Content is protected !!