୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା
ଢେ଼ଙ୍କାନାଳ (ମନିସ)17/10/25 — ପ୍ରଥମେ ଛାମୁଡିଆ କୁଡ଼ିଆରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ଢେଙ୍କାନାଳ ଏକ ଗଡ଼ଜାତ ମୂଲକ ଥିଲା । ଏହାର ନାମ ଥିଲା ‘ନିଜଗଡ଼’ । ଉପରଗଡ଼,ମଝିଗଡ଼ ଓ ତଳଗଡ଼ ହୋଇ ୩ଟି ଭାଗରେ ବିଭକ୍ତ ହୋଇଥିଲା । ସ୍ୱର୍ଗୀୟ ବ୍ରଜକିଶାର ପଟ୍ଟନାୟକ ଜଣେ ନାଟ୍ୟପ୍ରେମୀ ଓ କଳାକାର ହୋଇଥିବାରୁ ସେ ସୁନ୍ଦର ମୃଣ୍ମୟମୂର୍ତ୍ତୀ ଗଢ଼ି ପାରୁଥିଲେ । ସେ ଏକ ରାସଲୀଳା ଦଳ ଗଢ଼ିଥିଲେ । ତାଙ୍କ ଉଦ୍ୟମରେ ୧୯୨୩ ମସିହାରେ ଉପରଗଡ଼ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମହାଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରାଯାଇଥିଲା । ରାସଲୀଳା ସହ ସପ୍ତାହ ବ୍ୟାପୀ ନାଟକ ପରିବେଷଣ ହେଉଥିଲା । ୧୯୨୪ରେ ବେବର୍ତ୍ତା ସାହିର ସ୍ବର୍ଗତ ଗତିକୃଷ୍ଣ ପଟ୍ଟନାୟକ ମଝିଗଡ଼ ବା ମୀନାବଜାର ଠାରେ ପୂଜା ଆରମ୍ଭ କରିଥିଲେ । ପୁଣି ୧୯୩୦ ବା ୧୯୩୧ରେ ସାଆନ୍ତ ସାହି ଏବର ଜବାହରଚୌକ ଅଞ୍ଚଳରେ ଚଉପାଢ଼ୀରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବା ଇତିହାସରୁ ଜଣାଯାଏ । ବିଭିନ୍ନ ଡାଳପତ୍ରର ଛାମୁଡିଆ ଓ ପେଟ୍ରୋମାକ୍ସ ଲାଇଟ୍ ଲଗାଇ ପୂଜା କରାଯାଉଥିଲା । ଶଗଡ଼ରେ ପାଖ ଗାଁମାନଙ୍କରୁ ଲୋକେ ପୂଜା ଦେଖିବାକୁ ଆସୁଥିଲେ । ମାତ୍ର ମଝିରେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ କିଛି କାରଣ ଯୋଗୁଁ କିଛି ବର୍ଷ ପୂଜା ବନ୍ଦ ହୋଇଯାଇଥିଲା । ପୁଣି ୧୯୪୨ ମସିହାରେ ମୀନାବଜାର ସ୍ବର୍ଗତ ନଟବର ଦେବତା ପ୍ରମୁଖ ପୁଣିଥରେ ପୂଜା ଆରମ୍ଭ କରିଥିଲେ । ୧୯୪୪ରେ ପୁଣି ଜବାହରଚୌକରେ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୪୮ରେ ଲକ୍ଷ୍ମୀବଜାରରେ ପୂଜା ଆରମ୍ଭ ହେଲା I ଏହିଭଳି ବିଭିନ୍ନ ପ୍ରତିଷ୍ଠାନରେ ପୂଜା ଆରମ୍ଭ ହୋଇଥିଲା । ଯାହା ଏବେ ୩୮ଟି ପ୍ରତିଷ୍ଠାନରେ ପୂଜା ହୋଇଆସୁଛି । ଢେଙ୍କାନାଳ ଲକ୍ଷ୍ମୀପୂଜା ପ୍ରାୟ ଶତାୟୁ ବର୍ଷର ପୂଜା ହୋଇଥିଲେ ହେଁ,୧୯୪୨କୁ ପାଥେୟ କରି ନିରବଚ୍ଛିନ୍ନ ଭାବେ ୮୩ ବର୍ଷ ହେଲା ପୂଜା ହୋଇ ଆସୁଛି । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହାର ପ୍ରତ୍ୟେକ ପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ସହ ଏହାର ପ୍ରସାର ପ୍ରସାର ଓ ଗୌରବ ବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯାଉଛି । ଗଜଲକ୍ଷ୍ମୀ ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଢେଙ୍କାନାଳ ସହର । ୧୧ଦିନ ବ୍ୟାପି ପୂଜା ଚାଲେ ମାଙ୍କର । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । କୈବଲ୍ୟ ବଜାରରୁ ବାଜିଚୌକ ପ୍ରାୟ ୩ କିମି ବ୍ୟାପି ସିଧା ରାସ୍ତାରେ ହଜାର ହଜାର ଲୋକଙ୍କ ସୁଅ ଛୁଟେ । ଯାହା ଢେଙ୍କାନାଳ ଲକ୍ଷ୍ମୀପୂଜାର ସ୍ବତନ୍ତ୍ରତା ବହନ କରେ । ମା’ଙ୍କ ଦର୍ଶନ ସହ ଦୋଳି ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ କିଣାକିଣି ଓ ରାଜ୍ୟ ବାହାରର ଖାଦ୍ୟର ମଜା ନେବାକୁ ଲୋକେ ଛୁଟିଆସନ୍ତି । ରାଧାଅଷ୍ଟମୀ ଓ ସୁନିଆ ପର୍ବରେ ମା’ଙ୍କ ମୂର୍ତ୍ତୀ ପାଇଁ ବ୍ରାହ୍ମଣୀ ନଦୀରୁ ମାଟି ଅନୁକୂଳ କରାଯାଏ । ପ୍ରତ୍ୟେକ ପୂଜା କମିଟି ବାଜା,ବାଣ ସହ ଶୋଭାଯାତ୍ରାରେ ଯାଇ ମାଟି ଆଣିଥାନ୍ତି । ଏଇଠୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ । ପ୍ରାୟ ମାସେ ଆଗରୁ ତୋରଣ,ଗେଟ୍ କାମ ଆରମ୍ଭ ହୋଇଯାଏ । ନବବଧୂ ପରି ସଜେଇ ହୋଇଉଠେ ଢେଙ୍କାନାଳ । କୁମାର ପୂର୍ଣିମାଠାରୁ ମା’ଙ୍କ ପୂଜା ଆରମ୍ଭ ହୁଏ I ସହରର ୩୮ଟି ମଣ୍ଡପରେ ମା’ ପୂଜା ପାଇଥାନ୍ତି । ଜାତି,ଧର୍ମ,ବର୍ଣ୍ଣର ଉର୍ଦ୍ଧ୍ବକୁ ଉଠି ସମସ୍ତେ ଏକାଠି ହୋଇ ମା’ଙ୍କ ପୂଜା କରିଥାନ୍ତି । ପୂଜା ମଧ୍ୟରେ ସଙ୍କୁଡ଼ି ଭୋଗ ଲାଗି ହୋଇଥାଏ । ପ୍ରତ୍ୟେକ କମିଟି ପକ୍ଷରୁ ପ୍ରାୟ ୨ରୁ ୩ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୁଏ । କେଉଁଠି ପଦ୍ମପତ୍ରରେ ତ କେଉଁଠି ମାଟି କୁଡ଼ୁଆରେ ଦହି ପଖାଳ ପରସା ଯାଏ । ଯାହା ଏକତ୍ଵଭାବ ସୃଷ୍ଟି କରେ । ଅନନ୍ୟ ଆକର୍ଷଣ ମିଳିତ ଭସାଣୀ ଢେଙ୍କାନାଳର ଲକ୍ଷ୍ମୀପୂଜା ଭଳି ଭସାଣୀ ଉତ୍ସବ ବି ସମାନ ଭାବେ ଆକର୍ଷଣୀୟ । ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଦଳ ସହ ରାଜ୍ୟ ବାହାରର ଅନେକ ଗ୍ରୁପ୍ ସାମିଲ ହୋଇଥାନ୍ତି । ମିଳିତ ରସାଣିରେ ସମସ୍ତ ମେଢ଼ ଏକାଠି ସାମିଲ ହୋଇଥାନ୍ତି । ସକାଳୁ ମେଢ଼ଗୁଡ଼ିକ ନିଜ ନିଜର କ୍ରମିକ ସଂଖ୍ୟା ଅନୁସାରେ ଶୋଭାଯାତ୍ରାରେ ପଛକୁ ପଛ ଚାଲିଥାନ୍ତି । ବ୍ରାଣ୍ଡ ପାର୍ଟି ସାଙ୍ଗକୁ ରାଜ୍ୟ ବାହାରର ଭିନ୍ନଭିନ୍ନ ନୃତ୍ୟ,ଗୀତ,କଳା,ବାଦ୍ୟ,ସାଂସ୍କୃତିକ ପରମ୍ପରା ପ୍ରଦର୍ଶନ ଦୃଶ୍ୟ ଦେଖିବାକୁ ମିଳେ। ରାତି ପର୍ଯ୍ୟନ୍ତ ସହର ଦୁଲୁକି ଉଠେ । ଚାନ୍ଦିରେ,ସୁନାର ଚମକ ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ମେଢ଼ରେ ଚାନ୍ଦିର ଚମକ ଭିନ୍ନ କିଛି ଆକର୍ଷଣ ସୃଷ୍ଟି କରେ । ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପ ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦି ଚମକି ଉଠେ । ଚାନ୍ଦି ମେଢ଼ ସହ ସୁନାର ମୁକୁଟରେ ମା’ ଅପରୂପ ଦର୍ଶନ ଭକ୍ତଙ୍କୁ ବିଭୋର କରେ । ପ୍ରଥମ ପ୍ରତିଷ୍ଠାନର ମାନ୍ୟତା ପାଇଥିବା ମିନାବଜାରର ଶ୍ରୀ ଶ୍ରୀ ମଉଡ଼ମଣୀ ପୂଜା ପ୍ରତିଷ୍ଠାନ ପ୍ରଥମେ ଚାନ୍ଦି ମେଢ଼ ହୋଇଥିଲା । ୧ କୁଇଣ୍ଟାଲ ୬୫ କେଜି ଚାନ୍ଦି ସହ ସୁନା ମୁକୁଟ ମା’ ପିନ୍ଧିଥାନ୍ତି । କୈବଲ୍ୟ ବଜାର ପୂଜା ପାର୍ଟି ସାଙ୍ଗକୁ ରାଜ୍ୟ ବାହାରର ଭିନ୍ନଭିନ୍ନ ପାରମ୍ପରିକ,ନୃତ୍ୟ,ଗୀତ,କଳା ପ୍ରଦର୍ଶନ ଦେଖିବାକୁ ମିଳେ। ରାତି ପର୍ଯ୍ୟନ୍ତ ସହର ଦୁଲୁକି ଉଠେ ।ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପ ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦି କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନରେ ୧ କୁଇଣ୍ଟାଲ ୪୦ କେଜି,ସୌଭାଗ୍ୟଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାରରେ ୩ କୁଇଣ୍ଟାଲର ଚାନ୍ଦି ଓ ଏକ କେଜିର ସୁନା ମୁକୁଟ, ଗୁଡିଆନାଳୀର ଗୋଲଡେନ୍ ଷ୍ଟ୍ରିଟ୍ ପୂଜା କମିଟିରେ ୧ କୁଇଣ୍ଟାଲ ୧୦ କେଜିର ଚାନ୍ଦି ସହ ଲକ୍ଷ୍ମୀ ବଜାର,ଜୁବଲି ଗଉନ୍-୨ ପୂଜା ପ୍ରତିଷ୍ଠାନରେ ଚାନ୍ଦି ମେଢ଼ ହୋଇଆସୁଛି । ଏଥର କାଞ୍ଜନ ବଜାର ପୂଜା କମିଟି ୭୫ ବର୍ଷର ପ୍ଲାଟିନମ୍ ଜୁବଲି ପାଳନ କରୁଥିବାରୁ ପ୍ରଥମ ଥର ପାଇଁ ଚାନ୍ଦିମେଢ଼ କରିଛି । ଅନ୍ୟ ମେଢ଼ରେ ବି କିଛି କିଛି ଚାନ୍ଦି ଓ ସୁନା ଦେଖିବାକୁ ମିଳେ ।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

