ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା– ୧

ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା ୧

   ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବାରୁ ସାନଭାଇ ପାଣ୍ଡୁ ରାଜା ହୋଇ ସମସ୍ତ ରାଜକାର୍ଯ୍ଯ ବୁଝୁଥିଲେ । ମାତ୍ର ପାଣ୍ଡୁ ଅଳ୍ପ ଦିନରେ ମରିଗଲେ । ପାଣ୍ଡୁଙ୍କ ମୃତ୍ୟୁ ପରେ ଲୋଭୀ ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କୁ ମାରିଦେଇ ଏକାକୀ ସମଗ୍ର ରାଜ୍ଯ ଭୋଗ କରିବାକୁ ନାନା ଚକ୍ରାନ୍ତ ଚଳାଇଲେ । ଫଳରେ ଦ୍ରୌପଦୀଙ୍କ ବିବାହ ପୂର୍ବରୁ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ରାଜ୍ଯ ଛାଡି ବ୍ରାହ୍ମଣ ବେଶରେ ଦେଶ ଦେଶାନ୍ତର ବୁଲୁଥିଲେ । ସ୍ବୟମ୍ବରରେ ତୃତୀୟ ପାଣ୍ଡବ ଅର୍ଜୁନ ଜିତି ଦ୍ରୌପଦୀଙ୍କୁ ଲାଭ କଲେ ଏବଂ ମାତାଙ୍କ ଇଛାନୁସାରେ ପାଞ୍ଚ ଭାଇ ଯୁଧିଷ୍ଠିର,ଭୀମ,ଅର୍ଜୁନ, ନକୁଳ ଓ ସହଦେବ ଦ୍ରୌପଦୀଙ୍କୁ ବିବାହ କଲେ । ଖବର ପାଇ ରାଜାଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ଡକାଇ ନେଲେ ଓ ରାଜ୍ଯକୁ ଦୁଇଭାଗ କରି ଗୋଟିଏ ଭାଗ ଯୁଧିଷ୍ଠିରଙ୍କୁ ଦେଲେ । ଯୁଧିଷ୍ଠିର ତାଙ୍କ ରାଜ୍ଯର ରାଜଧାନୀ ଇନ୍ଦ୍ରପ୍ରସ୍ଥକୁ ନୂତନ କରି ନିର୍ମାଣ କଲେ । ରାଜସୂୟ ଯଜ୍ଞରେ ଦୁର୍ଯ୍ଯୋଧନ ଇନ୍ଦ୍ରପ୍ରସ୍ଥର ସୌନ୍ଦର୍ଯ୍ୟ ଓ ବିଭବ ଦେଖି ଅଧିକ ଈର୍ଷାନ୍ବିତ ହୋଇ ପଡିଲେ । ପରେ କପଟ ପଶାଖେଳରେ ଜିତି ଯୁଧିଷ୍ଠିରଙ୍କୁ ରାଜ୍ଯଚ୍ଯୁତ କରାଇଲେ । ଦ୍ରୌପଦୀଙ୍କୁ ରାଜସଭାରେ ବିବସ୍ତ୍ର କରାଇବାକୁ ଉଦ୍ଯମ କଲେ । ପଶା ଖେଳର ସର୍ତ୍ତାନୁସାରେ ଯୁଧିଷ୍ଠିର ରାଜ୍ଯ ଛାଡି ଚାରିଭାଇ ଓ ଦ୍ରୌପଦୀଙ୍କୁ ସଙ୍ଗରେ ନେଇ ୧୨ବର୍ଷ ବଣରେ ବୁଲିଲେ ଓ ୧ବର୍ଷ ଅଜ୍ଞତ ବାସରେ କଟାଇଲେ । ୧୩ ବର୍ଷ ପୂର୍ଣ୍ଣ ହେଲାପରେ ରାଜ୍ୟକୁ ଫେରି ଦୁର୍ଯ୍ଯୋଧନଙ୍କୁ ରାଜ୍ଯ ଫେରସ୍ତ ମାଗନ୍ତେ ସେ ତାହା ଫେରାଇଲେ ନାହିଁ । ସମସ୍ତ ପ୍ରକାର ଉଦ୍ଯମ ସତ୍ତ୍ବେ ଦୁର୍ଯ୍ଯୋଧନ ପରିଷ୍କାର ଘୋଷଣା କଲେ -ବିନା ଯୁଦ୍ଧରେ ସୂଚ୍ଯଗ୍ରେ ପରିମିତ ଭୂମି ମଧ୍ଯ ପାଣ୍ଡବମାନଙ୍କୁ ଦିଆଯିବ ନାହିଁ । ଫଳତଃ ଯୁଦ୍ଧ ଅନିବାର୍ଯ୍ଯ ହେଲା । ଏହି ଯୁଦ୍ଧ କୁରୁକ୍ଷେତ୍ର ନାମକ ଏକ ବିଶାଳ ପ୍ରାନ୍ତରରେ ଅନୁଷ୍ଠିତ ହେଲା । ଏହି କୁରୁକ୍ଷେତ୍ର ସରସ୍ବତୀ ଓ ଦୃଶଦବତୀ ନଦୀଦ୍ବୟ ମଧ୍ଯରେ ଏବଂ ଦିଲ୍ଲୀର ଉତ୍ତରକୁ ଓ ଅମ୍ବାଲାର ଦକ୍ଷିଣକୁ ପାଞ୍ଚକୋଶ ଦୀର୍ଘ ପ୍ରସ୍ଥ ବିଶିଷ୍ଟ ଅଟେ । ଏଠାରେ କୌରବ ଓ ପାଣ୍ଡବଙ୍କ ପୂର୍ବ ବଂଶଜ କୁରୁ ନାମକ ଜଣେ ରାଜା ପ୍ରଥମେ ଚାଷ କରିଥିଲେ ଓ ପରେ ଦେବତାମାନଙ୍କ ଆଦେଶରେ ନାନା ଧର୍ମାନୁଷ୍ଠାନ କରିଥିଲେ । ଏଣୁ ଏହାକୁ କୁରୁକ୍ଷେତ୍ର ଓ ଧର୍ମକ୍ଷେତ୍ର କୁହାଯାଏ । ଏବେ ମଧ୍ଯ କୁରୁକ୍ଷେତ୍ର ଅଛି , ଏହା ହରିୟାଣା ରାଜ୍ଯାନ୍ତର୍ଗତ । ଯୁଦ୍ଧ ପୂର୍ବରୁ ମହର୍ଷି ବ୍ଯାସଦେବ ଅନ୍ଧ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ ଦେଖିବା ପାଇଁ ଦିବ୍ଯଦୃଷ୍ଟି ପ୍ରଦାନ କରିବାକୁ ଇଛା କଲେ । କିନ୍ତୁ ସେ କୁଳକ୍ଷୟ ସ୍ବଚକ୍ଷୁରେ ଦେଖି ସହିପାରିବେ ନାହିଁ ବୋଲି କହିବାରୁ ତାଙ୍କର ସାରଥି (ମନ୍ତ୍ରୀ) ସଞ୍ଜୟଙ୍କୁ ଦିବ୍ଯଚକ୍ଷୁ ଦେଇ ଚାଲିଗଲେ । ଫଳରେ ସଞ୍ଜୟ ରାଜପ୍ରସାଦରେ ବସି ଯୁଦ୍ଧର ସମସ୍ତ ଦୃଶ୍ୟ ଦେଖି ପାରୁଥିଲେ । ଯୁଦ୍ଧର ୧୦ମ ଦିବସରେ କୌରବମାନଙ୍କର ପ୍ରଥମ ପ୍ରଧାନ ସେନାପତି ଆଜନ୍ମ ବ୍ରହ୍ମଚାରୀ ଅଜେୟ ଗାଙ୍ଗେୟ ଭୀଷ୍ମଙ୍କର ପତନ ହେଲା । ସଙ୍ଗେ ସଙ୍ଗେ ସଞ୍ଜୟ ଯାଇ ଏ ଖବର ରାଜା ଧୃତରାଷ୍ଟ୍ରଙ୍କୁ ଜଣାଇବାରୁ ରାଜାଙ୍କର ଯୁଦ୍ଧ ବିଷୟରେ ସମସ୍ତ ତଥ୍ଯ ଜାଣିବା ପାଇଁ ଆଗ୍ରହ ହେଲା ଏବଂ ସେ ଏ ପ୍ରଶ୍ନ ସଞ୍ଜୟଙ୍କୁ ପଚାରିଲେ-“ଧର୍ମକ୍ଷେତ୍ରେ କୁରୁକ୍ଷେତେ ସମବେତା ଯୁଯୁତ୍ସବହ…….” ଇତ୍ଯାଦି । ଏଠାରୁ ଶ୍ରୀମଦ୍ ଭଗବତ୍ ଗୀତାର ଆରମ୍ଭ । ଏହା “ମହାଭାରତ”ରଭୀଷ୍ମପର୍ବର ଅନ୍ତର୍ଗତ।

 ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରିଲେ- ହେ ସଞ୍ଜୟ ! ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରରେ ଦୁର୍ଯ୍ଯୋଧନାଦି ମୋର ପୁଅମାନେ ଓ ପାଣ୍ଡବମାନେ ସମବେତ ହୋଇ କ’ଣ କ’ଣ କଲେ କୁହ ! ତା’ପରେ ସଞ୍ଜୟ କହିଲେ – ଦୁର୍ଯ୍ଯୋଧନ ପାଣ୍ଡବ ସେନାକୁ ବ୍ଯୁହାକାରରେ ସଜ୍ଜିତ ରହିଥିବାର ଦେଖି ଗୁରୁ ଦ୍ରୋଣାଚାର୍ଯ୍ଯଙ୍କ ନିକଟକୁ ଯାଇ କହିଲେ-ଗୁରୁଦେଵ ! ଆପଣଙ୍କ ଶିଷ୍ଯ ଧୃଷ୍ଟଦ୍ଯୁମ୍ନଙ୍କ ଦ୍ବାରା ପାଣ୍ଡବଙ୍କ ସୈନ୍ଯସଜ୍ଜା ଦେଖନ୍ତୁ । ପାଣ୍ଡବମାନଙ୍କର ସୈନ୍ଯବଳ ଆମ ସୈନ୍ଯବଳଠାରୁ ସଂଖ୍ଯାରେ କମ୍ ହୋଇଥିଲେ ହେଁ ସେମାନେ ଯୁଦ୍ଧ ପାଇଁ ଯଥେଷ୍ଟ ସମର୍ଥ ବୋଲି ମନେ ରଖିବାକୁ ହେବ । ଏଣୁ ନିଜ ନିଜ ଆସ୍ଥାନରେ ଦୃଢରହି ପ୍ରଧାନ ସେନାପତି ପିତାମହ ଭୀଷ୍ମଙ୍କୁ ସର୍ବତୋଭାବେ ରକ୍ଷା କରନ୍ତୁ ।

     ଥରେ ଦ୍ରୋଣଙ୍କ ଦ୍ବାରା ପରାଜିତ ହୋଇ ରାଜା ଦ୍ରୁପଦ ପ୍ରତିଶୋଧ ନେବା ଆଶାରେ ଯଜ୍ଞ କରିଥିଲେ ଏବଂ ସେଥିରୁ ଧୃଷ୍ଟଦ୍ଯୁମ୍ନଙ୍କର ଜନ୍ମ । ଦ୍ରୋଣାଚାର୍ଯ୍ଯଙ୍କର ପ୍ରଧାନ ଶତ୍ରୁ ବୋଲି ସୂଚାଇବାକୁ ଯାଇ ହୁଏତ ଦୁର୍ଯ୍ଯୋଧନ ଧୃଷ୍ଟଦ୍ଯୁମ୍ନଙ୍କ ନାମ ପ୍ରଥମେ କହିଛନ୍ତି । ପିତାମହ ଭୀଷ୍ମଙ୍କୁ ପ୍ରଧାନ ସେନାପତି ପଦରେ ନିଯୁକ୍ତ କରାଯାଇ ଥିବାରୁ କାଳେ ଗୁରୁ ଦ୍ରୋଣ ମନଦୁଃଖ କରିଥିବେ ସେଥିପାଇଁ ଆଗ ଗୁରୁଙ୍କ ନିକଟକୁ ଯାଇ ତାଙ୍କର ସାହାଯ୍ୟ ଓ ସହଯୋଗ କରିଥିଲେ । ଦ୍ରୋଣାଚାର୍ଯ୍ଯଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇବା ପୂର୍ବରୁ ପିତାମହ ଭୀଷ୍ମ ସିଂହନାଦ ପୂର୍ବକ ଶଙ୍ଖଧ୍ବନି କରି ଯୁଦ୍ଧ ଘୋଷଣା କଲେ । କୌରବ ସେନାରେ ହଠାତ୍ ଶଙ୍ଖ,ଢୋଲ,ନାଗରା,ମୃଦଙ୍ଗ ପ୍ରଭୁତି ବାଜି ଉଠିଲା । ତାପରେ ଭଗବାନ ଶ୍ରୀକୃଷ୍ଣ ପାଞ୍ଚଜନ୍ଯ ଓ ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଶଙ୍ଖ ଓ ଅନ୍ଯ ବାଦ୍ଯମାନଙ୍କର ଭୟଙ୍କର ଶବ୍ଦରେ ଆକାଶ ଓ ପୃଥିବୀ ପ୍ରତିଧ୍ବନୀତ ହେବାକୁ ଲାଗିଲା ।

    ଅର୍ଜୁନ ନିଜର ସାରଥି ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ-ହେ ଅଚ୍ଯୁତ ! ଉଭୟ ସେନାର ମଧ୍ଯଭାଗରେ ମୋ ରଥକୁ ସ୍ଥାପନ କର,ଯେପରି କି ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ସମସ୍ତଙ୍କୁ ମୁଁ ଦେଖିପାରିବି । ଭଗବାନ ଶ୍ରୀକୃଷ୍ଣ ସେହିପରି ଉଭୟ ସେନା ମଧ୍ଯରେ ରଥ ରଖି ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିବା ସବୁ ବୀରଙ୍କୁ ଦେଖିବାକୁ କହିଲେ । ଉଭୟ ପକ୍ଷରେ ନିଜ ଜୀବନର ଆଶା ତ୍ଯାଗ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ-ଆଚାର୍ଯ୍ୟ, ପିତାମହ,ପିତୃବ୍ଯ,ପୁତ୍ର,ପୌତ୍ର,ମାତୁଳ,ଶ୍ଯାଳା,ଶ୍ବଶୁର, ସମ୍ବନ୍ଧୀ ଓ ଅନ୍ଯ ବନ୍ଧୁମାନେ । ଆତ୍ମୀୟମାନଙ୍କୁ ଦେଖି ଓ ଯୁଦ୍ଧର ଭୟାବହ ପରିଣାମ ଚିନ୍ତାକରି ଅର୍ଜୁନଙ୍କର ଦେହ ଥରିବାକୁ ଲାଗିଲା,ଲୋମ ଟାଙ୍କୁରି ଉଠିଲା,ମୁଖ ଶୁଖିଗଲା,ଦେହ ଜଳିଗଲା ପରି ଲାଗିଲା ଓ ମନ ଅସ୍ଥିର ହୋଇଉଠିଲା । ହାତରୁ ଧନୁ ଖସି ପଡିଲା । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏ ଯୁଦ୍ଧ କରିପାରିବେ ନାହିଁ ବୋଲି କହିଲେ । ଯୁଦ୍ଧରେ ଆତ୍ମୀୟମାନଙ୍କୁ ମାରିଲେ କୁଳଧର୍ମ ନଷ୍ଟ ହେବ,ସ୍ତ୍ରୀମାନେ ଦୂଷିତା ହେବେ,ବର୍ଣ୍ଣସଙ୍କର ଜାତ ହେବେ,ପିତା ପିତାମହ ପିଣ୍ଡପାଣି ନପାଇ ନରକଗାମୀ ହେବେ । ବରଂ ତାଙ୍କୁ ନିରସ୍ତ୍ର ଦେଖି କୌରବମାନେ ମାରିଦିଅନ୍ତୁ ପଛକେ ସେ ସାମାନ୍ଯ ରାଜ୍ଯସୁଖ ଲାଭ ଆଶାରେ ଏଭଳି ପାପକାର୍ଯ୍ଯ କରିପାରିବେ ନାହିଁ । ଧନୁ ଓ ଶର ତ୍ଯାଗକରି ରଥ ଉପରେ ଶୋକାକୁଳ ଚିତ୍ତରେ ଅର୍ଜୁନ ବସି ରହିଲେ ।

        ଅର୍ଜୁନ ପୂର୍ବରୁ ବହୁବାର ବଡ ବଡ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବିଜୟୀ ହୋଇଥିଲେ । ମହାଭାରତ ଯୁଦ୍ଧର ଠିକ୍ ପୂର୍ବରୁ ବିରାଟ ରାଜାଙ୍କର ଗୋଧନ ଉଦ୍ଧାର କରିବା ପାଇଁ ସେ ଏକାକୀ କୌରବ ବାହିନୀକୁ ପରାସ୍ତ କରିଥିଲେ । ମାତ୍ର ଏ ଯୁଦ୍ଧରେ ଭାରତବର୍ଷର ପ୍ରାୟ ସମସ୍ତ ରାଜା ଓ ସେମାନଙ୍କର ସୈନ୍ଯବଳ ଉଭୟପକ୍ଷକୁ ସାହାଯ୍ୟ କରିବା ପାଇଁ ଜୀବନର ଆଶା ତ୍ଯାଗ କରି ଉପସ୍ଥିତ ଥିଲେ । ଯୁଦ୍ଧର ଭୟାବହ ପରିଣତି ଚିନ୍ତାକରି ଅର୍ଜୁନ ବିଚଳିତ ହୋଇପଡିଲେ ଓ ତାଙ୍କର କର୍ତ୍ତବ୍ୟଜ୍ଞାନ ଲୋପ ପାଇଲା । ଏପରି ପରିସ୍ଥିତିରେ ସମସ୍ତଙ୍କର ମୋହଜାତ ହେବା ସ୍ବଭାବିକ । ଏଣୁ ଏ ଅଧ୍ଯାୟର ନାମ ବିଷାଦ ଯୋଗ ରଖାଯାଇଅଛି ।

    ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିମିତ୍ତ କରି ସମସ୍ତଙ୍କୁ ଗୀତାର ଅମୂଲ୍ଯବାଣୀ ଶୁଣାଇଛନ୍ତି । ଏ ଅଧ୍ଯାୟରେ କୌଣସି ଧର୍ମୋପଦେଶ ନଥିଲେ ହେଁ ଏହା ଗୀତାର ଉପକ୍ରମଣିକା ଅଟେ ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ,

ଆଳଦା, ଖଇରା, ବାଲେଶ୍ବର

Related posts

ଖବର ପ୍ରସାରଣ ପରେ ବି ଚେତିଲାନି ପ୍ରଶାସନ, ଶହିଦ ମିନାରକୁ ସଫା କଲେ ଖବରଦାତା  

Sunil Chandra Nayak

ନବ କୁମାର ଦାସ ଙ୍କ କବିତା  ଝଡ଼ ବତାସ

Sunil Chandra Nayak

ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍

Sunil Chandra Nayak

Leave a Comment

error: Content is protected !!