ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି
ଜଳେଶ୍ଵର,୧୭/୫-(ମନିସ)-ଓଡ଼ିଶା କୃଷି ବିପଣନ ପରିଷଦ ଅଧୀନରେ ସମଗ୍ର ରାଜ୍ୟରେ ୬୬ ଟି ଆର.ଏମ୍.ସି(ନିୟନ୍ତ୍ରିତ ବଜାର କମିଟି) କାର୍ଯ୍ୟ କରୁଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୩ ଟି ଯଥା -ଜଳେଶ୍ଵର,ବାଲେଶ୍ୱର ଓ ନୀଳଗିରି ଆର.ଏମ୍.ସି କାର୍ଯ୍ୟ କରୁଛି।ମାତ୍ର ଏହି ୩ ଟି ମଧ୍ୟରୁ ଜଳେଶ୍ଵର ଆର.ଏମ୍.ସି ଜଳେଶ୍ଵର,ଭୋଗରାଇ ଓ ବାଲିଆପାଳ ବ୍ଲକକୁ ନେଇ ଗଠିତ।ଏହି ଆର.ଏମ୍.ସି ଅଧୀନରେ ଜଳେଶ୍ଵର ପୌର ପରିଷଦ ଅନ୍ତର୍ଗତ ଡେଲି ମାର୍କେଟ ଓ ସାପ୍ତାହିକ ହାଟ, ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ହାଟ, କାଳିକ ହାଟ,ରାଇବଣିଆ ହାଟ,ଖୁଆର୍ଡ ହାଟ ରହିଛି।ସେହିପରି ଭୋଗରାଇ ବ୍ଲକ ଅନ୍ତର୍ଗତ ଦେଉଳ। ଓ ନିମାତପୁର ହାଟ ମଧ୍ୟ ରହିଛି।ମାତ୍ର ଏହି ସବୁ ହାଟ ଗୁଡିକରୁ ଆର.ଏମ୍.ସି କର୍ମଚାରୀ ମାନେ ପ୍ରତ୍ୟେକ ଚାଷୀ ଓ ଦୋକାନୀ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲେ ମଧ୍ୟ ଜଣେ ଦୁଇ ଜଣଙ୍କୁ ଛାଡିଦେଲେ ସମସ୍ତଙ୍କୁ ହାଟ ମହାସୁଲ ଟିକେଟ ପ୍ରଦାନ କରା ଯାଉନାହିଁ ବୋଲି ଅଭିଯୋଗ ହେଉଛି ।ସେହିପରି ହାଟରେ ବସୁଥିବା ପନିପରିବା ଚାଷୀ ଓ ଫଳ ଦୋକାନୀମାନଙ୍କ ଠାରୁ କର୍ମଚାରୀ ମାନେ ହାଟ ମହାସୁଲ ମନଇଚ୍ଛା ଆଦାୟ କରୁଛନ୍ତି।ସେମାନେ ପ୍ରତ୍ୟେକ ଦିନର ଆଦାୟ କରୁଥିବା ସମ୍ପୂର୍ଣ୍ଣ ବିବରଣୀ ଆର.ଏମ୍.ସି କାର୍ଯ୍ୟାଳୟକୁ ପ୍ରଦାନ କରିବା ପାଇଁ ନିୟମ ଥିବା ବେଳେ ସେଥିପ୍ରତି ଗୁରୁତ୍ୱ ଦିଆ ଯାଉନାହିଁ।ସେହିପରି ଜଣେ ଆର.ଏମ୍.ସି ଇ – ନାମ ଦ୍ୱାରା ବେଆଇନ ଭାବରେ ନିଯୁକ୍ତ ଜଣେ କର୍ମଚାରୀ ଯାହାଙ୍କର ପଦବୀ ଡାଟା ଏଣ୍ଟ୍ରି ଅପରେଟର ଓ ଅନ୍ୟ ଜଣେ କର୍ମଚାରୀଙ୍କ ପୁଅ ଜଳେଶ୍ଵର ଡେଲି ମାର୍କେଟ ଓ ସାପ୍ତାହିକ ହାଟରୁ ରାସ୍ତା ଉପରେ ଛିଡ଼ା ହୋଇ ଏହି ମହସୁଲ ଆଦାୟ କରୁଛନ୍ତି।ମାତ୍ର ଅପର ପକ୍ଷରେ ଆର.ଏମ୍.ସି ଏହି ଜଳେଶ୍ଵର ହାଟକୁ ସଫା ସୁତୁରା ରକ୍ଷା କରିବା ସହିତ ରକ୍ଷଣାବେକ୍ଷଣ କରିବା ପାଇଁ ନିୟମ ରହିଥିବା ବେଳେ ସେଥିପ୍ରତି ଦୃଷ୍ଟି ଦିଆ ଯାଉନାହିଁ।ଏହି ହାଟର ଅବ୍ୟବସ୍ଥା ସମ୍ପର୍କରେ ଜଳେଶ୍ୱର ଅଂଚଳର କେତେକ ବୁଦ୍ଧିଜୀବୀ ଗତ ୨୪/୧୧/୨୫ ଓ ୯/୩/୨୬ ତାରିଖରେ ଜଳେଶ୍ଵର ବ୍ଲକରେ ହୋଇଥିବା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିଳିତ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ପୁନଶ୍ଚ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ଠାରେ ଥିବା ଜଙ୍ଗଲ ବିଭାଗର ଫାଟକ ନିକଟରେ ରାତିରେ ବେଆଇନ ଭାବେ ଆର.ଏମ୍.ସି କର୍ମଚାରୀମାନେ ଚାନ୍ଦବାଲି,ଭଦ୍ରକ, ବାସୁଦେବପୁର,ସୋରୋ ପ୍ରଭୁତି ଅଞ୍ଚଳରୁ ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିବା ଟ୍ରକ୍ ଓ ପିକକ୍ ଗାଡ଼ି ଗୁଡିକରୁ ୧୦୦,୨୦୦ ଏପରିକି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଛନ୍ତି।ଏହି ରାଜଘାଟ ଅଞ୍ଚଳ ବସ୍ତା ବ୍ଲକ ଅଧୀନରେ ରହିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ହୋଇଥିବା ବିଜ୍ଞପ୍ତି ନଂ -୭୯୦୮ ତାରିଖ ୧୮/୪/୧୯୮୩ ଅନୁଯାୟୀ ସେହି ବ୍ଲକ ବାଲେଶ୍ୱର ଆର.ଏମ୍.ସି ଅଧୀନକୁ ଚାଲି ଯାଇଛି।ଏହିପରି ଏହି ବେଆଇନ ଅର୍ଥ ଆଦାୟ ପାଇଁ ୨୦୧୦ ମସିହାରେ ଜଣେ ମାର୍କେଟ ସୁବେଦାର ଓ ୟାର୍ଡ ମେନଙ୍କ ବିରୋଧରେ ଏକ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା।ଅନୁରୂପ ଭାବେ ୨୦୨୩ ମସିହାରେ ଏକ ପିକକ୍ ଗାଡ଼ି ବେଆଇନ ଭାବରେ ଅର୍ଥ ଆଦାୟ କରୁଥିବା ଆର.ଏମ୍.ସି କର୍ମଚାରୀ ମାନଙ୍କ ଉପରେ ଚଢ଼ି ଯିବା ଫଳରେ ସେମାନେ ଗୁରୁତର ଆହତ ହେବା ସହିତ ସେମାନଙ୍କର ମୋଟର ସାଇକେଲ ଗୁଡ଼ିକ ଭାଙ୍ଗି ରୁଜି ଯାଇଥିଲା।ବିଭିନ୍ନ ସମବାୟ ସମିତି ପାଇଁ ନିଯୁକ୍ତି ପାଇଥିବା କ୍ୱାଲିଟୀ ଏନାଲିଷ୍ଟ ମାନେ ଧାନର ମାନ (ଏଫ୍.ଏ.କ୍ୟୁ) ଯାଞ୍ଚ କରିବା ପାଇଁ ଦାୟିତ୍ୱରେ ଥିବାବେଳେ ସେମାନେ ୧୫ ରୁ ୨୦ ଦିନ ଡ୍ୟୁଟି କରି ପୁରା ମାସର ଦରମା ନେଉଛନ୍ତି।୨୦୦୯ ମସିହାରେ ୩ ବର୍ଷ ପାଇଁ ନିର୍ବାଚନ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ପୁନ ନିର୍ବାଚନ କରା ନ ଯାଇ ଉକ୍ତ କମିଟି ନିର୍ଦ୍ଦେଶକ ମାନେ କାର୍ଯ୍ୟ କରୁଛନ୍ତି।ଏଥିପାଇଁ ବାରମ୍ବାର ଜିଲ୍ଲାପାଳ ଓ ଏ.ଆର୍.ସି.ଏସ ପକ୍ଷରୁ ଜଳେଶ୍ଵର ଆର.ଏମ୍.ସି ସମ୍ପାଦକକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ତାହା ଅଦ୍ୟାବଧି କାର୍ଯ୍ୟକାରୀ କରା ଯାଉନି।ବର୍ତ୍ତମାନ ୩ ଜଣ ନିର୍ଦ୍ଦେଶକ ଯଥା ଅରୁଣ ବେଜ୍ ,ସୁଧୀର ପାତ୍ର ଓ କାମିନୀକାନ୍ତ ପାତ୍ର ମୃତ୍ୟୁ ବରଣ କରି ସାରିଛନ୍ତି।ଅପର ପକ୍ଷେ ବିଭିନ୍ନ ସମୟରେ ଏହି ଆର.ଏମ୍.ସି ଦ୍ୱାରା କିଣା ଯାଉଥିବା ଯନ୍ତ୍ରପାତି ଗୁଡ଼ିକ ସରକାରଙ୍କ ନିୟମ ମୁତାବକ କିଣା ଯାଉନାହିଁ ବୋଲି କେତେକ ଚାଷୀ ଅଭିଯୋଗ କରିଛନ୍ତି।ଏଭଳି ଉପାୟରେ ଏହି ଆର.ଏମ୍.ସି କର୍ମଚାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରୁଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆଖି ବୁଜି ଦେବା ବୁଦ୍ଧିଜୀବୀ ଓ ଚାଷୀ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି।ତେଣୁ ସେମାନେ ଭିଜିଲାନ୍ସ ତଦନ୍ତ ଦାବୀ କରିବା ସହିତ ଘଟଣାର ସତ୍ୟତା ଲୋକ ଲୋଚନକୁ ଆଣିବା ପାଇଁ ଦାବୀ କରିଛନ୍ତି।ଏହି ଅଭିଯୋଗ ସମ୍ପର୍କରେ ଆର.ଏମ୍.ସି ସମ୍ପାଦକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବପର ହୋଇ ନ ଥିଲା।
ସୁକୁମାର ରଣା ଙ୍କ ରିପୋର୍ଟ୍

