ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ସତପଥୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିବି ନିୟନ୍ତ୍ରଣ, ଟିକାକରଣ, ଅଣ ସଂକ୍ରାମକ ରୋଗ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନ ଭିତ୍ତିଭୂମି ବିକାଶ, ଆୟୁଷ୍ମାନ ଭାରତ ଯୋଜନା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର (IMR) ଓ ମାତୃ ମୃତ୍ୟୁ ହାର (MMR)କୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶଦେଇଥିଲେ। ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ଗର୍ଭବତୀ ମହିଳା, ନବଜାତ ଶିଶୁଙ୍କୁ ନିୟମିତ ପରିଦର୍ଶନ ସୁନିଶ୍ଚିତ କରିବା ସହ ସ୍ୱାସ୍ଥ୍ୟ ସେବାରୁ କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ବୋଲି ସେ କହିଥିଲେ।ସମୀକ୍ଷା ଅନୁଯାୟୀ, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY/GJAY) ଅଧୀନରେ ଜିଲ୍ଲାରେ ୪,୧୦,୨୮୫ଟି କାର୍ଡ ମଧ୍ୟରୁ ୩,୦୩,୨୫୦ଟି କାର୍ଡ ବଣ୍ଟନ କରାଯାଇ ୭୪ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଥିବାବେଳେ ଅବଶିଷ୍ଟ କାର୍ଡ ଶୀଘ୍ର ବଣ୍ଟନ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଶିଶୁ ଟିକାକରଣ କ୍ଷେତ୍ରରେ ଆଇପିପିଆଇ (IPPI) ଜୁନ-୨୦୨୬ ରାଉଣ୍ଡରେ ୬୧,୫୦୭ ଲକ୍ଷ୍ୟ ବିପରୀତ ୬୦,୦୦୩ ଜଣ ଶିଶୁଙ୍କୁ ଟିକାକରଣ କରାଯାଇ ୯୮ ପ୍ରତିଶତ ସଫଳତା ହାସଲ ହୋଇଥିବା ସୂଚନା ଦିଆଯାଇଥିଲା। ସେହିପରି ହେପାଟାଇଟିସ୍-ବି ଜନ୍ମ ଡୋଜ୍ (HBV Birth Dose) ଟିକାକରଣରେ ୯୫ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ସମୀକ୍ଷା କରାଯାଇଥିଲା।ଆରବିଏସକେ (RBSK) କାର୍ଯ୍ୟକ୍ରମ ଅଧୀନରେ ଏପ୍ରିଲରୁ ଜୁନ-୨୦୨୬ ମଧ୍ୟରେ ୯୮୨ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୩୧,୪୦୬ ଜଣ ଶିଶୁ (୯୪%) ଏବଂ ୮୧ଟି ବିଦ୍ୟାଳୟରେ ୮,୦୧୮ ଜଣ ଛାତ୍ରଛାତ୍ରୀ (୮୮%)ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
ଟିବି ନିୟନ୍ତ୍ରଣ କ୍ଷେତ୍ରରେ ଜୁନ୍-୨୦୨୬ରେ ୭୦ଟି ଟିବି ରୋଗୀ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଥିଲା। ଟିବି ମୁକ୍ତ ଭାରତ ଅଭିଯାନ, ନିକ୍ଷୟ ପୋଷଣ ଯୋଜନା ଏବଂ ସକ୍ରିୟ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବୈଠକରେ ଏଡିପିଏଚଓ (ମାତୃ ସ୍ୱାସ୍ଥ୍ୟ) ଡା. ମୁରଲୀଧର ପାଢ଼ୀ ଏବଂ ମାତୃ ସ୍ୱାସ୍ଥ୍ୟ ପରାମର୍ଶଦାତା ସୌମ୍ୟଶ୍ରୀ ମହାପାତ୍ର ଯୋଗଦେଇ ଜିଲ୍ଲାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ପାଇଁ ବିଭିନ୍ନ ଗଠନମୂଳକ ପରାମର୍ଶ ପ୍ରଦାନ କରିଥିଲେ।ଜିଲ୍ଲାରେ ବୃଦ୍ଧବୃଦ୍ଧାଙ୍କ ପାଇଁ ପ୍ରତି ସୋମବାର ଜନଶୁଣାଣି ଦିବସରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଘରେ ଘରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ସମେତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିନବ ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।
ଏହି ଅବସରରେ ବିଶ୍ୱ ଜନସଂଖ୍ୟା ଦିବସ–୨୦୨୬ ଅବସରରେ ରାଜ୍ୟସ୍ତରରେ ନୂଆପଡ଼ା ଜିଲ୍ଲାକୁ ମିଳିଥିବା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ୨୦୨୫–୨୬ ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମର ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ପ୍ରସବ ପରବର୍ତ୍ତୀ PPIUCD ଗ୍ରହଣରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ସମ୍ମାନିତ ହୋଇଛି।
ଏହି ଅବସରରେ ରୋଗୀ କଲ୍ୟାଣ ସମିତି କାର୍ଯ୍ୟନିର୍ବାହୀ କମିଟି, ରାଷ୍ଟ୍ରୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଏବଂ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅଧୀନ ସ୍କୁଲ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ରାଷ୍ଟ୍ରୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୪୨ଟି ବିଦ୍ୟାଳୟ ଓ ୬ଟି ମହାବିଦ୍ୟାଳୟକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଗଢ ତୋଳା ଯାଇଥିବା ବେଳେ, ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅଧୀନରେ ୩୬ଟି ବିଦ୍ୟାଳୟରେ ଚକ୍ଷୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ଡିପିଏମ୍ ସତ୍ୟନାରାୟଣ ତ୍ରିପାଠୀ, ଡିଏମଓ (ଏମ୍.ଏସ୍) ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ଅଜୟ ପଣ୍ଡା, ଏଡିପିଏଚଓ (ପରିବାର କଲ୍ୟାଣ) ଡା. ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଏଡିପିଏଚଓ (ଟିବି) ଡା. ଦିଲୀପ କୁମାର ଦାସ, ଏଡିପିଏଚଓ (ମାତୃ ସ୍ୱାସ୍ଥ୍ୟ) ଡା. ମୁରଲୀଧର ପାଢ଼ୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

