ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଟିଗାଁ ଗ୍ରାମ ପଞ୍ଚାୟତରେ ଜଳ ସଙ୍କଟ ଓ ଅଚଳ ଷ୍ଟ୍ରିଟ୍ ଲାଇଟ୍: ଉପଜିଲ୍ଲାପାଳଙ୍କ ଜନଶୁଣାଣିରେ ଉଠିଲା ପ୍ରସଙ୍ଗ

ଆଟିଗାଁ ଗ୍ରାମ ପଞ୍ଚାୟତରେ ଜଳ ସଙ୍କଟ ଓ ଅଚଳ ଷ୍ଟ୍ରିଟ୍ ଲାଇଟ୍: ଉପଜିଲ୍ଲାପାଳଙ୍କ ଜନଶୁଣାଣିରେ ଉଠିଲା ପ୍ରସଙ୍ଗ

ଜୁନାଗଡ଼, ୩୦/୭: (ମନୀ ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ଗ୍ରାମ ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗି ରହିଥିବା ରାସ୍ତା ବତି (ଷ୍ଟ୍ରିଟ୍ ଲାଇଟ୍) ସମସ୍ୟା ଏବଂ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଅଭାବକୁ ନେଇ ଗୋଲାମୁଣ୍ଡାଠାରେ ଆୟୋଜିତ ଉପଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ବିସ୍ତୃତ ଦାବିପତ୍ର ଦାଖଲ କରାଯାଇଛି।

ଆଟିଗାଁ ଗ୍ରାମ ପଞ୍ଚାୟତର ବାସିନ୍ଦା ଡ଼. ଲୋକେଶ ଦୁର୍ଗା ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳ ମହୋଦୟାଙ୍କୁ ଦାବିପତ୍ର ପ୍ରଦାନ କରି ପଞ୍ଚାୟତ ଅନ୍ତର୍ଗତ ମିଚାଗାଁ, ବାଗଡୁଙ୍ଗୁରି, କାନ୍ଦୁଲଗୁଡା, ଆଟିଗାଁ ସମେତ ଦରଲିପଡ଼ା ଓ ମାଲପଡ଼ାରେ ମୌଳିକ ଜନସେବାର ଦୟନୀୟ ସ୍ଥିତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଞ୍ଚାୟତର ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଛି କିମ୍ବା ଆବଶ୍ୟକ ସ୍ଥାନରେ ସ୍ଥାପନ କରାଯାଇନାହିଁ। ଫଳରେ ରାତ୍ରି ସମୟରେ ମହିଳା, ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏବଂ ସାଧାରଣ ଲୋକଙ୍କ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ବିଶେଷକରି ବର୍ଷା ଋତୁରେ ଅନ୍ଧକାର, ରାସ୍ତାରେ ପାଣି ଜମି ରହିବା ଓ ସାପ କାମୁଡ଼ା ଭଳି ବିପଦର ଆଶଙ୍କା ବହୁଗୁଣ ବୃଦ୍ଧି ପାଉଥିବା କଥା ଦାବିପତ୍ରରେ ଦର୍ଶାଯାଇଛି।

ସେହିପରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ଅନିୟମିତତା ଓ ଅପର୍ଯ୍ୟାପ୍ତତାକୁ ମଧ୍ୟ ଗୁରୁତ୍ୱର ସହ ଉଠାଯାଇଛି। ଅଭିଯୋଗ ଅନୁସାରେ, ଦିନକୁ ମାତ୍ର ଅଳ୍ପ ସମୟ ପାଇଁ ପାଣି ଯୋଗାଣ ହେଉଥିବା ବେଳେ ବାଗଡୁଙ୍ଗୁରି, କାନ୍ଦୁଲଗୁଡା, ଦରଲିପଡ଼ା, ମାଲପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ନିୟମିତ ପାଇପ୍ ଜଳ ଯୋଗାଣ ହେଉନାହିଁ।

ଦାବିପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ହାଣ୍ଡପମ୍ପ ଜଳର TDS ପରିମାଣ ୫୦୦ ppmରୁ ଅଧିକ ଏବଂ ପାଇପ୍ ଜଳର TDS ୩୦୦ ppmରୁ ଅଧିକ ଥିବାରୁ ଅନେକ ପରିବାର ବାଧ୍ୟ ହୋଇ RO ପାନୀୟ ଜଳ କ୍ରୟ କରୁଛନ୍ତି। ସ୍ଥାନୀୟ ସ୍ତରରେ କିଡନୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଥିବାରୁ ପାନୀୟ ଜଳର ବୈଜ୍ଞାନିକ ପରୀକ୍ଷା କରି ସରକାରୀ ମାନଦଣ୍ଡ ଅନୁଯାୟୀ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।

ଦାବିପତ୍ରରେ ଅଚଳ ଷ୍ଟ୍ରିଟ୍ ଲାଇଟ୍‌ର ତୁରନ୍ତ ମରାମତି, ଆବଶ୍ୟକ ସ୍ଥାନରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ, ସମସ୍ତ ଗ୍ରାମ ଓ ସାହିକୁ ନିୟମିତ ଏବଂ ପର୍ଯ୍ୟାପ୍ତ ପାଇପ୍ ଜଳ ଯୋଗାଣ, ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ଏବଂ ସମ୍ପୃକ୍ତ ବିଭାଗ ମାଧ୍ୟମରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଡ଼. ଲୋକେଶ ଦୁର୍ଗା କହିଛନ୍ତି ଯେ, ବିଶୁଦ୍ଧ ପାନୀୟ ଜଳ ଓ ରାସ୍ତା ଆଲୋକ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର। ଜନସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ଏହି ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

Sunil Chandra Nayak

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

masiha

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!