‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର:(ତା. ୧୦୯.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଆସନ୍ତା ସ୍ୱାଧୀନତା ଦିବସ–୨୦୨୬କୁ ଉତ୍ସାହ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସହ ପାଳନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ‘ହର ଘର ତ୍ରିରଙ୍ଗା’ ଏବଂ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବିଶ୍ୱଜିତ୍ ବର୍ମନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ। ଏହି ଅଭିଯାନକୁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ସହ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ବୋଲି ମତ ରଖିଥିଲେ lଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ଏକତା, ଦେଶପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନ ଭାବନାକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀ, ଯୁବପିଢ଼ି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସରକାରୀ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ କରିବା।ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ଆୟୋଜନ କରାଯିବ। ଜିଲ୍ଲା ପ୍ରଶାସନର ସମନ୍ୱୟରେ ସମ୍ପୃକ୍ତ ବିଭାଗ, ବ୍ଲକ୍ ପ୍ରଶାସନ, ପୌର ପ୍ରଶାସନ, ଶିକ୍ଷାନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସାମାଜିକ ସଂଗଠନର ସହଯୋଗରେ କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେବ।ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ କାର୍ଯ୍ୟକ୍ରମର ସମନ୍ୱୟ, ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଓ ଜନସହଭାଗିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ପତାକାଗୁଡ଼ିକ ଅଗଷ୍ଟ ୦୮ ତାରିଖ ସୁଦ୍ଧା ସମସ୍ତ ସମ୍ପୃକ୍ତ ବ୍ଲକ୍ ଓ ପୌର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚାଇ ଦିଆଯାଇଛି। ଏହି ପତାକାଗୁଡ଼ିକୁ ଜନସାଧାରଣଙ୍କ ମଧ୍ୟରେ ଉପଲବ୍ଧ କରାଯାଇ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରାଯିବ।ଆସନ୍ତାକାଲି ୧୦ ଅଗଷ୍ଟ ସକାଳ ୭.୦୦ ଘ ସମୟରେ ସ୍ଥାନୀୟ ଡ. ସଦାଶିବ ପାର୍କଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଏଥିରେ ପ୍ରାୟ ୪,୦୦୦ରୁ ୫,୦୦୦ ଛାତ୍ରଛାତ୍ରୀ, ଶିକ୍ଷକ, ସରକାରୀ କର୍ମଚାରୀ, ଯୁବବର୍ଗ ଓ ସାଧାରଣ ନାଗରିକ ଯୋଗ ଦେବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ WSHG ମହିଳା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତ୍ରିରଙ୍ଗା ଥିମ୍ ଆଧାରିତ ଆକର୍ଷଣୀୟ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜନ କରାଯିବ।ଆସନ୍ତା ୧୨ ଅଗଷ୍ଟ ସକାଳ ୭.୦୦ ଘ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ସହରର ପ୍ରମୁଖ ରାସ୍ତାରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଆୟୋଜିତ ହେବ। ଶୋଭାଯାତ୍ରା ସମୟରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଟ୍ରାଫିକ୍ ନିୟମ ଓ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ପାଳନ କରାଯିବ।ଆସନ୍ତା ୧୪ ଅଗଷ୍ଟ ରେ ନବରଙ୍ଗପୁର ନୋଡାଲ ମହାବିଦ୍ୟାଳୟଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ଏହି ଅବସରରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ଓ ସନ୍ଧ୍ୟା ସମୟରେ କ୍ୟାଣ୍ଡେଲ୍ ମାର୍ଚ୍ଚ ଆୟୋଜନ କରାଯିବ। ବିଭାଜନ ସମୟରେ ଜୀବନ ହରାଇଥିବା ଓ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ସହ ଯୁବପିଢ଼ିଙ୍କୁ ଏହି ଐତିହାସିକ ଘଟଣା ସମ୍ପର୍କରେ ସଚେତନ କରାଯିବ।ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ସରକାରୀ କୋଠା, ଡାକ୍ତରଖାନା, ପ୍ରମୁଖ ଛକ, ପ୍ରତିମୂର୍ତ୍ତି ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ତ୍ରିରଙ୍ଗା ଆଲୋକମାଳା, ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜାରେ ସୁସଜ୍ଜିତ କରାଯିବ।କାର୍ଯ୍ୟକ୍ରମଗୁଡ଼ିକର ସୁରକ୍ଷିତ ଓ ଶୃଙ୍ଖଳିତ ପରିଚାଳନା ପାଇଁ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ବ୍ୟବସ୍ଥା କରାଯିବ। ଏହାସହ ଅଗ୍ନି ନିରାପତ୍ତା, ଆମ୍ବୁଲାନ୍ସ, ଚିକିତ୍ସା ସେବା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଭଳି ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।‘ହର ଘର ତ୍ରିରଙ୍ଗା’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ; ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ଦେଶପ୍ରେମ, ଜାତୀୟ ଗୌରବ ଓ ଏକତାର ପ୍ରତୀକ। ତେଣୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ଯୁବବର୍ଗ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଉଛି । ଅତିରିକ୍ତ ଜିଲ୍ଲପାଳ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ର ବାର୍ତ୍ତାକୁ ଜିଲ୍ଲାର ପ୍ରତ୍ୟେକ ଘର ଓ ପରିବାରରେ ପହଞ୍ଚାଇବାରେ ଗଣମାଧ୍ୟମର ସକ୍ରିୟ ସହଯୋଗ କାମନା କରିଥିଲେ।ସମ୍ମିଳନୀରେ ଜିଲ୍ଲା ସ୍ତରୀୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପ୍ରତିନିଧି ଙ୍କ ସହ ଉପ ଜିଲ୍ଲାପାଳ ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

