ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି
ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

ରାୟଗଡ଼ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ପାଇଁ ୧୫ ଜଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ତେବେ ଏହି ନିଯୁକ୍ତିର ସବୁଠାରୁ ବଡ଼ ଓ ଚର୍ଚ୍ଚିତ ଦିଗ ହେଉଛି ରାୟଗଡ଼ା ଜିଲ୍ଲାରେ ପ୍ରଥମଥର ପାଇଁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇଥିବା ୧୫ଜଣ ଶିକ୍ଷକଙ୍କୁ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଶିକ୍ଷକମାନଙ୍କୁ ୧୫ ଦିନ ମଧ୍ୟରେ ନିଜ ନିଜ ନିଯୁକ୍ତିସ୍ଥଳରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସେକ ତାରିଫ ନାମକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସ୍ଥାୟୀ ସରକାରୀ ନିଯୁକ୍ତି ମିଳିବା ଜିଲ୍ଲା ପାଇଁ ଏକ ଐତିହାସିକ ଘଟଣା ଭାବେ ବିବେଚିତ ହେଉଛି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ନିଜର ଯୋଗ୍ୟତା, ଜ୍ଞାନ ଓ ଦକ୍ଷତା ଆଧାରରେ ସରକାରୀ ଶିକ୍ଷକ ଭାବେ ସ୍ଥାୟୀ ନିଯୁକ୍ତି ପାଇବା ଅନ୍ୟ ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ପାଲଟିଛି। ଏହି ନିଯୁକ୍ତି କେବଳ ଜଣେ ଶିକ୍ଷକଙ୍କ ଚାକିରି ପ୍ରାପ୍ତିର ଘଟଣା ନୁହେଁ; ବରଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସମାନ ଅଧିକାର, ସମାନ ସୁଯୋଗ ଓ ଯୋଗ୍ୟତା ଆଧାରିତ ନିଯୁକ୍ତିର ଏକ ସକାରାତ୍ମକ ଉଦାହରଣ। ଦିବ୍ୟାଙ୍ଗତା ଦକ୍ଷତାର ପ୍ରତିବନ୍ଧକ ନୁହେଁ ଏହି ନିଯୁକ୍ତି ଏହାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ଅନ୍ୟପକ୍ଷରେ ୮୦ତମ ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଅଧ୍ୟାପକ କାମାକ୍ଷୀ ପ୍ରସାଦ ଦାଶଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସଫଳତା ପାଇଁ ପୁରସ୍କୃତ କରାଯାଉଥିବା ସମୟରେ ଜିଲ୍ଲାରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଶିକ୍ଷକ ଭାବେ ସ୍ଥାୟୀ ନିଯୁକ୍ତି ପାଇବା ଶିକ୍ଷା କ୍ଷେତ୍ର ପାଇଁ ଆହୁରି ଉତ୍ସାହଜନକ ବିଷୟ ବୋଲି ମତ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ରାୟଗଡ଼ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସ୍ଥାୟୀ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା। ଏହାର ପ୍ରଭାବ ଶିକ୍ଷାଦାନ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ମଧ୍ୟ ପଡ଼ୁଥିଲା। ଖାଲି ପଦବୀଗୁଡ଼ିକ ପୂରଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଥିଲା। ସରକାରଙ୍କ ଚୟନ ପ୍ରକ୍ରିୟା ମାଧ୍ୟମରେ ୧୪ ଜଣ ଶିକ୍ଷକଙ୍କ ନିଯୁକ୍ତି ସମ୍ଭବ ହୋଇଛିଏହି ନିଯୁକ୍ତିରେ ଟିଜିଟି କଳା ଶିକ୍ଷକ ୪ଜଣ, ହିନ୍ଦୀ ଶିକ୍ଷକ ୭ ଜଣ ଏବଂ ସଂସ୍କୃତ ଶିକ୍ଷକ ୪ଜଣ ନିଯୁକ୍ତି ହୋଇଥିବାରୁ ରାୟଗଡ଼ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଖୁସି ପ୍ରକାଶ କରିଛନ୍ତି। ନୂତନ ଶିକ୍ଷକମାନେ ଯୋଗଦେବା ପରେ ଆବାସିକ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନବନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ ନିଜ ନିଯୁକ୍ତିସ୍ଥଳରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିବାକୁ ଶ୍ରୀମତୀ ରାଓ ପରାମର୍ଶ ଦେଇଛନ୍ତି। ବିଶେଷକରି ଦୃଷ୍ଟିବାଧିତ ଶିକ୍ଷକଙ୍କ ଏହି ନିଯୁକ୍ତି ରାୟଗଡ଼ା ଜିଲ୍ଲାରେ ଦିବ୍ୟାଙ୍ଗ ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଯୋଗ୍ୟତା ଓ ଦକ୍ଷତା ଥିଲେ ଦୃଷ୍ଟିବାଧିତ ବ୍ୟକ୍ତି ମଧ୍ୟ ଶିକ୍ଷକ ଭାବେ ସଫଳତାର ସହ ଦାୟିତ୍ୱ ତୁଲିପାରିବେ ଏହି ନିଯୁକ୍ତି ତାହାର ଏକ ଦୃଢ଼ ଉଦାହରଣ ହୋଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଆଲମଣ୍ଡା ବ୍ରିଜ କାମ , ଆନ୍ଧ୍ର କୁ ରାସ୍ତା ଖୋଲିବ , ସ୍ବାସ୍ଥ୍ୟ ସେବା ଓ ବାଣିଜ୍ୟ ର ସୁଯୋଗ ପାଇବେ ଅଞ୍ଚଳବାସୀ

Sunil Chandra Nayak

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

Leave a Comment

error: Content is protected !!