ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ 

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ 

ନବରଂଗପୁର:( ତା ୨୦.୮.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ତଦାରଖ ପାଇଁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରିଛନ୍ତି।ଜିଲ୍ଲାପାଳ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦିଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରି ସେମାନଙ୍କର ପାଠପଢ଼ା, ଶିକ୍ଷାଗତ ଅଗ୍ରଗତି ଓ ବିଦ୍ୟାଳୟରେ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାଥମିକ ସ୍ତରରେ ଶିଶୁମାନଙ୍କର ମଜବୁତ ଭିତ୍ତିଭୂମି ସୃଷ୍ଟି ପାଇଁ ଗୁଣାତ୍ମକ ଓ ଶିଶୁକେନ୍ଦ୍ରିକ ଶିକ୍ଷାଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ରୋଷେଇଘର ପରିଦର୍ଶନ କରି ସ୍ୱଚ୍ଛତା, ପରିମଳ ଓ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ, ପୁଷ୍ଟିକର ଓ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ଯୋଗାଇବା ସହିତ ରୋଷେଇଘର ଓ ଏହାର ପରିବେଶକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା କରି ଶିକ୍ଷାଦାନର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।ପରେ ଜିଲ୍ଲାପାଳ ସାନମୋସିଗାଁ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିଦର୍ଶନ କରି ସେଠାରେ ରୋଗୀ ସେବାର ସ୍ଥିତି ସମୀକ୍ଷା କରିଥିଲେ। ସେ ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ମିଳୁଥିବା ସେବା, ଆବଶ୍ୟକ ସୁବିଧା ଏବଂ ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନେ ପାଉଥିବା ଚିକିତ୍ସା ଓ ଅନ୍ୟାନ୍ୟ ସେବା ସମ୍ପର୍କରେ ମତାମତ ନେଇଥିଲେ।ଜିଲ୍ଲାପାଳ ସିଏଚ୍‌ସିର କେନ୍ଦ୍ରୀୟ ଔଷଧ ଭଣ୍ଡାର ମଧ୍ୟ ନିରୀକ୍ଷଣ କରି ଆବଶ୍ୟକୀୟ ଔଷଧର ଉପଲବ୍ଧତା ଓ ମହଜୁଦ ପରିମାଣ ଯାଞ୍ଚ କରିଥିଲେ। ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଆବଶ୍ୟକୀୟ ଔଷଧର ଅଭାବ ନ ହୁଏ, ସେଥିପାଇଁ ନିୟମିତ ଭାବେ ଔଷଧ ମହଜୁଦ ସ୍ଥିତି ଯାଞ୍ଚ କରି ଆବଶ୍ୟକତା ଅନୁଯାୟୀ ପୂର୍ବରୁ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ଏହାପରେ ଜିଲ୍ଲାପାଳ ସାନମୋସିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠପଢ଼ା ଓ ଶିକ୍ଷାଦାନ ସମ୍ପର୍କରେ ମତାମତ ନେଇଥିଲେ। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇଘରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ।ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ସମୟରେ ଜିଲ୍ଲାପାଳ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି, ନିୟମିତ ଉପସ୍ଥାନ ଏବଂ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କର ନୈତିକ, ସାମାଜିକ ଓ ସୃଜନଶୀଳ ବିକାଶ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି ଆକସ୍ମିକ ପରିଦର୍ଶନ ମାଧ୍ୟମରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସେବାଗୁଡ଼ିକର ଗୁଣବତ୍ତା ଏବଂ ସୁଚାରୁ ପରିଚାଳନାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ସ୍ପଷ୍ଟ କରିଛନ୍ତି। ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ସରକାରୀ ସେବାର ସର୍ବୋତ୍ତମ ସୁବିଧା ପହଞ୍ଚାଇବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ଦାୟିତ୍ୱବୋଧ ଓ ସମନ୍ୱୟର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ

masiha

ବିଜାତଳା ଲାମ୍ପରେ ନାଫେଡ ବିଧାୟକଙ୍କ ଦ୍ବାରା ଉଦଘାଟିତ

Sunil Chandra Nayak

ଗଛ ପଡି ରାସ୍ତା ଅବରୋଧ 

masiha

Leave a Comment

error: Content is protected !!