ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କରାଇଲା ବନବିଭାଗ
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କରାଇଛି ହିନ୍ଦୋଳ ବନବିଭାଗ। ଖବରରୁ ପ୍ରକାଶ ହିନ୍ଦୋଳ ବନାଞ୍ଚଳରେ ତିନିଦିନ ତଳେ ହାତୀ ଦଳ ଭିତରେ ହାତୀ-ହାତୀ ଲଢେଇ ହେବାରୁ ଦନ୍ତା ହାତୀର ଦାନ୍ତ ବାଜି ଆଉ ଏକ ଦନ୍ତା ହାତୀ ଆହତ ହୋଇଥିଲା।ତେବେ ହିନ୍ଦୋଳ ବନବିଭାଗ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କ ନେତୃତ୍ୱରେ ବନବିଭାଗ ଟିମ ହାତୀକୁ ଟ୍ରାକିଙ୍ଗ କରି ଖଜୁରିଆକଟା ସେକ୍ସନ ଦୁଦୁରକୋଟ ନିକଟ ଜଙ୍ଗଲରେ ଠାବ କରିବାସହ ଆଜି ଚିକିତ୍ସା କରାଇଛନ୍ତି। କପିଳାସ ସ୍ଥିତ ବନବିଭାଗର ରାପିଡ଼ ରେସ୍ପନସ ଟିମର ଡାକ୍ତର ହରିଙ୍କ ନେତୃତ୍ୱରେ ଡାକ୍ତରି ଟିମ ଆସି ଚିକିତ୍ସା ଜାରି ରଖିଛନ୍ତି।ହିନ୍ଦୋଳ ବନବିଭାଗ ଅଧିକାରୀ ତ୍ରିଲୋଚନ ଦେହୁରୀ,ଫରେଷ୍ଟ ଗାର୍ଡ ନିକୁଞ୍ଜ ମହାରଣା,ହାତୀ ସ୍କ୍ୱାର୍ଡ ଓ ବନକର୍ମଚାରୀ ଏହି ଚିକିତ୍ସା ସମୟରେ ଉପସ୍ଥିତ ରହିଥିବାବେଳେ ହାତିଟି ଖୁବଶୀଘ୍ର ସୁସ୍ଥ ହୋଇଯିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।
ଢେଙ୍କାନାଳ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ
ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ, ଅଗ୍ରଗତି ଓ ଲୋକଙ୍କ ନିକଟରେ ଏହାର ସୁଫଳ ପହଞ୍ଚିବା ନେଇ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରୀକ୍ଷଣ କମିଟି (ଦିଶା) ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ବୈଠକରେ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ନିରନ୍ତର ଓ ସମନ୍ୱିତ ଉଦ୍ୟମ କରିବାକୁ ସାଂସଦ ଶ୍ରୀ ପାଣି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ, ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ଆଇଏସ ପ୍ରୋବେସନର ସୁଧା ଚୌହାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ବ୍ଲକ, ଏନଏସି ଏବଂ ମୁନିସିପାଲିଟି ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ।
ଦିଶା ବୈଠକ ପରେ ଜିଲ୍ଲା ବିଦ୍ୟୁତ କମିଟିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ, ଭିତ୍ତିଭୂମି ବିକାଶ ଏବଂ ଜନସାଧାରଣଙ୍କ ସୁବିଧାକୁ କେନ୍ଦ୍ର କରି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅତିଥିମାନଙ୍କୁ ଅବଗତ କରାଇଥିଲେ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

