ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମୋ ଗାଆଁ ନଈ

ମୋ ଗାଆଁ ନଈ

ବେଣୁଧର ସୂତାର

 

ତାରୁଣ୍ୟହସର ମଧୁର ଝଲକ                  

ଅନ୍ତରଙ୍ଗତାର ମହକ ମାଖି                

ଉଦାରପଣର ମୁଗ୍ଧ ଅଭିଲେଖ               

ସମୟ ପୃଷ୍ଠାରେ ଦେଇଛି ଲେଖି ।

 

ମୌସୁମୀପ୍ରେମର ସୁଖ ବରଷାରେ        

ପ୍ରେମ ପ୍ରଣୟର ମହ୍ଲାର ତୋଳେ         

ଚାନ୍ଦିନୀ ଗାଧୁଆ ରାତିର ଛାତିରୁ     

ଜୋଛନା ଚୋରାଇ ଚଞ୍ଚଳ ଚଳେ  

             

ଅନ୍ତଃସ୍ବରେ ଭରି ପ୍ରୀତିର ମୂର୍ଛନା        

ନବରସେ ନବ ଚପଳଛନ୍ଦେ       

ଫେନୀଳ ସଲିଳା ଚରୁତଟିନୀ ମୁଁ    

ପୁଲକଇ ମନ ଦିବ୍ୟ ଆନନ୍ଦେ ।

        

ତ୍ୟାଗମନ୍ତ୍ର ମୋର ଜୀବନ ସମ୍ଭାର    

ନିବିଡ଼ ବନ୍ଧନ ମମତା ମୂଲ  

ମନ ମାଦକର କାଉଁରୀ କହୁକ  

ଆଶା ଭରସାର ସପନ ଫୁଲ ।

 

ଲତାରବେଣୀରେ 

                  ଫୁଲଚାହାଣୀ ରେ      

ଘନ ବନ ଘେରା ଶଇଳ ମାଳା        

ଆଙ୍କିଅଛି ମୋର ଚିତ୍ର ଅବୟବ        

ପିନ୍ଧାଇ ଦେଇଛି ଚାରୁ ମେଖଳା ।

       

ଦୁର୍ଗମ ବନ୍ଧୁର ଜୀବନ ପଥ ମୋ  

ଶୂନ୍ୟତାର କେତେ ବେଦନା ବୋଧ       

କର୍ତ୍ତବ୍ୟରେ ବନ୍ଧା ମୁଁ ଚପଳଛନ୍ଦା        

ସଙ୍ଘର୍ଷପଥ ମୋ କରିନି ରୋଧ ।

      

ତୀରବାସୀ ଙ୍କର ଜୀବନ ଆଧାର     

ଶୁଭ ଆଶିଷର ସୌଭାଗ୍ୟ ମଣି    

କର୍ମ ପୁଣ୍ୟବଳେ ଏଭବ ଶୟଳେ 

ରଚେ ମମତାର ମିଠା କାହାଣୀ ।

     

ଅନୁରାଗ ଭରା ପ୍ରକୃତି ପସରା   

ଝରାଇଛି ପ୍ରାଣେ ପ୍ରେମର ବିନ୍ଦୁ       

ପ୍ରେମ ପ୍ରଣୟର ଉଛୁଳା ଝଙ୍କାର     

ମହା ମିଳନର ସପନ ସିନ୍ଧୁ ।

          

ଗହଳ ମନର ବହଳ ବିଶ୍ବାସେ     

ତୀର ବାସୀଙ୍କର ମୁଁ ପୁଣ୍ୟସ୍ରୋତା     

ମାଟି ମଟାଳର ପୁଣ୍ୟ ପରିଧି ରେ     

ବାଣ୍ଟୁ ଅଛି ସ୍ନେହ ସୁଧା ମମତା ।

           

ତଟବାସୀଙ୍କର ମମତା ମଧୁର   

ଅମୃତ ବୋଳାସେ ନାମଟି ପାଇ     

ବିତରି ଦେଇଛି ସୁଖ ପୀୟୂଷ ମୁଁ 

ମଙ୍ଗଳମୟୀ ମୁଁ ମୋ ଗାଆଁ ନଈ ।

     

ଅମିତ ତ୍ୟାଗର ମୁଗ୍ଧ ମହକରେ      

ମିଳିଅଛି ମୋତେ ଶ୍ରଦ୍ଧା ସମ୍ମାନ      

କୁଳୁକୁଳୁ ଗାଇ ମାଟିର କବିତା    

ବିଶ୍ବାସେ ଭରିଛି ବିଶ୍ବ ଜୀବନ ।

କେଶଦୁରାପାଳ କେନ୍ଦୁଝର

 

Related posts

ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ  ଲଡୁଗାଁ ରେ କଳସ ଯାତ୍ରା 

Sunil Chandra Nayak

ସାଗର ସାହିତ୍ୟ ସଂସଦ ର ଅମୃତ ମହୋତ୍ସବ ଏବଂ ରକ୍ଷାବନ୍ଧନ କବିତା ଆସର

Sunil Chandra Nayak

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!