ମୋ ଗାଆଁ ନଈ
ବେଣୁଧର ସୂତାର
ତାରୁଣ୍ୟହସର ମଧୁର ଝଲକ
ଅନ୍ତରଙ୍ଗତାର ମହକ ମାଖି
ଉଦାରପଣର ମୁଗ୍ଧ ଅଭିଲେଖ
ସମୟ ପୃଷ୍ଠାରେ ଦେଇଛି ଲେଖି ।
ମୌସୁମୀପ୍ରେମର ସୁଖ ବରଷାରେ
ପ୍ରେମ ପ୍ରଣୟର ମହ୍ଲାର ତୋଳେ
ଚାନ୍ଦିନୀ ଗାଧୁଆ ରାତିର ଛାତିରୁ
ଜୋଛନା ଚୋରାଇ ଚଞ୍ଚଳ ଚଳେ
ଅନ୍ତଃସ୍ବରେ ଭରି ପ୍ରୀତିର ମୂର୍ଛନା
ନବରସେ ନବ ଚପଳଛନ୍ଦେ
ଫେନୀଳ ସଲିଳା ଚରୁତଟିନୀ ମୁଁ
ପୁଲକଇ ମନ ଦିବ୍ୟ ଆନନ୍ଦେ ।
ତ୍ୟାଗମନ୍ତ୍ର ମୋର ଜୀବନ ସମ୍ଭାର
ନିବିଡ଼ ବନ୍ଧନ ମମତା ମୂଲ
ମନ ମାଦକର କାଉଁରୀ କହୁକ
ଆଶା ଭରସାର ସପନ ଫୁଲ ।
ଲତାରବେଣୀରେ
ଫୁଲଚାହାଣୀ ରେ
ଘନ ବନ ଘେରା ଶଇଳ ମାଳା
ଆଙ୍କିଅଛି ମୋର ଚିତ୍ର ଅବୟବ
ପିନ୍ଧାଇ ଦେଇଛି ଚାରୁ ମେଖଳା ।
ଦୁର୍ଗମ ବନ୍ଧୁର ଜୀବନ ପଥ ମୋ
ଶୂନ୍ୟତାର କେତେ ବେଦନା ବୋଧ
କର୍ତ୍ତବ୍ୟରେ ବନ୍ଧା ମୁଁ ଚପଳଛନ୍ଦା
ସଙ୍ଘର୍ଷପଥ ମୋ କରିନି ରୋଧ ।
ତୀରବାସୀ ଙ୍କର ଜୀବନ ଆଧାର
ଶୁଭ ଆଶିଷର ସୌଭାଗ୍ୟ ମଣି
କର୍ମ ପୁଣ୍ୟବଳେ ଏଭବ ଶୟଳେ
ରଚେ ମମତାର ମିଠା କାହାଣୀ ।
ଅନୁରାଗ ଭରା ପ୍ରକୃତି ପସରା
ଝରାଇଛି ପ୍ରାଣେ ପ୍ରେମର ବିନ୍ଦୁ
ପ୍ରେମ ପ୍ରଣୟର ଉଛୁଳା ଝଙ୍କାର
ମହା ମିଳନର ସପନ ସିନ୍ଧୁ ।
ଗହଳ ମନର ବହଳ ବିଶ୍ବାସେ
ତୀର ବାସୀଙ୍କର ମୁଁ ପୁଣ୍ୟସ୍ରୋତା
ମାଟି ମଟାଳର ପୁଣ୍ୟ ପରିଧି ରେ
ବାଣ୍ଟୁ ଅଛି ସ୍ନେହ ସୁଧା ମମତା ।
ତଟବାସୀଙ୍କର ମମତା ମଧୁର
ଅମୃତ ବୋଳାସେ ନାମଟି ପାଇ
ବିତରି ଦେଇଛି ସୁଖ ପୀୟୂଷ ମୁଁ
ମଙ୍ଗଳମୟୀ ମୁଁ ମୋ ଗାଆଁ ନଈ ।
ଅମିତ ତ୍ୟାଗର ମୁଗ୍ଧ ମହକରେ
ମିଳିଅଛି ମୋତେ ଶ୍ରଦ୍ଧା ସମ୍ମାନ
କୁଳୁକୁଳୁ ଗାଇ ମାଟିର କବିତା
ବିଶ୍ବାସେ ଭରିଛି ବିଶ୍ବ ଜୀବନ ।
କେଶଦୁରାପାଳ କେନ୍ଦୁଝର