ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

ବ୍ରହ୍ମପୁର, ୨୨/୦୮ ବ୍ରହ୍ମପୁର ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଳ ସଂଘ ନିର୍ବାଚନକୁ ନେଇ ତତ୍ପରତା ବଢ଼ିଛି। ନାମାଙ୍କନ ଦାଖଲର ଶେଷ ଦିନ ଶନିବାର, ସଭାପତି ପଦ ପାଇଁ ନୟନ ରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱାଧୀନ ୧୧ଜଣିଆ ଟିମ୍ ଶତାଧିକ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କରିଛି। ନୟନ ରଞ୍ଜନ ଆଚାର୍ଯ୍ୟ ଓ ତାଙ୍କ ଟିମ୍ ପ୍ରଥମେ ବିଜିପୁର କାଳୀ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିଥିଲେ। ପରେ ଶତାଧିକ ସମର୍ଥକଙ୍କୁ ସାଥୀ କରି ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଡିପିଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଟିମ୍‌ର ସମସ୍ତ ପ୍ରାର୍ଥୀ ନିଜ ନିଜ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ୨ଜଣ ସହାୟକ ସମ୍ପାଦକ ଏବଂ ୫ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ସମେତ ମୋଟ ୧୧ଟି ପଦବୀ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ନୟନ ରଞ୍ଜନ ଆଚାର୍ଯ୍ୟ ସଭାପତି ପଦ ପାଇଁ ଏବଂ କୃଷ୍ଣ ସେଠୀ ସମ୍ପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ଶ୍ରୀକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ପଦ ପାଇଁ ଏ. ଶ୍ରୀନିବାସ ପାତ୍ର, ସହାୟକ ସମ୍ପାଦକ ପଦ ପାଇଁ ରାଜୀବ ଲୋଚନ ସ୍ୱାଇଁ ଓ କୁନାଲ ମଲ୍ଲିକ ନାମାଙ୍କନ ଦାଖଲ କରିଛନ୍ତି। ଏଥିସହ ୫ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ମଧ୍ୟ ଟିମ୍‌ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି । ୨୦ ଅଗଷ୍ଟରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଆସନ୍ତା ୨୩ ଅଗଷ୍ଟରେ ନାମାଙ୍କନପତ୍ର ଯାଞ୍ଚ, ୨୪ ଅଗଷ୍ଟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୨୫ ଅଗଷ୍ଟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

୨୯ ଅଗଷ୍ଟ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମତଦାନ ହେବ। jମତଦାନ ପରେ ଭୋଟବାକ୍ସ ଡିପିଓ କାର୍ଯ୍ୟାଳୟରେ ଗ୍ରହଣ କରାଯିବ। ଏହାପରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ନବନିର୍ବାଚିତ ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହ ୩୧ ଅଗଷ୍ଟରେ ଅନୁଷ୍ଠିତ ହେବ। ନିର୍ବାଚନର ସୁଚାରୁ ପରିଚାଳନା ପାଇଁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍., ଆଇପିଏସ୍‌ଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ପିସିଆର୍ ସେଲ୍ ଡିଏସ୍‌ପି ରଶ୍ମି ରଞ୍ଜନ ଦାଶଙ୍କୁ ରିଟର୍ଣ୍ଣିଂ ଅଫିସର, ରିଜର୍ଭ ଇନ୍ସପେକ୍ଟର ବୀରସିଂହ ସାବରଙ୍କୁ ପ୍ରିଜାଇଡିଂ ଅଫିସର ଏବଂ ଏସ୍‌ଆଇ ସୁଧାଂଶୁ ଶେଖର ଦାସଙ୍କୁ ପୋଲିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।ନିର୍ବାଚନ ଘୋଷଣା ପରଠାରୁ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମୁଖ୍ୟତଃ ନୟନ ରଞ୍ଜନ ଆଚାର୍ଯ୍ୟଙ୍କ ଟିମ୍ ଏବଂ ପ୍ରଶାନ୍ତ କୁମାର ମାର୍ଥାଙ୍କ ଟିମ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଟିମ୍ ନିଜ ନିଜ ସମର୍ଥନ ମଜବୁତ କରିବା ସହ ପ୍ରଚାର ଓ ସମର୍ଥନ ସଂଗ୍ରହରେ ଲାଗିପଡ଼ିଛନ୍ତି। ଚଳିତ ବର୍ଷ ଏହି ନିର୍ବାଚନରେ ୭୯୦ରୁ ଊର୍ଦ୍ଧ୍ୱ ଭୋଟର ରହିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୨୯ ଅଗଷ୍ଟରେ ହେବାକୁ ଥିବା ମତଦାନରେ ଉଭୟ ଟିମ୍ ମଧ୍ୟରେ କଡ଼ା ଟକ୍କର ହେବା ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତ ବର୍ଷ ବିପୁଳ ପରିମାଣରେ ନୟନ ଟିମ୍ ବିଜୟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବିଜୟ କରିବେ ବୋଲି ଆଶା ରଖିଛନ୍ତି ନୟନ ଓ ତାଙ୍କ ଟିମ୍ ।

Related posts

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

ହରିପୁର ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!