ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ତଥା ସମୟୋଚିତ ସମାଧାନ ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି, ବନଖଣ୍ଡ ଅଧିକାରୀ ଶ୍ରୀ ଉଦୟନ୍ ସୁବୁଦ୍ଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ଆଜିର ଶିବିରରେ ମୋଟ ୪୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୦ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ସହିତ ବିଭିନ୍ନ ସାମୂହିକ ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ବିଷୟ ଉପସ୍ଥାପିତ ହୋଇଥିଲା।ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ସହିତ ଅଭିଯୋଗର ପ୍ରକୃତି ଓ ତଥ୍ୟ ଅନୁଧ୍ୟାନ କରିଥିଲେ। ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ କରି ତ୍ୱରିତ ଓ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଏଥିସହିତ, ପୋଲିସ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଶୁଣାଣି କରିଥିଲେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜନ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଜନସାଧାରଣ ସେମାନଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ସିଧାସଳଖ ଆଣିବା ସହିତ ଏହାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏପରି ଶିବିର ମାଧ୍ୟମରେ ଲୋକାଭିମୁଖୀ, ପାରଦର୍ଶୀ ଓ ଉତ୍ତରଦାୟୀ ପ୍ରଶାସନ ସୁନିଶ୍ଚିତ କରିବା ସହିତ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ନିରାକରଣ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଆସୁଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

