ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ନାମରେ ଅର୍ଥ ଠକେଇ ଅଭିଯୋଗ, ନାମ୍ପୋ ଫାଣ୍ଡିରେ ଅଭିଯୋଗ
ଜଳେଶ୍ଵର, ୧୦/ ୯ (ମନିସ): ବହୁ ସରକାରୀ ଜନହିତକର ପ୍ରକଳ୍ପର ସୁଫଳ ଜନସାଧାରଣଙ୍କ ପାଖରେ ପହଂଚି ପାରୁନାହିଁ । ବରଂ ସମାଜର କିଛି ଲୋକ ତାର ଦୁରୁପଯୋଗ କରି ଜନସାଧାରଣଙ୍କୁ ଠକେଇ ଶୋଷଣ କରୁଥିବାର ଦେଖିବାକୁ ମିଳୁଛି । ଏହିପରି ଏକ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା । ଯାହା ଦ୍ୱାରା ଜନସାଧାରଣ କମ ଅର୍ଥରେ ସରକାରୀ ସବ ସିଡି ଦ୍ୱାରା ସୋଲାର ଲଗାଇ ବିଦ୍ୟୁତ୍ ବିଲ କମାଇବା ସହିତ ଲାଭ ପାଇବା ପାଇଁ ସରକାର କରିଛନ୍ତି । ମାତ୍ର ବର୍ତମାନ ରାଜ୍ୟରେ ଏହି ସୂର୍ଯ୍ୟ ଘର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବହୁ ବେନାମୀ ସଂସ୍ଥା ବାହାରିଛି । ଯାହା ଦ୍ୱାରା ଲୋକେ ଯୋଜନାର ସୁଫଳ ପାଇବା ପରିବର୍ତେ ଅର୍ଥ ଶୋଷଣର କଷ୍ଟ ଭୋଗ କରିବା ସହିତ ଏହି ଯୋଜନା ବିଫଳ ହେବାରେ ଲାଗିଛି । ଏହିପରି ଏକ ଘଟଣାକୁ ନେଇ ନେତୁଆ ଗ୍ରାମର ମନୋରଂଜନ ପାତ୍ର ଜଳେଶ୍ୱର ଥାନା ଅଧୀନ ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ ଗତ ତା୧୬-୧୦-୨୦୨୫ରିଖରେ ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ଅଂଚଳର ଗୈାରାଙ୍ଗ ଦାସ ନାମକ ବ୍ୟକ୍ତିଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଭୁବନେଶ୍ୱରସ୍ଥିତ ଜୈନକ କମ୍ପାନୀ ଦ୍ୱାରା ଏକ ସୋଲାର ବସାଇବା ପାଇଁ ହିତାଧିକାରୀ ମନୋରଂଜନ ପାତ୍ରଙ୍କ ସହିତ କଥା ବାର୍ତ୍ତା କରିବା ସହିତ କମ୍ପାନୀର ମ୍ୟାନେଜର ଅରବିନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଇଥିଲେ । କଥାବାର୍ତା ପରେ ରାଇବଣିଆ ଥାନା ବେଗୁନିଆ ଅଂଚଳର ଶିବଶଙ୍କର ଦାସଙ୍କୁ ପଠାଇ କାଗଜପତ୍ର ସହିତ ନଗଦ ୨୧ହଜାର ୭୮୭ଟଙ୍କା ନେବା ସହିତ ସୁଗୋ ୟୁକୋ ବ୍ୟାଙ୍କ ଶାଖାରେ ତାଙ୍କ ନାମରେ ୧ଲକ୍ଷ ୮୯ ହଜାର ଟଙ୍କାର ଏକ ଋଣ କରି ସୋଲାର ପ୍ଲେଟ ଗୁଡିକ ବସାଇ ଦେଇଥିଲେ । ମାତ୍ର ଆଜିକୁ ୯ ମାସ ବିତି ଯାଇଥିଲେ ମଧ୍ୟ ସୋଲାର ସହିତ ବିଦ୍ୟୁତ୍ ସଂଯୋଗ କରୁ ନାହାନ୍ତି ବା ସୋଲାର କାର୍ଯ୍ୟକ୍ଷମ କରୁନାହାନ୍ତି । ବରଂ ମାସକୁ ମାସ ବ୍ୟାଙ୍କ ଖାତାରୁ ୨୦୯୯ଟଙ୍କା ଲେଖାଏଁ କଟିଯାଉଛି । ଉକ୍ତ କମ୍ପାନୀ ବା ଉକ୍ତ ବ୍ୟକ୍ତିମାନେ ଫୋନ ଉଠାଉ ନାହାନ୍ତି ବା କାର୍ଯ୍ୟ ବିଷୟରେ ବୁଝୁନାହାନ୍ତି । ପରେ ଜଣାପଡିଛି ଯେ ଏହିପରି ଜଳେଶ୍ୱର ଅଂଚଳରେ ବହୁ ଠକ ସଂସ୍ଥା ଖୋଲାଯାଇଛି ଏବଂ ଜଳେଶ୍ୱର ବ୍ଲକର ବିଭିନ୍ନ ପଂଚାୟତରେ ବହୁ ବ୍ୟକ୍ତି ସୋଲାର ଲଗାଇବା ନାମରେ ଅର୍ଥ ଶୋଷଣର ଶିକାର ହୋଇଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ତରଫରୁ ଏହିପରି ସରକାରଙ୍କ ପ୍ରକଳ୍ପ ନାମରେ ଲୋକଙ୍କୁ ଲୁଟୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶୋଷଣର ଶିକାର ହୋଇଥିବା ଲୋକଙ୍କୁ ନ୍ୟାୟ ଦେବା ପାଇଁ ବହୁ ହିତାଧିକାରୀ ଦାବୀ କରିଛନ୍ତି ।ମାତ୍ର ବିଦ୍ୟୁତ୍ ବିଭାଗ କହିବା ଅନୁଯାୟୀ ସୋଲାର ପ୍ଲେଟ୍ ଗୁଡ଼ିକ ଘରର ଛାତ ଉପରେ ବସାଇବା କଥା।ମାତ୍ର ଏହି କ୍ଷେତ୍ରରେ ହିତାଧିକାରୀ ସୋଲାର ପ୍ଲେଟ୍ ଗୁଡ଼ିକ ଚାଷ ଜମି ରହିଥିବା ସ୍ଥାନରେ ଲଗାଇବା ଯୋଗୁଁ ବିଦ୍ୟୁତ୍ ସଂଯୋଗ କରାଯାଉନାହିଁ !
ସୂଜୁମାର ରଣ ଙ୍କ ରିପୋର୍ଟ୍

