ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମିନରେ ମୁକ୍ତ ହୋଇ ଫେରୁଥିବା ବେଳେ ଲଦ ସିକକାଙ୍କୁ ପୁଣି ଧରିନେବା ନିନ୍ଦନୀୟ : ତୁରନ୍ତ ନିଃସର୍ତ୍ତ ମୁକ୍ତି ଦାବି କଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ଜାମିନରେ ମୁକ୍ତ ହୋଇ ଫେରୁଥିବା ବେଳେ ଲଦ ସିକକାଙ୍କୁ ପୁଣି ଧରିନେବା ନିନ୍ଦନୀୟ : ତୁରନ୍ତ ନିଃସର୍ତ୍ତ ମୁକ୍ତି ଦାବି କଲା ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ରାୟଗଡ଼ା/ଗୁଣପୁର : ନିୟମଗିରିର ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ସହ ଆଦିବାସୀଙ୍କ ଅଧିକାର ପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କୁ ଜାମିନରେ ମୁକ୍ତି ପରେ ପୁଣି ପୋଲିସ ଧରିନେବା ଘଟଣାକୁ ନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତୀବ୍ର ପ୍ରତିବାଦ କରିଛି। ଏହି ଘଟଣାକୁ ମୋର୍ଚ୍ଚା ପକ୍ଷରୁ ନିନ୍ଦନୀୟ ଓ ଗଣତାନ୍ତ୍ରିକ ଅଧିକାର ପ୍ରତି ପ୍ରଶ୍ନବାଚୀ ବୋଲି କୁହାଯାଇଛି।

ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଲଦ ସିକକା ଲାଞ୍ଜିଗଡ଼ କୋର୍ଟରୁ ଜାମିନରେ ମୁକ୍ତ ହୋଇ ନିଜ ଘରକୁ ଫେରୁଥିଲେ। ତେବେ କଲ୍ୟାଣସିଂହପୁର ପହଞ୍ଚିବା ପୂର୍ବରୁ ଏକ ସ୍ଥାନରେ ସଶସ୍ତ୍ର ପୋଲିସ ବାହିନୀ ତାଙ୍କ ଯାତ୍ରା କରୁଥିବା ଗାଡ଼ିକୁ ଚାରିପଟୁ ଘେରିଥିବା ଅଭିଯୋଗ ହୋଇଛି। ପରେ ପୋଲିସ ଲଦ ସିକକାଙ୍କୁ ଗାଡ଼ିରୁ ନେଇଯାଇଥିବା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

ଏହି ଘଟଣାକୁ ନେଇ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରିପତି ଗମାଙ୍ଗ ତୀବ୍ର ନିନ୍ଦା ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଜାମିନରେ ମୁକ୍ତ ହୋଇ ଫେରୁଥିବା ଜଣେ ଆଦିବାସୀ ନେତାଙ୍କୁ ଏଭଳି ଭାବରେ ପୁଣି ଧରିନେବା ଘଟଣା ଆଇନର ଶାସନ ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଉଛି।

ତ୍ରିପତି ଗମାଙ୍ଗ କହିଛନ୍ତି ଯେ, ନିୟମଗିରିର ଜଳ, ଜଙ୍ଗଲ ଓ ଜମି ତଥା ଆଦିବାସୀଙ୍କ ଅଧିକାର ପାଇଁ ଲଦ ସିକକା ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି। ତାଙ୍କୁ ଦମନ କରିବାର ଯେକୌଣସି ପ୍ରୟାସ ଆଦିବାସୀଙ୍କ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରିବ ବୋଲି ସେ ଅଭିଯୋଗ କରିଛନ୍ତି।

ମୋର୍ଚ୍ଚା ପକ୍ଷରୁ ଆହୁରି କୁହାଯାଇଛି ଯେ, ନିୟମଗିରି ଅଞ୍ଚଳର ଆଦିବାସୀଙ୍କ ଜୀବନ, ଜୀବିକା, ପାରମ୍ପରିକ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ନେତାମାନଙ୍କ ପ୍ରତି ଦମନମୂଳକ ପଦକ୍ଷେପ ଗ୍ରହଣ ନକରି ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉଚିତ।

ଲଦ ସିକକାଙ୍କ ବିରୋଧରେ ଯଦି କୌଣସି ଆଇନଗତ ମାମଲା ରହିଛି, ତେବେ ଆଇନ ଅନୁଯାୟୀ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟାରେ ତାହାର ସମାଧାନ କରାଯାଉ ବୋଲି ମୋର୍ଚ୍ଚା ଦାବି କରିଛି। ଏଥିସହ ଲଦ ସିକକାଙ୍କ ଉପରେ ପୋଲିସ ଦମନ ବନ୍ଦ କରିବା ସହ ତାଙ୍କୁ ତୁରନ୍ତ ଓ ନିଃସର୍ତ୍ତରେ ମୁକ୍ତ କରାଯାଉ ବୋଲି ତ୍ରିପତି ଗମାଙ୍ଗ ଦାବି କରିଛନ୍ତି।

ଘଟଣାକୁ ନେଇ ନିୟମଗିରି ଅଞ୍ଚଳରେ ଆଗାମୀ ଦିନରେ ଆଦିବାସୀ ସଂଗଠନଗୁଡ଼ିକର ପ୍ରତିକ୍ରିୟା ଓ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ଓ ଅଭିଭାବକ ବୈଠକରେ ହଟଗଳ

masiha

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

Sunil Chandra Nayak

Leave a Comment

error: Content is protected !!