ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍ସ ତାଏକୋଣ୍ଡୋ: ସାନା ଫାତିମା ଓ ଆକାଶ ପଣ୍ଡା ଙ୍କୁ କାଂସ୍ୟ ପଦକ
ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସମ୍ବର୍ଦ୍ଧନା
ନବରଙ୍ଗପୁର::(୨୫|୯)(ରବି ନାରାୟଣମହାନ୍ତି)କେନ୍ଦୁଝରଠାରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଏକୋଣ୍ଡୋ ଚାମ୍ପିୟନସିପ୍ ରେ ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାବିତ୍ ସାନା ଫାତିମା ଏବଂ ଆକାଶ ପଣ୍ଡା କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତା ଗତ ସେପ୍ଟେମ୍ବର ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ପି.ଏମ୍. ଶ୍ରୀ ଆର୍.ସି.ଡି. ନୋଡାଲ ହାଇସ୍କୁଲର ଛାତ୍ରୀ ସାନା ଫାତିମା ଏବଂ ପି.ଏମ୍. ଶ୍ରୀ ହାଇସ୍କୁଲ ସିନ୍ଧିଗୁଡାର (ଉତ୍କଳ ବାଳାଶ୍ରମ) ଛାତ୍ର ଆକାଶ ପଣ୍ଡା ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି।ଖେଳାଳିଙ୍କ ଏହି ସଫଳତାରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡି.ଇ.ଓ) ଛତ୍ରପତି ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଉଭୟ କୃତୀ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏଥି ସମେତ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗର ପ୍ରଭାତ ପଟ୍ଟନାୟକ, ଜଗେଶ୍ବର ସବର, ମିନତି ମହନ୍ତ, ପୁରଭି ପରିଡା, ତାଏକୋଣ୍ଡୋ ସଂଘର ହରିଶ ବେହେରା, ଚିତ୍ତରଞ୍ଜନ ପାତ୍ର, ବସନ୍ତ ଦୁର୍ଗା, ହିମାଂଶୁ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଉଭୟ ବିଜେତା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

