ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ
ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ…..
ରାଉରକେଲା: ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରିବାକୁ ଯୋଗ୍ୟ ଥିବା ନାଗରିକମାନଙ୍କୁ ଆବେଦନ ଓ ପଞ୍ଜୀକରଣର ସୁଯୋଗ ଦେବା ଉଦ୍ଦେଶ୍ୟରେ ଆଜିଠାରୁ ରାଉରକେଲା ଓ ରଘୁନାଥପାଲି ନିର୍ବାଚନୀ ମଣ୍ଡଳୀରେଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅକ୍ଟୋବର ୯, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି SIR ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା କିନ୍ତୁ ବାସ୍ତବରେ ଭୋଟଦାନ ପାଇଁ ଯୋଗ୍ୟ ନାଗରିକମାନଙ୍କୁ ଆବଶ୍ୟକ ପ୍ରକ୍ରିୟା ମାଧ୍ୟମରେ ପୁନଃ ଭୋଟର ତାଲିକାରେ ସାମିଲ କରିବା। ଏଥିସହିତ, ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକ-ଯୁବତୀ ମାନଙ୍କୁ ମଧ୍ୟ ଭୋଟର ତାଲିକାରେ ସାମିଲ କରିବା ଉପରେ ଏହି ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଯୁବକ-ଯୁବତୀମାନେ ଏହି ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।
ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ଅଞ୍ଚଳର ବୁଥ ସ୍ତରୀୟ ଅଧିକାରୀ (BLO)ଙ୍କ ନିକଟରେ ଆବେଦନ କରିପାରିବେ। ପ୍ରତ୍ୟେକ ବୁଥରେ ବୁଥ ସ୍ତରୀୟ ଅଧିକାରୀ (BLO)ମାନେ ଅପରାହ୍ନ ୨ଟାରୁ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଉପସ୍ଥିତ ରହିବେ।
ଆଜି ବିଭିନ୍ନ ସ୍ଥାନରେ ଯୁବ ଭୋଟରମାନଙ୍କ ମଧ୍ୟରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଛି। ସୂଚନା ଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ନାଗରିକ ନିଜ ନାମ ଭୋଟର ତାଲିକାରେ ରହିଛି କି ନାହିଁ ଯାଞ୍ଚ କରିବା ସହ ନାମ ନଥିଲେ, କିମ୍ବା ନାମ ସାମିଲ କରିବା ପାଇଁ ଯୋଗ୍ୟ ଥିଲେ, ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିବାକୁ କୁହାଯାଇଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

