ଗୋଲାମୁଣ୍ଡାରୁ ମାନସିକ ଅନଗ୍ରସର ମହିଳା ଉଦ୍ଧାର, ଧର୍ମଗଡ଼ ଯଶୋଦା ଆଶ୍ରମରେ ଥଇଥାନ
ଜୁନାଗଡ଼ ( ମ ନି ସ): ମାନବିକତା ଓ ସମାଜସେବାର ଉଦାହରଣ ସୃଷ୍ଟି କରିଛି ଗୋଲାମୁଣ୍ଡା ପୋଲିସ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ଅସୁରକ୍ଷିତ ଭାବରେ ରହୁଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି।
ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ସମ୍ମୁଖରେ ଥିବା ବସଷ୍ଟପରେ ଉକ୍ତ ମହିଳା ପ୍ରାୟ ୫ ଦିନ ହେଲା ରହୁଥିବା ଦେଖି ସମାଜସେବୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ଓ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ଉଦ୍ୟମରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ତାଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି। ଥାନା ଅଧିକାରୀ ନିଜ ଗାଡ଼ିରେ ମହିଳାଙ୍କୁ ସୁରକ୍ଷିତ ଭାବେ ଆଶ୍ରମରେ ଛାଡ଼ି ଆସିଥିଲେ।
ଏହି ଥଇଥାନ ସମୟରେ ଯୁବ ସମାଜସେବୀ ତଥା ସାମ୍ବାଦିକ ଢଗ ନାଏକ ମଧ୍ୟ ଉପସ୍ଥିତ ରହିଥିଲେ।ଉଦ୍ଧାର ହୋଇଥିବା ମହିଳା ଜଣକ ମୋଟେର ଫାଣ୍ଡି ଅନ୍ତର୍ଗତ ଟେଣକାଗୁଡ଼ା ଗ୍ରାମର ପ୍ରମିଳା ବାଗ, ବୟସ ୪୫ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।ଜଣେ ଅସହାୟ ମହିଳାଙ୍କୁ ସୁରକ୍ଷିତ ପରିବେଶରେ ରଖି ଯତ୍ନ ନେବା ଦିଗରେ ଏହି ପଦକ୍ଷେପକୁ ଏକ ମାନବୀୟ ପ୍ରୟାସ ଭାବେ ଦେଖାଯାଉଛି। ଏଭଳି କାମ କରିଥିବାରୁ ପୋଲିସ ଅଧିକାରୀଙ୍କୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।
ଜଗଜ୍ଜିବନ ସା ଙ୍କ ରିପୋର୍ଟ

