କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ
ରାଉରକେଲା: ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଆଜି ଭଞ୍ଜଭବନ ପରିସରରେ ସଫେଇ ଅଭିଯାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଓ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଭିଯାନରେ ସାମିଲ ହେବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର ସମସ୍ତଙ୍କୁ ସାଧୁବାଦ ଦେଇଥିଲେ। ଭଞ୍ଜଭବନ ପରିସରରେ ଥିବା ଅନାବନା ବୃକ୍ଷ କୁ କାଟିବା ସହ ଘାସକଟା ମେସିନ ସାହାଯ୍ୟରେ ଘାସ କଟାଯାଇ ପରିସରକୁ ବ୍ୟବହାର ଯୁକ୍ତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟା ଅପର୍ଣ୍ଣା ସାମଲ ଙ୍କୁ ସ୍ମୂତି ଫଳକ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାପତି ଡା ସେଠୀ ଐକ୍ୟବଦ୍ଧତା ଓ ସମ୍ପାଦକ ଶ୍ରୀ ଦାସ ସାମାଜିକ ଓ ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ ପରେ ମୁଖ୍ୟଅତିଥି ଶ୍ରୀ ତନ୍ତୀ ଅନୁଷ୍ଠାନକୁ ଆବଶ୍ୟକ ହେଉଥିବା ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ। ଏହି ଅବସରରେ ଭଞ୍ଜଭବନ ତରଫରୁ ଆର ମହାପାତ୍ର,ଏ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

