୩୮ ବର୍ଷର ଶିକ୍ଷାଦାନ ପରେ ଅବସର ନେଲେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମହାନ୍ତି
ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିଥିବା ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ନବରଙ୍ଗପୁର : (୨|୧୧)(ରବି ନାରାୟଣ ମହାନ୍ତି)ଦୀର୍ଘ ୩୮ ବର୍ଷର ନିଷ୍ଠାପର ଶିକ୍ଷାଦାନ ଓ ସେବାମୟ ଜୀବନରେ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବା ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା ମହାନ୍ତି ଗତ ଅକ୍ଟୋବର ୩୧ ତାରିଖ ଶନିବାର ଦିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭାଟିଗାଁର ପ୍ରଧାନ ଶିକ୍ଷୟିତ୍ରୀ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ନିଜର ଦୀର୍ଘ ଚାକିରି ଜୀବନରେ ସେ ନିଷ୍ଠା, ଶୃଙ୍ଖଳା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅଗାଢ଼ ସ୍ନେହ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଶିକ୍ଷାଦାନ ଓ ମାର୍ଗଦର୍ଶନ ଅନେକ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ଅବସର ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ସଭାରେ ଶ୍ରୀମତୀ ମହାନ୍ତିଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଶ୍ରୀମତୀ ମହାନ୍ତି ଙ୍କ ସ୍ଵାମୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କର ଦୀର୍ଘ ବର୍ଷର ଶିକ୍ଷାଦାନ ଓ ଅବଦାନକୁ ସ୍ମରଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଶ୍ରୀମତୀ ମହାନ୍ତି ଙ୍କ ଅବସର ପରର ଜୀବନ ସୁଖ ଶାନ୍ତିରେ ଅତିବାହିତ କରିବେ ବୋଲି କହିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

