ନୂଆପଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ବାଲ୍ୟ ବିବାହର ସମ୍ପୂର୍ଣ୍ଣ ଉଚ୍ଛେଦ ତଥା ୨୦୩୦ ସୁଦ୍ଧା ଦେଶକୁ ବାଲ୍ୟ ବିବାହ ମୁକ୍ତ କରିବାର ଲକ୍ଷ୍ୟ ନେଇ ନୂଆପଡ଼ା ସ୍ଥିତ ପିଏମ୍ ଶ୍ରୀ ନ୍ୟାସନାଲ ହାଇସ୍କୁଲଠାରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଅଧୀନରେ ଏକ ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିl ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶକ୍ରମେ ୨୭ ନଭେମ୍ବର ୨୦୨୬ ତାରିଖରେ ସମଗ୍ର ଦେଶରେ ଏକକାଳୀନ ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାଏକ, ଜେଣ୍ଡର କୋ-ଅର୍ଡିନେଟର ପ୍ରତାପ ପାତ୍ର, ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା, କୋମନା ଓ ସିନାପାଲି ବ୍ଲକର ସିଡିପିଓ, ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ।ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବାଲ୍ୟ ବିବାହକୁ ରୋକିବା, ଏହା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏବଂ ସମାଜରୁ ଏହି ସାମାଜିକ କୁପ୍ରଥାର ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ ତଥା ଶିଶୁ ଓ କିଶୋରୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ମୌଳିକ ଅଧିକାର ଉପରେ ଆଲୋକପାତ କରାଯାଇଥିଲା। ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ଏଭଳି ଘଟଣା ସମ୍ପର୍କରେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଏବଂ ଜନସହଭାଗିତା ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବାଲ୍ୟ ବିବାହ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏହା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ। ଏକ ସୁରକ୍ଷିତ, ଶିକ୍ଷିତ ଓ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ, ସଚେତନତା ଓ ସାମୂହିକ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ଶେଷରେ, କାର୍ଯ୍ୟକ୍ରମର ସୁଚାରୁ ସମନ୍ୱୟ ଓ ସଫଳ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା, ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସମେତ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ରାକେଶ ନାଗ, ଦେଶରାମ ହରିଜନ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

