ମହାସତୀ ସାବିତ୍ରୀ ଓ ସାବିତ୍ରୀ ବ୍ରତ
ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ପ୍ରତିବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ
ସାବିତ୍ରୀ ବ୍ରତ ହୁଅଇ,
ଭକ୍ତିପୂତ ମନେ ଅହ୍ୟ ନାରୀମାନେ
ଏହି ବ୍ରତ ପାଳିଥାଇ ||
ବାପଘରୁ ଭାର ଆସିଣ ଥାଆଇ
ଶାଢ଼ୀ, ଶଙ୍ଖା ଓ ସିନ୍ଦୂର,
ଫଳ ମୂଳ, ମିଠା, ନଡ଼ିଆ,କଦଳୀ
ଆସଇ ନାନା ବେଭାର ||
ନଡ଼ିଆ, କଦଳୀ, ଆମ୍ବ ଓ ପଣସ
ତାଳ, ଲିଚୁ, କ୍ଷୀରିକୋଳି,
କମଳା, ଅଙ୍ଗୁର, ଖଜୁରୀ, ନାସ୍ପତି
ସେଓ, ସପୁରୀ, ପିଜୁଳି ||
ନାଲି ଶାଢ଼ୀ ଶଙ୍ଖା ଅଳତା ସିନ୍ଦୂର
ଚନ୍ଦନ ଓ ଧୂପକାଠି,
ସାବିତ୍ରୀ ବ୍ରତର ପୂଜାର ନିମିତ୍ତ
ନାରୀ କରଇ ଏକାଠି ||
ପୂଜା ସାମଗ୍ରୀକୁ ଡାଲରେ ରଖିଣ
ମନ୍ଦିରକୁ ଯାଇଥାଇ,
ମୋ ଶଙ୍ଖା ସିନ୍ଦୂର ଝଟକୁଣ ଥାଉ
ଏହି କାମନା ବାଞ୍ଛଇ ||
ନାଲିଶାଢ଼ୀ, ନାଲିଶଙ୍ଖା ପିନ୍ଧଣଯେ
ପୂଜେ ଲକ୍ଷ୍ମୀ ନାରାୟଣ,
ଫଳହାର କରି ଏହି ଦିବସଟି
ଖୁସିରେ ପାଳଇ ପୁଣ ||
ରାଜା ଅଶ୍ଵପତି ରାଣୀ କୌଶଲ୍ୟାଙ୍କ
କନ୍ୟାରତ୍ନ ହିଁ ସାବିତ୍ରୀ,
ଅନିନ୍ଦ୍ୟ ସୁନ୍ଦରୀ ସର୍ବ ମନୋହାରୀ
ଅଟନ୍ତି ଜଗଦ୍ଧାତ୍ରୀ ||
ଅବନ୍ତୀ ରାଜନ ସେ ଦ୍ୟୁମତ ସେନ
ରାଣୀ ମାଳବିକା ସାଥେ,
ପୁତ୍ର ସତ୍ୟବାନ ସଙ୍ଗତେ ନେଇଣ
ବାସକଲ ବନ ପଥେ ||
ଦୁହିତା ନାମକୁ ସାର୍ଥକ କରିଲ
ଯମକୁ ହରାଇ ଦେଇ,
ତିନିଗୋଟି ବର ମାଗି ଆଣିଥିଲ
ପିତା ପତି କୂଳ ପାଇଁ ||
ପ୍ରଥମ ବରରେ ଶାଶୁ ଶଶୁରଙ୍କ
ମାଗିଥିଲ ଚକ୍ଷୁଦାନ,
ମାଗିଥିଲ ପୁଣି ରାଜ ସିଂହାସନ
ଆଉ ମାନ ସନମାନ ||
ଦ୍ଵିତୀୟ ବରରେ ମାଗିଥିଲ ତୁମେ
ପିତା ପାଇଁ ସାତ ପୁତ୍ର,
ତୃତୀୟ ବରରେ ମାଗି ଆଣିଥିଲ
ତୁମ ଗର୍ଭୁ ଶତ ପୁତ୍ର ||
ପତି ବିନା ପୁତ୍ର ହୋଇବ କିପରି
କୁହହେ ଯମ ରାଜନ,
ସତୀନାରୀ ପାଶେ ହାରିଯାଇ ଶେଷେ
କରିଲେ ଜୀବନ ଦାନ ||
ଦୀପ ଶିଖା ଭଳି ନିଜେ ଜଳି ଜଳି
ପତି ପିତୃ ବଂଶ ଲାଗି,
ନିଜ ଜୀବନକୁ ଦେଲ ଜଳାଞ୍ଜଳି
ତୁମେହିଁ ମହାନ ତ୍ୟାଗୀ ||
ସାବିତ୍ରୀ ଅଟନ୍ତି ନାରୀ ଜାତି ପାଇଁ
ଆଦର୍ଶ ଆଉ ଗୌରବ,
ପିତୃକୂଳ ଆଉ ପତି କୂଳ ଙ୍କର
ଥିଲେ ଅମୂଲ୍ୟ ବୈଭବ ||
ସାବିତ୍ରୀ ବରତ ଯେ ନାରୀ କରଇ
ଏଇଶ୍ଚର୍ଯ୍ୟ ସୁଖ ପ୍ରାପ୍ତି,
ସାବିତ୍ରୀ ଅଟନ୍ତି ମହା ସତୀ ବୋଲି
ଜଗତେ ରହିଛି ଖ୍ୟାତି ||