ସାବିତ୍ରୀଙ୍କ କଥା, ନାକର ଅନ୍ୟଥା
ଜୟ କୁମାର ମିଶ୍ର,ବୁଦୁରା, ଗଜପତି
ସତ୍ୟବାନାଙ୍କର, ଆୟୁଷ ସରୁଛି
ବଳେ ଯମପୁର ଗତି
ସାବିତ୍ରୀଙ୍କ, କଥା, ହିତ ଉପଦେଶ
ପିତା କଟୁ ଲାଗେ ନିତି ll
କାଳ ସାଥେ ଅବା,କେତେ ବା ଯୁଝିବ
କେତେ ବା ସହିବ ସିଏ,??
ସବୁ ସଯତନ, ପ୍ରଭାବ ସେ ଶୂନ୍ୟ
ସତ୍ୟବନ ଅବୁଝା ହୁଏ ll
ପାଣି ବଦଳରେ, ସୁରା ପାନ କରେ
ତମାଖୁ, ପୁଡିଆ, ଖାଏ,
ମଟର ଗାଡିରେ, କ୍ଷିପ୍ର ବେଗଟିରେ
ଏଣେ ତେଣେ ଘୁରୁଥାଏ ll
ସାବିତ୍ରୀ କହନ୍ତି, କେତେ ସେ ବୁଝାନ୍ତି
ଫଳାହର କରିବାକୁ,
ଆହାର ସାତ୍ଵିକ,ବ୍ୟାୟାମ ଦୈନିକ
ନିତିଦିନିଆଁଟି ତାଙ୍କୁ ll
ଚିକେନ ମଟନ, ବିରିୟାନୀ ଆଉ
ଜଙ୍କଫୁଡ କମାଇ ଦିଅ
ରାଗ,ଓ ମସଲା, ମିଠା ଲୁଣ ତେଲ
ସ୍ୱାସ୍ଥ୍ୟକୁ ଭୟାଵହ ll
ଘରେ ଘରେ ଆଜି, ସାବିତ୍ରୀଏଁ ପୂଜି
ନେହୁରା ହୁଅନ୍ତି କେତେ,
ସତ୍ୟବନା ବୀର,ବୋଲାଇ ସେ ହିରୋ
ଚଳେ ନିଜ ଇଛାମତେ ll
ଯାଏ ସେ ବାରକୁ, ପାନ କରିବାକୁ
ଯାଏ ମଦ ଦୋକାନକୁ,
ମନ ଇଛା ପିଏ, ବିଳମ୍ବରେ ଶୁଏ
ଲଗାମ ନଥାଏ ତାକୁ ll
ପ୍ରଚଣ୍ଡ, ପ୍ରତାପ, ଅସହ୍ୟ ଉତ୍ତାପ
ଅଂଶୁଘାତ ଖରlବେଳ,
ବୁଲେ ସତ୍ୟବନ, ନୀତିକୁ ଅମାନ୍ୟ
ବୁହାଇ ଦେହରୁ ଝାଳ ll
ନିଶା ଜରଜର, ପାଦ ଥରଥର
ଉଚ୍ଚ ରକ୍ତଚାପ ଘର,
ମଧୁର୍ମେହ ଆସେ,କର୍କଟଟି ହସେ
ହୋଇ ଯମର ଚାକର ll
ସତ୍ୟବନା ବ୍ରତ, ସାବିତ୍ରୀ ଶପଥ
ଯମ ବାଗଦାନ ବାଣୀ,
ହୋଇଯାଏ ବୃଥା,କାଳ କରେ ଚିନ୍ତା
ଅକାଳେ ଘେନିବ ଜାଣି ll
ଆହେ ସତ୍ୟବାନ, ହୁଅ ସାଵଧାନ
ଶଙ୍ଖା, ଚୁଡ଼ି ରଖିବାକୁ
ସାବିତ୍ରୀ ମଥାର, ସିନ୍ଦୁର ଟୋପାର
ତୁମେ ହିଁ ରକ୍ଷକ ତାକୁ l