କି ଗୀତ ଗାଇବୁ କବିରେ
ଉପେନ୍ଦ୍ର କୁମାର ବସ୍ତିଆ
ଜୀବନ ଯେଉଁଠି ଜଳୁଛି
ସଞ୍ଜ ସକାଳେ,
ଆଶାର କଳିକା ମଉଳି
ପଡଇ ଅକାଳେ,
ତରୁଣ ଅରୁଣ ଇଲାକାଟି
ଯହିଁ ଧୂସର,
ଜୋଛନା ପରଶେ ଉଠେ ନାହିଁ
ଯହିଁ ଜୁଆର,
ଘନ ତମସାର ବକ୍ଷ ବିଦାରୀ
ଆଙ୍କି ପାରିବୁକି ଆଗାମୀ
କାଲିର ଛବିରେ ?
କି ଗୀତ ଗାଇବୁ କି କଥା
ଲେଖିବୁ କବିରେ ••••
ମନ ଯାଏ ଦବି ଦବି ରେ ll
ସ୍ୱାର୍ଥ ଆବର୍ତ୍ତେ ଚେତନା
ଯେଉଁଠି ନିଥର,
ସମ୍ବେଦନର କିଆରୀ
ଯହିଁ ଉଷର,
ସେନେହ ପୀରତି ମମତା
ଫସଲ ସପନ,
ବିଷମୟ ଯହିଁ ସାଗର,
ଗଗନ ପବନ
କି ସୁରେ ଗାଇବୁ ଜୀବନ
ଗୀତିକା କବିରେ ?
ଦୁଃଖ ଯନ୍ତ୍ରଣାରେ
ଚାଷୀ ମରେକାନ୍ଦିକାନ୍ଦିରେ
କି ଗୀତ ଗାଇବୁ କି କଥା
ଲେଖିବୁ କବିରେ •••।।
କର୍ମ ମନ୍ଦିରେ ଘୋଟିଅଛି
ଯହିଁ ଶିଉଳି
ଧର୍ମ ଖେଳୁଛି ଶୋଣିତ
ସରିତେ ପହଁରୀ,
ଦୁଃଶାସନ ଯହିଁ ପ୍ରସାରିଛି
ବାହୁ ଯୁଗଳ,
ଛନକା ଖେଳାଏ ଶକୁନିର
ହସ କଲ୍ଲୋଳ,
ମାଟି ମାଆ କାନ୍ଦେ
କଇଁ କଇଁ ହୋଇ
ନବ ବଧୂ ଜଳେ ଯୂଈରେ
ହିମାଳୟ ହିମ ଟଳାଇ ପାରିବୁ
କବିର କଲମ ମୁନରେ ?
କି, ଗୀତ ଗାଇବୁ କି କଥା
ଲେଖିବୁ କବିରେ ••••l।
ରାଉଲକେଲା