ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ  ମୂଳ କୁ ଚିହ୍ନ

            ମୂଳ କୁ ଚିହ୍ନ

ଯୁବରାଜଙ୍କର ଅଭିଷେକ ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଭେରି ତୂରୀର ପ୍ରଚଣ୍ଡ ଶଦ୍ଦରେ ପ୍ରକମ୍ପିତ ରାଜ ଉଆସ। ଅଭିଷେକ ର ଅବ୍ୟବହିତ ପୂର୍ବରୁ ଦେଶର ମହାମନ୍ତ୍ରୀଙ୍କ, ଠାରୁ ଆଶିର୍ବାଦ ଗ୍ରହଣ କରି, ଯୁବରାଜ କହିଲେ,”, ଆପଣ ମୋର ପିତୃ ତୁଲ୍ୟ।ମୋର ସ୍ବର୍ଗତଃ ପିତାଙ୍କର ଆପଣ ଥିଲେ ପରାମର୍ଶ ଦାତା। ଦେଶକୁ ସୁଶାସନ ଦେବାରେ, ଆପଣଙ୍କ ଭୂମିକା ନିଶ୍ଚୟ ଅଧିକ ରହିବ।ମାତ୍ର, ଯେହେତୁ ମୁଁ ବାସ୍ତବବାଦୀ, କେବଳ ବାସ୍ତବ ସତ୍ୟକୁ ମୁଁ ଗ୍ରହଣ କରିବି। କୌଣସି ଯୋଜନା ସଫଳ ରୂପାୟନ ପାଇଁ ପରାମର୍ଶ ଦେବା ପୂର୍ବରୁ,ତା’ର ବାସ୍ତବ ଦୃଢ଼ ପ୍ରମାଣ ଆପଣଙ୍କୁ ଦେବାକୁ ପଡ଼ିବ।ଅନ୍ୟଥା, ମୁଁ ଆପଣଙ୍କର ପରାମର୍ଶକୁ ଗ୍ରହଣ କରିବି ନାହିଁ।”

         ମହାମନ୍ତ୍ରୀ କହିଲେ, ” ସ୍ବାଗତଯୋଗ୍ୟ।ମାତ୍ର ବାସ୍ତବ ସତ୍ୟର ଉନ୍ମୋଚନ ପାଇଁ, ଆପଣଙ୍କୁ ବାସ୍ତବ କ୍ଷେତ୍ରକୁ ଯିବାକୁ ପଡ଼ିବ। ମଝିରେ ମଝିରେ,ନଗର ପରିକ୍ରମା କରି ବାସ୍ତବ ସତ୍ୟକୁ ଜାଣିବାକୁ ପଡ଼ିବ।”

       ଯୁବରାଜ କହିଲେ “ନିଶ୍ଚୟ ”

 ଅଭିଷେକ ସରିଲା। ତହିଁ ପର ଦିନ, ଯୁବରାଜଙ୍କୁ ଧରି,ମହାମନ୍ତ୍ରୀ ଚାଲିଲେ ଗାଁ ପରିକ୍ରମା ରେ।ଧୁ ଧୁ ଖରା। ଟପ୍ ଟପ୍ ଶଦ୍ଦ କରି ଦୌଡୁଛି ଘୋଡ଼ା। ସାଙ୍ଗରେ ସୈନ୍ୟ ସାମନ୍ତ। ପରିକ୍ରମା ସାରି, ଯୁବରାଜ ଗୋଟିଏ ଝଙ୍କାଳିଆ ବରଗଛ ପାଖରେ ଘୋଡ଼ା ରୁ ଓହ୍ଲେଇ ପଡ଼ି ଗଛ ଛାଇରେ ବିଶ୍ରାମ ନେଲେ। ନଡ଼ିଆ ଗଛରୁ ଡାବ ଆଣି ଯୁବରାଜ ଙ୍କୁ ଦିଆଗଲା।ଡାବ ପିଇ ସାରିବା ପରେ, ଯୁବରାଜ ଆରମ୍ଭ କଲେ,”ମହାମନ୍ତ୍ରୀ !ମୋ ମନରେ କେତୋଟି ପ୍ରଶ୍ନ ଉଙ୍କି ମାରୁଛି, ଯାହାର ଉତ୍ତର ମୋ ପାଖରେ ନାହିଁ। ଦୟାକରି କହିବେ କି ?”

୧ମ ପ୍ରଶ୍ନ _ଯେଉଁ ଗଛ ଛାଇ ଦେଉଛି,ସେ ଫଳ ଦେଉନି,ଆଉ ଯେଉଁ ଗଛ ଫଳ ଦେଉଛି,ସେ ଛାଇ ଦେଉନି। ଯେମିତି ଏ ବରଗଛ,ଆଉ ନଡ଼ିଆ ଗଛ। ଭଗବାନଙ୍କ ସୃଷ୍ଟି ରେ ଏମିତି କାହିଁକି ?”

ମହା ମନ୍ତ୍ରୀ ଉତ୍ତର ଦେଲେ,”ଶାସନର ସୁବିଧା ପାଇଁ,ଆମେ ସଚିବାଳୟରେ ରେ, ଅନେକ ବିଭାଗ ସୃଷ୍ଟି କରିଛନ୍ତି। ଯଦି ଗୋଟାଏ ବିଭାଗ ଉପରେ ସବୁ ଦାୟିତ୍ଵ ନ୍ୟସ୍ତ କରିବା, ତେବେ ସବୁ କାମ ସୁଚାରୁରୂପେ ସମ୍ପାଦନା କରିବା କଷ୍ଟକର। ଶାବଳର କାମ ଛୁଞ୍ଚି କରିପାରିବ ନାହିଁ,ବା,ଛୁଞ୍ଚି ର କାମ ଶାବଳ କରିପାରିବ ନାହିଁ। ତେଣୁ,ଶାବଳ ମୋଟା ଓଜନିଆ ବୋଲି,ଆମେ ଛୁଞ୍ଚି କୁ ଛୋଟ ଭାବିବା ଉଚିତ ନୁହେଁ। ଦେଶର ସମୁହ ବିକାଶ ପାଇଁ,ସବୁ ବିଭାଗ ଉପରେ ସମାନ ଗୁରୁତ୍ଵ ଦେବା ଉଚିତ।”

ଯୁବରାଜ ଆରମ୍ଭ କଲେ,

             “୨ୟ ପ୍ରଶ୍ନ _ଆମେ ଯେତେ ଗାଁ ବୁଲିଲେ, ପ୍ରାୟ ଗାଁ ରେ ଝୁମ୍ପୁଡି ଘର ୯୫ ବେଳେ,କୋଠା ଘର ୫ଟି ଦେଖା ଯାଉଛି। ତା’ର କାରଣ କ’ଣ ?”

  ମହାମନ୍ତ୍ରୀ ଉତ୍ତର ଦେଲେ,”, ଛୁଞ୍ଚି କୁ ଛୋଟ ଓ ଶାବଳ କୁ ବଡ଼ ଭାବିବାର ଏ ହେଉଛି ପରିଣତି।

 ଆପଣଙ୍କର ପିତା,ଯେଉଁ ବିଭାଗରୁ ଅଧିକ ରାଜସ୍ବ ଆଦାୟ ହେଉଥିଲା,ସେଇ ବିଭାଗ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ,ଓ ଯେଉଁ ବିଭାଗ ଦେଶରକ୍ଷା ର ପ୍ରମୁଖ ଭୂମିକା ନେଉଥିଲେ ମଧ୍ୟ, କମ୍ ରାଜସ୍ୱ ଆଦାୟ ଦେଉଥିଲା ତା ଉପରେ କମ୍ ଗୁରୁତ୍ୱ ଦେଉଥିଲେ। ସେଥିପାଇଁ ଏ ଭଳି ଅବସ୍ଥା ସୃଷ୍ଟି ହୋଇଛି।ଧରାଯାଉ, ଆପଣ ଯେଉଁ ଗଛ ତଳେ ବସିଛନ୍ତି,ସେ ହେଉଛି ଆମର ଦେଶ। ସେଇ ଗଛର ଡାଳ,ପତ୍ର, ମୂଳ,ଫଳ ବିଭିନ୍ନ ବିଭାଗ ବିଭିନ୍ନ ପ୍ରକାରର କାମ କରୁଛନ୍ତି।ଯଦି ମୂଳ ନ ଥାନ୍ତା,ଗଛ ନ ଥାନ୍ତା।କାରଣ, ମୂଳ ଗଛ ର ସବୁ ଅଂଚଳକୁ ଖାଦ୍ୟ ଯୋଗାଉଛି।ଖାଦ୍ୟ ନ ପାଇଲେ,ଏ ଗଛ ର ଫଳ ତ ଦୂରର କଥା,ଡାଳ ପତ୍ର ବି ନ ଥାନ୍ତା।ମାତ୍ର ଆମର ରାଜା ମୂଳର ସୁରକ୍ଷା ବିଷୟରେ କିଛି ଚିନ୍ତା ନ କରି,ଫଳରେ ଆଶା ରଖୁଥିଲେ।ରାଜସ୍ବ ମିଳିଗଲେ,ସେ ଖୁସ୍।ସେ ଭଳି କ୍ଷେତ୍ରରେ ଝୁମ୍ପୁଡି ଅଧିକ ରହିବ ନି ଆଉ କ’ଣ ଅଧିକ କୋଠା ଘର ରହିବ।

       ଥରେ ଭାବନ୍ତୁ ଯୁବରାଜ। ଆପଣ ଏ ଦେଶର କର୍ଣ୍ଣଧାର।ଆପଣ ଶାସନ ରେ ସଂସ୍କାର ନ ଆଣିଲେ,ଏ ଦେଶ ଧ୍ୱଂସ ଆଡ଼କୁ ମୁହେଁଇବ ନିଶ୍ଚୟ।ଗଛର ମୂଳ ଚିହ୍ନି,ତା ମୂଳ ରେ ଖାଦ୍ୟ ପାଣି ନ ଯୋଗେଇଲେ, ଏ ଗଛ ରୂପକ ଦେଶ କେତେବେଳେ ଯେ ଧ୍ୱଂସ ହେଇଯିବ ତା କହିବା ମୁସ୍କିଲ।”

ଯୁବରାଜ କହିଲେ,”ତେବେ ଆମର କେଉଁ ବିଭାଗ ଟିକୁ ଆପଣ ମୂଳ ବୋଲି ଭାବୁଛନ୍ତି।ଯାହା ଉପରେ ଆମେ ଅଧିକ ଗୁରୁତ୍ବ ଦେବା ଉଚିତ।”

          ମନ୍ତ୍ରୀ କହିଲେ,”ଆଗରୁ ଆପଣ କହିଛନ୍ତି, ମୁଁ ଯାହା ପରାମର୍ଶ ଦେବି ,ତାକୁ ପ୍ରମାଣ କରି ଦେଖେଇବାକୁ ପଡ଼ିବ। ଆମ ଦେଶର ମୂଳ କିଏ,କାହା ଉପରେ ଆମର ଦେଶ ଅଧିକ ନିର୍ଭର କରୁଛି, ତା’ର ପ୍ରମାଣ କରି ଦେଖେଇବା ଅର୍ଥ, ଗୋଟିଏ ଜଳନ୍ତା ଅଗ୍ନି ପିଣ୍ଡୁଳା ଭିତରକୁ ପ୍ରବେଶ କରିବା ସହିତ ସମାନ।

 ଯୁବରାଜ କହିଲେ,”ଯେତେ ବଡ଼ ଅଗ୍ନି ପରୀକ୍ଷା ହେଉ ପଛେ ମୁଁ ପରୀକ୍ଷା ଦେବାକୁ ପ୍ରସ୍ତୁତ। ଆପଣ ଦୟାକରି କହନ୍ତୁ।”

 ମନ୍ତ୍ରୀ କହିଲେ,”ତେବେ, ଯୁବରାଜ ! ଏ ପରୀକ୍ଷା ର ଅବଧି ଏକ ମାସ।ଏଇ ଗୋଟିଏ ମାସ ପାଇଁ,କୃଷକ ଯେଉଁ ଫସଲ ଉପୁଜେଇଛି,ତାକୁ କୃଷକ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ, ଯେମିତି କି ସେ ତାର କୃଷି ଜାତ ଦ୍ରବ୍ଯ ବଜାର କୁ ନ ଛାଡେ ସେଥିପାଇଁ ସତର୍କ ଦୃଷ୍ଟି ରଖନ୍ତୁ। ଏବଂ ଅନ୍ୟ ସମସ୍ତ ବିଭାଗ ଯେମିତି କାର୍ଯ୍ୟ କରୁଛି,ତାକୁ ସେଇମିତି ଚଳେଇ ରଖିବାକୁ ନିର୍ଦ୍ଦେଶ ଦିଅନ୍ତୁ।ଆଉ ରାଜ୍ୟର ସମସ୍ତ ଖାଦ୍ୟ ଭଣ୍ଡାର କୁ ପୂର୍ଣ୍ଣ କରି ରଖନ୍ତୁ ଯେମିତି ସାରା ରାଜ୍ୟ କୁ ଗୋଟିଏ ମାସ ଖାଦ୍ୟ ଯୋଗେଇ ହେବ। “

 ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ, ଯୁବରାଜ ନିର୍ଦ୍ଦେଶନାମା ଜାରି କଲେ।କୃଷକ ତା’ର ଉପୁଜିଥିବା କୃଷି ଜାତ ଦ୍ରବ୍ଯ ଗୁଡିକୁ ବଜାର କୁ ଛାଡ଼ିଲା ନାହିଁ। ବଜାର ରେ ଖାଦ୍ୟ ଦ୍ରବ୍ୟର ଅଭାବ ଦେଖା ଦେଲା। ଯେଉଁ ମାନେ ଧନୀ ବୋଲି ଗର୍ବରେ ଫାଟି ପଡୁଥିଲେ,କେଜି କେଜି ସୁନା ରଖିଥିଲେ,ବିଡ଼ା ବିଡା ଟଙ୍କା ଉପରେ ଶୋଉଥିଲେ, ସେମାନେ ହରଡ଼ ଘଟଣାରେ ପଡିଗଲେ।ତାକୁ ତ ଖାଇ ବଞ୍ଚି ହେବ ନାହିଁ।ଯେଉଁମାନେ, ଶୀତ ତାପ ନିୟନ୍ତ୍ରୀତ ଯନ୍ତ୍ର ତଳେ ରହି, ନିଜକୁ ଧନୀ ବୋଲି ଗର୍ବ କରୁଥିଲେ,ପେଟକୁ ଦାନା ନ ଯିବାରୁ, ସେମାନେ କାମ କରିବାକୁ ବଳ ପାଇଲେ ନାହିଁ। ସରକାରୀ, ବେସରକାରୀ ଦପ୍ତର ରେ ଉପସ୍ଥାନ କମିବାକୁ ଲାଗିଲା।ଖେଳ ପଡିଆ ରେ, କ୍ରିକେଟ ଖେଳ ଦେଖିବାକୁ ଟିକେଟ କରିଥିବା ଲୋକେ ବି ଆଉ ପଡିଆକୁ ଖେଳ ଦେଖିବାକୁ ଯିବାକୁ ବଳ ପାଇଲେ ନାହିଁ।

           ତେଣେ, କୃଷକ ଘର ଆଗରେ ଭିଡ ଲାଗିଲା। ରାଜ୍ୟ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ଯୁବରାଜ ମହାମନ୍ତ୍ରୀଙ୍କୁ ଡକେଇ କହିଲେ, ଆପଣ ପ୍ରମାଣ କରିଦେଇଛନ୍ତି ଏ ଦେଶର ମୂଳ ହେଲେ କୃଷକ।

            ମନ୍ତ୍ରୀ କହିଲେ,”ଅଶେଷ ଧନ୍ୟବାଦ ଆପଣଙ୍କୁ, ଯୁବରାଜ ! ଆପଣ ସତ୍ୟର ଅନୁସନ୍ଧାନ କଲେ, ଏବଂ ସତ୍ୟକୁ ଚିହ୍ନିଲେ।ହେଲେ ଆପଣଙ୍କର ପିତା ରାଜସ୍ଵ ମୋହରେ ଅନ୍ଧ ହେଇ ,ଦେଶ ର ଅନ୍ନଦାତା ପ୍ରତି ଅବିଚାର କରୁଥିଲେ।ବିଚାରା ଚାଷୀଟିଏ, ଗଛ ର ଚେର ଭଳି ମାଟିକୁ କାମୁଡି ଧରି ଦେଶକୁ ଖାଦ୍ୟ ଯୋଗାଉଥିଲା । ହେଲେ କରଜରେ ବୁଡ଼ି,ବର୍ଷ ସାରା ମାଟି ସହିତ ମାଟି ହେଇ, ଶେଷରେ ତା ଉତ୍ପାଦିତ ଶସ୍ୟକୁ ବଜାରରେ ବିକିଲେ, ଲାଭ ତ ଦୂରର କଥା,ତା ଉତ୍ପାଦିତ ଶସ୍ୟରୁ ମୂଳ ଧନ ବି ପାଉନଥିଲା। ଶେଷରେ ମାନସିକ ସନ୍ତୁଳନ ହରେଇ ସେ ଆତ୍ମହତ୍ୟା କଲେ ,ରାଜା କହୁଥିଲେ,ଘରୋଇ କଳିରୁ,ବା ପ୍ରେମ ବ୍ୟାପାରରୁ ସେ ଆତ୍ମହତ୍ୟା କରିଛି।

        ଆହୁରି ଗୋଟାଏ ଭୟଙ୍କର ସତ୍ୟ ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରୁଛି ଯୁବରାଜ ! ଧ୍ୟାନ ଦେଇ ଶୁଣନ୍ତୁ।ଆମ ପଡୋଶୀ ରାଷ୍ଟ୍ରରେ ଆଜି ଖାଦ୍ୟାଭାବ ଦେଖାଦେଇଛି। ଲୋକେ ରାସ୍ତାକୁ ଓହ୍ଲାଇ ଆସିଲେଣି।ସେଇ ଭଳି,ଆମେ ଏକ ଭୟଙ୍କର ପରିସ୍ଥିତି କୁ ସାମ୍ନା କରିବାକୁ ଯାଉଛନ୍ତି।ଏବେଠୁଁ ସାବଧାନ ନ ରହିଲେ ଆଗାମୀ ଦିନ ହୁଏତ ଆମ ପାଇଁ ବିପଦଜନକ ହେଇପାରେ।

       ଚାଷୀ କ୍ଷତି ସହିସହି,ଚାଷ ଛାଡି ଦେଲେଣି।ଆଉ କେହି ଯଦି ଚାଷ କରୁଛି,ସେ ଆଉ ଗୋବର ଖତ ବିଲରେ ଦେଉନି,କାରଣ,ଘରେ ଆଉ ଗାଇ ଗୋରୁ ନାହାନ୍ତି। କେବଳ ରାସାୟନିକ ସାର ପ୍ରୟୋଗ ଦ୍ବାରା, ମାଟିର ଅମଳ କ୍ଷମତା କମିକମି ଆସୁଛି। ମାଟିରେ ଅମ୍ଳ ବଢ଼ି ବଢ଼ି ଯାଉଛି। ଦିନ ଆସିବ,ଆଉ ମାଟିରୁ ଫସଲ ଅମଳ ସମ୍ପୂର୍ଣ୍ଣ ବନ୍ଦ ହେଇଯାଇପାରେ।

ତେଣୁ ଏହାର ନିରାକରଣ ନିହାତି ଜରୁରୀ।

ଏ ସବୁ ଶୁଣିବାପରେ, ଯୁବରାଜ କୃଷକ ମାନଙ୍କ ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ କଲେ, ନୂତନ ଗବେଷଣା କରି ନୂତନ ତଥ୍ୟ ର ସନ୍ଧାନ ପାଇଲେ, ଏବଂ ଦେଶରୁ ଅଭାବ କଷଣ ଦୂର କରି ପାରିଲେ।

 

                 ରାଖାଲ ଚନ୍ଦ୍ର ସ୍ବାଇଁ,ଭଦ୍ରକ।

Related posts

କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସଆଇସି ମଡେଲ୍ ହସପିଟାଲ,ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ ବୈମାତୃକ ମନୋଭାବ ବିରୁଦ୍ଧରେ ହିନ୍ଦ୍ ମଜଦୂର ସଭାର ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ନଭେମ୍ବର ୨୫ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!