ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟର ୬୦୦ ଡିଗ୍ରି କଲେଜରେ ନାହାନ୍ତି ଅଧ୍ୟକ୍ଷ, କାମଚଳା ଅଧ୍ୟକ୍ଷରେ ଚାଲିଛି କଲେଜ

ଯୁକ୍ତ୨ କଲେଜ ଅବସ୍ଥା ମଧ୍ୟ ସମାନ, ଅଧ୍ୟକ୍ଷ କ୍ୟାଡର୍‌ ସୃଷ୍ଟି କରିବାକୁ ଦାବି….

୬୦୦ରୁ ଅଧିକ ଡିଗ୍ରି କଲେଜରେ ଅଧ୍ୟକ୍ଷ ନାହାନ୍ତି। ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବି ସମାନ ଅବସ୍ଥା। କେଉଁଠି ଅଧ୍ୟାପକ ତ ଆଉ କେଉଁଠି ଅଧ୍ୟାପିକା ସମ୍ଭାଳୁଛନ୍ତି ଅଧ୍ୟକ୍ଷ ପଦ। ସରକାରୀଠାରୁ ଆରମ୍ଭ କରି ଅନୁଦାନପ୍ରାପ୍ତ କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି କାମଚଳା ଅଧ୍ୟକ୍ଷରେ ଚାଲିଛି। ଅଧ୍ୟାପକଙ୍କ ଅବସ୍ଥା ବି ତଦ୍ରୂପ। ଗତ ତିନି ବର୍ଷ ମଧ୍ୟରେ କିଛି କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ସତ, ମାତ୍ର ତାହା ସମୁଦ୍ରକୁ ଶଙ୍ଖେ। ଏମିତି ବି କିଛି କଲେଜ ରହିଛି, ଯେଉଁଠି ଜଣେ ଅଧ୍ୟାପକରେ ଗୋଟିଏ ବିଭାଗ ଚାଲିଛି। ଆଉ କିଛି ସ୍ଥାନରେ ଅତିଥି ଅଧ୍ୟାପକ ହିଁ କେବଳ ଭରସା। ଗୋଟିଏ ପଟେ ରାଜ୍ୟ ସରକାର ନିଯୁକ୍ତି ଦେଉଥିବା ବେଳେ ଅନ୍ୟପଟେ ପ୍ରତି ମାସରେ ଅଧ୍ୟାପକଙ୍କ ଅବସର ଗ୍ରହଣ ସ୍ଥିତିକୁ ଅଧିକ ଜଟିଳ କରିଛି।ରାଜ୍ୟର ୫୦ଟି ସରକାରୀ କଲେଜ ଓ ୫୮୨ଟି ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ତେଣୁ ଅଧ୍ୟାପକମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କ କ୍ଲାସ ନେବା ସହ କଲେଜର ସମସ୍ତ ଦାୟିତ୍ୱ ବୁଝୁଛନ୍ତି। ଗୋଟିଏ ପଟେ ଡିଗ୍ରି କଲେଜରେ ଆବଶ୍ୟକ ଅଧ୍ୟାପକ ନଥିବା ବେଳେ ଅନ୍ୟପଟେ ଅଧ୍ୟାପକଙ୍କୁ ଭାରାପ୍ରାପ୍ତ ଦାୟିତ୍ୱରେ ବସାଇବା ଦ୍ୱାରା କ୍ୟାମ୍ପସରେ ପାଠପଢ଼ା ଠିକ୍‌ ଭାବେ ଚାଲି ପାରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଯେଉଁମାନଙ୍କୁ ଅଧ୍ୟକ୍ଷ ପଦରେ ବସାଯାଉଛି, ସେମାନଙ୍କ ନିଯୁକ୍ତିପତ୍ରରେ ଲେଖାଯାଉଛି ଯେ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ସହ କ୍ଲାସ ନେବେ। ନିୟମିତ ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏଭଳି ନିୟମ ନଥିବା‌ ବେଳେ ଭାରପ୍ରାପ୍ତ କ୍ଷେତ୍ରରେ ଏଭଳି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ୁଛି।

ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପାଇଁ ଏବେ ଯୋଗ୍ୟତାଧାରୀଙ୍କ ଅଭାବ ଦେଖିବାକୁ ମିଳୁଛି। ପୂର୍ବ ନିୟମ ଅନୁଯାୟୀ, ଜଣେ ସରକାରୀ ପ୍ରଫେସର୍‌ ହିଁ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷ ହୋଇପାରିବେ। ଡିଗ୍ରି କଲେଜ ଲାଗି ରିଡର୍‌ ଯୋଗ୍ୟତା ଥିବା ଆବଶ୍ୟକ। ମାତ୍ର ପୂର୍ବ ପ୍ରଚଳିତ ନିୟମରେ ପରିବର୍ତ୍ତନ କରାଯାଇ ଥିବାରୁ ଏବେ ଯେକେହି ଅଧ୍ୟକ୍ଷ ହୋଇପାରୁଛନ୍ତି। ବେସରକାରୀ କଲେଜ ଶିକ୍ଷକ ସଂଘ ପୂର୍ବତନ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ପରିଡ଼ାଙ୍କ କହିବାନୁଯାୟୀ, କଲେଜଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଏକାଡେମିକ୍‌ ଓ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। କନିଷ୍ଠଙ୍କୁ ଅଧ୍ୟକ୍ଷ ପଦରେ ବସାଯିବା ଦ୍ବାରା ବରିଷ୍ଠମାନେ ସହଜରେ ଗ୍ରହଣ କରୁନାହାନ୍ତି। ଏଭଳି ପାତରଅନ୍ତର କରାଯିବା ଦ୍ବାରା ପିଲାଙ୍କ ପାଠପଢ଼ା ବି ପ୍ରଭାବିତ ହେଉଛି। ତେଣୁ କଲେଜ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କ୍ୟାଡର୍‌ କରାଯିବା ସହ ଯୋଗ୍ୟତା ସ୍ଥିର ହେଉ। ଚାକିରି କେତେବର୍ଷ ଥିଲେ,

ଜଣେ ଅଧ୍ୟକ୍ଷ ହୋଇପାରିବେ, ସେନେଇ ନିଷ୍ପତ୍ତି ନିଆଯାଉ। ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି ଢାଞ୍ଚାରେ ସରକାରୀ କଲେଜ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଲାଗି ଓପିଏସ୍‌ସି ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଲାଗି ଓଏସ୍‌ଏସ୍‌ବି ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବାର ଆବଶ୍ୟକତା ରହିଛି।

ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅମୀୟ କୁମାର ମହାନ୍ତିଙ୍କ କହିବା କଥା, ସରକାରୀ କଲେଜସ୍ତରରେ କ୍ୟାଡର୍‌ ବ୍ୟବସ୍ଥା ପ୍ରଚଳିତ ଥିଲା। ମାତ୍ର ତାହାକୁ ଉଠାଇ ଦିଆଯିବା ଦ୍ବାରା କଲେଜର ପ୍ରଶାସନିକସ୍ତରରେ ନେତୃତ୍ବର ଅଭାବ ପରିଲକ୍ଷିତ ହେଉଛି। ‌ରାଜ୍ୟ ସରକାର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ସହ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କ୍ୟାଡର୍‌ ସୃଷ୍ଟି କରନ୍ତୁ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କବିତା – ଆମେ ତ ଉତ୍କଳ ସନ୍ତାନ

Sunil Chandra Nayak

ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳଚଂଚଳ ଡଗରା ବେଳା ଭୂମି

Sunil Chandra Nayak

ମଟରସାଇକଲ ଦୁର୍ଘଟଣାରେ ଜଣେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!