ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଜୀଉ ଙ୍କ ନବ ଯୌବନ ବେଶ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ

ଶ୍ରୀଜଗନ୍ନାଥ ଙ୍କ ଅଣସର ନୀତି ସରି ଯାଇଛି ବନକ ଲାଗି ପରେ ଶ୍ରୀଜୀଉ ମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ. ଏହି ନବ ଯୌବନ ଦର୍ଶନ ପୂର୍ବରୁ, ଅର୍ଥାତ ଚତୁର୍ଦଶୀରେ ଚକା ଅପସରଲାଗି ହୋଇଥାଏ ଓ ପଟିଦିଅଁ ଙ୍କ ସହ ଅଣସର ତାଟି ସାମନାରେ ଖଟରେ ବିଜେ କରିଥିବା ସାତ ମୂର୍ତ୍ତି ଠାକୁର ମାନଙ୍କ ଆଳତି ଓ ଅବକାଶ ନୀତି ପରେ ସ୍ୱ ସ୍ୱ ସ୍ଥାନକୁ ବିଜେ କରନ୍ତି ଅର୍ଥାତ ଶ୍ରୀଦେବୀ (ଲଷ୍ମୀ )ଓ ଭୁଦେବୀ (ସରସ୍ବତୀ )ଖଟ ଶେଜ ଗୃହକୁ, ଓ ଅନ୍ୟ ପାଞ୍ଚ ମୂର୍ତ୍ତି (ଦୋଳଗୋବିନ୍ଦ, ରାମ, ନୃସିଂହ, ମଦନମୋହନ ଓ କୃଷ୍ଣ )ଦକ୍ଷିଣ ଘର କୁ ବିଜେ କରନ୍ତି. ଯେଉଁ ତିନି ପଟି ଦିଅଁ ପୂଜା ପାଉଥିଲେ, ସେମାନଙ୍କୁ ବିମଳା ମନ୍ଦିର ନିକଟରେ ଥିବା ମଣ୍ଡଣି ଗୃହ କୁ ନିଆଯାଏ. କୋଠ ସୁଆଁଶିଆ ମାନେ ଅଣସର ଗୃହ ରୁ ତାଟି ଓ ଖଟ ବାହାର କରି ନିଅନ୍ତି. ଅମାବାସ୍ୟା ର ପ୍ରତ୍ୟୁଷ ରୁ ଶ୍ରୀଜୀଉ ମାନଙ୍କ ଅବକାଶ ନୀତି ପରେ ଆରମ୍ଭ ହୁଏ “ନବଯୌବନ ଦର୍ଶନ “. ଏହା ପରେ ଆଉ ଏକ ବିଶିଷ୍ଟ ନୀତି ପାଳିତ ହୁଏ ଘୋଷଯାତ୍ରା ପୂର୍ବରୁ, ତାହା ହେଉଛି “ନେତ୍ର ଉତ୍ସବ “. ନବ ଯୌବନ ଦର୍ଶନ ପରେ ପରେ ଭିତରେ ପହଁରା ଯାଇ ଚୂନ ପାଣି ପଡେ ତିନୋଟି ରୁପା ପିଙ୍ଗଣ ରେ ଚନ୍ଦନ ଆସି ପତି ମହାପାତ୍ର ଙ୍କ ଦ୍ୱାରା ସଂସ୍କାରିତ ହୋଇ ଦଇତା ସେବକ ମାନଙ୍କ ଦ୍ୱାରା ଶ୍ରୀଜୀଉ ମାନଙ୍କୁ ଲାଗି କରାଯାଏ. ତିନି ଠାକୁର ତିନି ଖଣ୍ଡ ହିସାବରେ ନଅ ଖଣ୍ଡ ବୋଇରାଣୀ ପାଟ ପରିଧାନ କରନ୍ତି, ସୁଦର୍ଶନ ଙ୍କୁ ଗୋଟିଏ ପାଟ ଦିଆଯାଏ. ପତି ମହାପାତ୍ର ଙ୍କ ଦ୍ୱାରା ଅକ୍ଷତ, କର୍ପୁର ଆଳତି ସାତଦୀପ ବନ୍ଦାପନା ପରେ, ପୂଜା ପଣ୍ଡା ମାନେ ତିନି ଠାକୁର ଙ୍କୁ ତିନିଟି କାଠି ସାହାଯ୍ୟ ରେ ନେତ୍ର ଲାଗି କରନ୍ତି.ଏଥିପାଇଁ ଦତ୍ତ ମହାପାତ୍ର ମାନେ (ତିନି ଜଣ )ରୁପା ଗିନା ରେ ସୁଦ୍ଧ ଭାବରେ ପ୍ରସ୍ତୁତ କଳା ଯୋଗାଇ ଥାଆନ୍ତି. ଏହି ନୀତି ପରେ ମୁଦିରଥ ତିନି ଠାକୁର ଙ୍କ ନିକଟରେ ତିନି ଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି (ନିଉଛlଳି ହୁଅନ୍ତି ). ଏହାପରେ ରାଜନୀତି ବନ୍ଦାପନା ହୋଇଥାଏ. ଅନ୍ୟାନ ନୀତି ପରେ ମହାସ୍ନାନ ହୋଇଥାଏ, ପୁଣି ସର୍ବାଙ୍ଗ ଚନ୍ଦନ ହୋଇ ଥାନ୍ତି, ଶ୍ରୀଗୁଣ୍ଡିଚା ପୂର୍ବ ଦିନ ସକାଳ ଧୂପ ପରେ ତିନି ବାଡ଼ ରୁ ଆଜ୍ଞା ମାଳ ପୂଜା ପଣ୍ଡା ମାନେ ଘଣ୍ଟା, ଛତା, କାହାଳି ସହ ନେଇ ତିନି ରଥରେ ଲାଗି କରନ୍ତି. ଏହାପରେ ତିନି ରଥ ସିଂହ ଦ୍ୱାର ନିକଟ କୁ ଅଣାଯାଇ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯାଏ ଓ ପବିତ୍ର ଘୋଷ ଯାତ୍ରା ର ସମସ୍ତ ପ୍ରସ୍ତୁତି ଆରମ୍ଭ ହୁଏ. ଆସନ୍ତୁ ଅପେକ୍ଷା କରିବା ସେହି ମୁହୂର୍ତ୍ତ କୁ ଆଉ ବର୍ତ୍ତମାନ କରିବା ଆରାଧନା “ପତିତଙ୍କୁ ଦର୍ଶନ ଦେବାକୁ ପାଦେ ଗମନ, କରନ୍ତି ପ୍ରଭୂ ଏସନ କୃପାନିଧାନ, ଯାହା ପାଇଁଟି ସତ୍ୱର କରନ୍ତି ଗତି ମନ୍ଥର, ଆସିବେ ଦେଖିବେ ନାରକୀୟେ ନିଦାନ ସେ ଗତିକି ଲକ୍ଷୀ ନୁହଇ ,ଏହି ରୂପେ ଧିରେ ଧିରେ ବିଜେ ଗୋସାଇଁ, (କଵି ଲୋକନାଥ ବିଦ୍ୟାଧର, ଙ୍କ ନୀଳାଦ୍ରି ମହୋତ୍ସବ କାବ୍ୟ )ଜୟ ଜଗନ୍ନାଥ (ଦ.ତ୍ରି.ଉଵାଚ )

ସତ୍ୟ ନାରାୟଣ ମହାପାତ୍ର ଙ୍କ ସଂଗୃହୀତ …..

Related posts

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା ସନେଟ ରେ ସୁନା ଦିଓଁ

Sunil Chandra Nayak

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

Leave a Comment

error: Content is protected !!