ରଥ,ପଥ,ଜଗନ୍ନାଥ
ଆହେ ଚକାଡୋଳା ନୀଳ କନ୍ଦରିଆ
ତୁମେ ପରା ଭାବର ଠାକୁର
ମହୋଦଧି କୁଳିଆ ଶିରିକ୍ଷେତ୍ରରେ
ଭକତରେ ବନ୍ଧା କରୁଣା ସାଗର ।
ପତିତ ଉଦ୍ଧାର କରିବା ପାଇଁ ତୁମେ
ଉଡାଇଛ ପତିତପାବନ ବାନା
ମାନବ ଧର୍ମର ସର୍ବଶ୍ରେଷ୍ଠ ପ୍ରତୀକ
ଧନ୍ୟ ତୁମ ଚିନ୍ତା ଚେତନା ।
ସଂସାର ଜନର ଦୁଃଖ ହରଣାର୍ଥେ
ବିଜେ ପୁରସ୍ତମ କ୍ଷେତ୍ରରେ
ନେଇ ଭାଈ ଭଉଣୀ ସାଥେ ବସିଅଛ
ବିଜେ ରତ୍ନ ସିଂହାସନରେ ।
ବର୍ଷକେ ଥରେ ଆଷାଢ଼ ଦ୍ୱିତୀୟାରେ
ବିଜେ କର ବଡ଼ ଦାଣ୍ଡକୁ
ଭାଈ ଭଉଣୀଙ୍କୁ ସାଙ୍ଗରେ ଧରି ପ୍ରଭୁ
ଘୋଷଯାତ ଲୀଳା କରିବାକୁ ।
ଜାତି ଅଜାତି ଭେଦ ଭାଵ ଭୁଲି ତୁମେ
ସଭିଙ୍କୁ କୋଳେଇ ନିଅ
ରଥ ଉପରେ ଦେଖିଦେଲେ ଥରେ
ପାତକ ଦୁରେଇ ଦିଅ ।
ରଥ,ପଥ, ଜୀଵ, ଶୁନ୍ୟ,ମହାଶୂନ୍ୟ
ଜଗନ୍ନାଥ ମୟ ସାରା ଗଗନ
ଏପରି ଦିଅଁ ଦେଖିଛ କେଉଁଠାରେ
ପ୍ରଭୁ ତୁମର ତୁଳନା ନାହିଁ
ମହାବାହୁ ବୋଲି ଡାକ ପଡୁଅଛି
ଲୀଳାମୟ କାଳିଆ ଗୋସାଇଁ ।
ଭାବକୁ ନିକଟ ଅଭାବକୁ ଦୂର ତୁମେ
ଭାବ ବିନୋଦିଆ ଠାକୁର
କର ହେ ଆଶିଷ ପ୍ରଭୁ ଜଗଦୀଶ
ଜଗତର ଦୁଃଖ ଦୂର କର ।