ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଏଇସେ କୋଣାର୍କ 

    ଏଇସେ କୋଣାର୍କ 

     ବେଣୁଧର ସୂତାର

 

ଇତିହାସେ ଯାର ଚାରୁ ହସ୍ତାକ୍ଷର

ସମୟ ଦେଇଛି ସ୍ବୀକୃତି ସ୍ବାକ୍ଷର

ରମ୍ୟ କଳାର ସେ ରମଣୀୟ କୃତି

ଲୁହସାଥେ ଭିଜା 

                     ଲହୁର ଆହୁତି ।

 

ପାଷାଣ ଗାତ୍ରର ସେ ସୃଷ୍ଟି ନିଚୟ

ବିମୋହିତ କଳା ବିଶ୍ବର ବିସ୍ମୟ

ଉତ୍କଳ କଳାର ଲଳିତ ଭାସ୍କର୍ଯ୍ୟ

ନିଖିଳ ବିଶ୍ୱର 

                  ଚାରୁ ସପ୍ତାଶ୍ଚର୍ଯ୍ୟ ।

 

ସାଗର ବେଳାର ମୁକ୍ତାକାଶ ତଳେ

ଅନୁପମ ଶୋଭା ସୁଷମା ଉଜ୍ଜ୍ଵଳେ 

ଶିଳ୍ପୀର ଜୀବନ୍ତ ନିହଣ ପରଶେ

ଚାରୁଚିତ୍ର ମୟ 

                   ଶିଳାପଦ୍ମ ଦିଶେ ।

 

ପ୍ରାଚୀ ଗଗନର ଉଦିତ ତପନ

ଛୁଏଁ ଶିଳାପଦ୍ମ ହୃଦ ସିଂହାସନ

ଉଷା ଅରୁଣିମା ସୁଷମା ସାଉଣ୍ଟି

ନୈସର୍ଗୀକ ଶୋଭା

                 ରାଜି ଉଠେ ଫୁଟି ।

 

ସୁଷମା ପୀୟୂଷ ଉପମା ମଞ୍ଜରି

ଶିଳାନାୟିକାର ତନୁକାନ୍ତି ଶିରୀ

ରମଣୀୟ ତୋରା ଦୀପ୍ତିମୟ ଧାରା

ପାଷାଣ ତନୁର 

                  ସୌନ୍ଦର୍ଯ୍ୟ ପସରା ।

 

ସ୍ୱପ୍ନିଳ ଶିଳ୍ପୀର କର ପରଶରେ

ପ୍ରୀତିର ଅମୃତ ଶିଳାପଦ୍ମୁ ଝରେ

ଶିଳା ସୁନ୍ଦରୀର ହୃଦେ ଭରା ପ୍ରୀତି

ପବିତ୍ର ପ୍ରେମର  

                      ତନ୍ମୟୀ ମୁରତି ।

 

ପ୍ରୀତିସ୍ୱପ୍ନ ବୋଳେ ଚନ୍ଦ୍ରିକା ମାଧୁରୀ

ତନୁ ତଟିନୀରେ ଉନ୍ମାଦନା ଭରି

ମନ ସୌଦାଗର ପ୍ରୀତିମୟ ରାସ

ଲୋଡେ ଚାରୁହାସୀ 

                     ପ୍ରଣୟ ପୀୟୂଷ ।

 

ଜୋଛନା ରାତିରେ ଛନଛନ ଛାତି

ଚୋରା ଚଇତାଳି ମଧୁଝରା ପ୍ରୀତି

ଝାଉଁ ବନାନୀର ମନୋରମ ବିଥି

ଚନ୍ଦ୍ରଭାଗା ତୀରେ 

                      ସପନର ସାଥି ।

 

ନିରବ ମନର ଭାବ ପ୍ରବଣତା

ନିଃଶବ୍ଦ ନିଶିର ଭାଙ୍ଗେ ନିରବତା

ବିଧୁରିତ ମନ ଯନ୍ତ୍ରଣାରେ ଜଳେ

ନଶି ନିହାରିକା  

                   ଓଢଣିର ତଳେ ।

 

ପୀରତି ଛଇଳା ମନ ମଧୁଶାଳା

କାଳବକ୍ଷେ ସାଜିଅଛି ଭଗ୍ନଶିଳା

ଉତ୍କର୍ଷ କଳାର ଯଶ ରଖି ଭବେ

ହଜିଗଲେ ଶିଳ୍ପୀ

                  କାଳର ଗରଭେ ।

 

କଳା ମାଧୂର୍ଯ୍ୟର ମୁଗ୍ଧ ଅନୁପ୍ରାସ

ଶିଳାଗାତ୍ରେ ଭରିଥିଲା ଜୀନନ୍ୟାସ

ଶୁଭୁନି ତା କୋଳୁ ପ୍ରୀତିର ନିନାଦ

ନିଃଶବ୍ଦେ କୋଣାର୍କ

                    କରେ ଆର୍ତ୍ତନାଦ ।

କେଶଦୁରାପାଳ କେନ୍ଦୁଝର

 

Related posts

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!