ହେରାପଞ୍ଚମୀ
(ମାତା ମହାଲକ୍ଷ୍ମୀଙ୍କ କ୍ରୋଧ)
ପ୍ରକାଶ କୁମାର ମିଶ୍ର
ସବୁ ବନ୍ଧନକୁ କାଟି ଦେଇ ତୁମେ
ମୋତେ ଛାଡ଼ି ଗଲ କାହିଁ ।
ହଳଦୀମୁଖୀକୁ ସଙ୍ଗେ ନେଇଗଲ
ମୋ ମୁଖ ଚାହିଁଲ ନାହିଁ ।
ମୋ ମୁଖ ଚାହିଁଲ ନାହିଁ ।।
ସକୁଟୁମ୍ବେ ଗଲ ମାଉସୀ ଘରକୁ
ମୁହିଁ କି ନୁହେଁ କୁଟୁମ୍ବ ।
ଆମ୍ବଡା ଦେଖାଇ ଆମ୍ବ ଖାଇଗଲ
ତୁଟାଇ ଦେଲ ମୋ ଦମ୍ଭ ।।
ତୁଟାଇ ଦେଲ ମୋ ଦମ୍ଭ ।।
କାଠ ଦିଅଁ ତୁମେ କାଠ ହୋଇଗଲ
କମଳାକୁ ଭୁଲି କମଳା ପତି ।
କମଳା ରମଣ ହେ ପଦ୍ମଲୋଚନ
ପଦ୍ମାଳୟା ବିନା ଗଲ କେମିତି ।।
ଲକ୍ଷ୍ମୀ ହାତରନ୍ଧା ଅରୁଚି ହେଲାକି
ମାଉସୀର ପୋଡ଼ ପିଠାକୁ ଦେଖି ।
ମାଆ ହାତରନ୍ଧା ଭାତ ର ସୁଆଦ
ମନେ ପଡିଲା କି ହେ ଚକାଆଖି ।।
ଭାଇ ଭଗ୍ନୀ ସଙ୍ଗେ ନିତି ନୂଆ ବେଶ
ବଦଳାଇ ବଦଳାଇ ହେଉଛ ।
ସବୁ ସୁଖ ତୁମ ଆଗରେ ରଖି କି
ମୋ ଆଡ଼କୁ କରି ଦେଇଛ ପଛ ।।
ମିଛ କହୁନାହିଁ ହେ କଳା ଗୋସାଇଁ
କଳାକାର ପଣ ଛଡ଼ାଇ ଦେବି ।
ଚଢ଼ାଇ ଦେବିନି ବଡ଼ ଦେଉଳକୁ
ଲକ୍ଷ୍ମୀଛଡ଼ା ମୁହିଁ କରି ରଖିବି ।।
କଣ୍ଟ ଦିଅ ମୋତେ ତୁଣ୍ଡ ଖୋଲି କରି
ମୁଣ୍ଡ ଛୁଇଁ ମୋର କୁହ ହେ ନାଥ ।
ନାଥ ବୋଲେ ପ୍ରିୟା ହୁଅ ନାହିଁ ଠିଆ
ଦୁଇଦିନ ପରେ ଚଢିବୁ ରଥ ।।
ପଥ ରହି ଥିବ ଅନାଇଁ ହେ ପ୍ରିୟା
ଦନାଇଁ ର କଥା ନହେବ ମିଛ ।
ଛୁଇଁବି କିମ୍ପାଇଁ ତୁମ ମୁଣ୍ଡ ମୁହିଁ
ତୁଣ୍ଡ ତ ମୋହର ଅଟଇ ସ୍ବଚ୍ଛ ।।
ରୋଷେ ଗରଗର ମାତା ଅନ୍ନପୂର୍ଣ୍ଣା
ନାକଚଣା ଦ୍ଵାର ବାଟେ ଆସିଲେ ।
ରଥ ଦେଖି ଦେଇ ରାଗରେ ଅନାଇଁ
ନନ୍ଦିଘୋଷ ରଥ ଯାଇ ଭାଙ୍ଗିଲେ ।।
ବୁଝାଇ ସୁଝାଇ କୋପ ଶାନ୍ତି କରି
ଗୋପ ବଳା କଳା କାହ୍ନୁ କହଇ ।
ବୁଲାଇଲି ରଥ ଦକ୍ଷିଣ ମୋଡ଼ ରେ
ପ୍ରିୟା ଯାଅ ଆଉ ଲଜ୍ଜା ନଦେଇ ।।
ତୁମ ପଛେ ପଛେ ଆସୁଅଛୁ ଆମେ
ତୁମ ଆଗେ ଦେଲି ରଥ ବୁଲାଇ ।
ଫୁଲାଇକି ମୁହଁ ରୁହ ନାହିଁ ଆଉ
ହସିଦେଇ ପଦେ କୁହ ଗେଲେଇ ।
ହସିଦେଇ ପଦେ କୁହ ଗେଲେଇ ।।