କାଉଡି ବାଲା
ଲତା ବେହେରା
ଶ୍ରାବଣ ଆସିଲେ କାଉଡି ବାଲାଙ୍କ
ମନରେ ପୁଲକ ଆସେ
ମନ ହୃଦୟରେ ଶିବ ମନ୍ତ୍ର ଜପି
ଚାଲନ୍ତି ଝଡି ବରଷେ ।
କାନ୍ଧରେ କାଉଡି ଜଳ ଭାର ଧରି
ପିନ୍ଧି ସେ ଗେରୁଆ ବସ୍ତ୍ର
ଶିବଙ୍କ କରୁଣା ପାଇବାର ପାଇଁ
ମନ୍ତ୍ରକୁ କରନ୍ତି ଅସ୍ତ୍ର ।
ନଦୀ କୂଳେ ଯାଇ ବାଲି ଶିବ ଲିଙ୍ଗ
ସ୍ଥାପି ପୂଜି ଥାନ୍ତି ହର
ବାହୁଙ୍ଗି କାନ୍ଧେଇ ଜଳେ ବୁଡ ଦେଇ
ନେଇଥାନ୍ତି ଜଳ ଭାର ।
ଚାଲି ଚାଲି ଯାଇ ଶିବ ପଞ୍ଚାକ୍ଷର
ମନ୍ତ୍ର ଜପି ଭକ୍ତେ ଯାନ୍ତି
ବେଳେ ବେଳେ ଭୋଳା ବାବା ଡାକ ଦେଇ
ବୋଲ୍ ବମ୍ ଯାଉ ଥାନ୍ତି ।
ଶ୍ରଦ୍ଧା ଭକ୍ତି ବିଶ୍ବାସରେ ଚାଲି ଥାନ୍ତି
ମନରେ ଆଗ୍ରହ ରଖି
ଶିବଙ୍କ ଲିଙ୍ଗରେ ଜଳ ସେ ଢାଳିବେ
ଚାହିଁ ଥାଏ ଖାଲି ଆଖି ।
ଗୟସ ଦୁଦୁରା ବେଲ ପତ୍ର ସଙ୍ଗେ
ନିଅନ୍ତି ଆରଖ ମାଳ
ଏକବାର ଭକ୍ତେ କରନ୍ତି ପାଳନ
ସୂର୍ଯ୍ୟଙ୍କୁ ଅର୍ପନ୍ତି ଜଳ ।
ଆଗରୁ ବୋଲ୍ ବମ୍ ପୁଅମାନେ ଯାଇ
ଲିଙ୍ଗେ ଢାଳୁ ଥିଲେ ଜଳ
ଏବେ ଏ ଯୁଗ ତ ବଦଳି ଗଲାଣି
ଝିଅମାନେ ଦଳ ଦଳ ।
ପୁଅ ଝିଅଙ୍କର ନାହିଁ ଭେଦ ଭାବ
ଚାଲି ଥାନ୍ତି ସେ ରାସ୍ତାରେ
ॐ ନମଃ ଶିବାୟଃ ଶିବଙ୍କର ନାମ
ରହି ଥାଏ ଯେ ତୁଣ୍ଡରେ ।
ପ୍ରଭୁ ଶିବଙ୍କର ନାମେ ଯେ ଭଜନ
କେତେ ପ୍ରକାର ହେଉଛି
ଭକ୍ତି ଭାବ କେତେ ସେଥିରେ ରହିଛି
ଶ୍ରୋତା ଏକା ଯେ ଜାଣିଛି ।
ଆଜିକାଲି କେତେ ପ୍ରହସନ କରି
ବୋଲ୍ ବମ୍ ଯାଉଛନ୍ତି
କିଏ ତ ଟିପର୍ କିଏ ତ ବୋଲର
କେ ପୁଣି ଟ୍ରକ୍ ରେ ଯାନ୍ତି ।
ଚାନ୍ଦାକୁ ଆଦାୟ କରିଣ କିଏ ଯେ
ପିଲାଙ୍କୁ ଖାଇବା ଦ୍ୟନ୍ତି
ଆଉ ପୁଣି କିଏ ଶିବଙ୍କ ନାଆଁରେ
ଗଞ୍ଜେଇକୁ ଟାଣି ଥାନ୍ତି ।
ସତ୍ୟ ଯଦି ଆମେ ଜାଣି ନ ପାରୁଛେ
ମିଛ ପ୍ରବଚନ ଶୁଣି
ଦେବା ଦେବୀଙ୍କର ପବିତ୍ର ନାମରେ
କଳଙ୍କ ନ ଦେବା ଆଣି ।
ଏମିତି ଭଜନ ଏବେ ପ୍ରଚଳିତ
ଶୁଣି ଦୁଃଖ ଲାଗେ ଘୋର
କେତେ ଯେ ସେଥିରେ ଭକ୍ତି ରହି ଅଛି
ଜାଣି ଥାନ୍ତି ଭୋଳେଶ୍ବର ।
ସେ ଶିବ ଶଙ୍କର କରନ୍ତୁ ସୁଦୟା
ରହୁ ହୃଦୟେ ଭକତି
ଚରଣେ ପଣତୀ କରୁଛି ହେ ପ୍ରଭୁ
କ୍ଷମା ଦେବ ପଶୁପତି ।
ॐ ନମଃ ଶିବାୟ
ଲତା ବେହେରା
ଜକା, ଢେଙ୍କାନାଳ