ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିନାବ

ଭକ୍ତିନାବ

ଜ୍ୟୋତ୍ସ୍ନା ରାଣୀ ଦେବୀ

ଭକ୍ତର ମୁଁ ଚିରଦିନ ମାଗିନିଅ ଯାହା ତୁମ ବାଞ୍ଛା
ହର୍ଷିତରେ ବଳରାମେ ପୁଚ୍ଛିଲେ ଗୋବିନ୍ଦ ଜଣାଇ ଶୁଭେଛା
    କି ମାଗିବି ଦେବ
ମାତା ସାଥେ ରାତ୍ରିବିହାର ଦର୍ଶନ ଅଭୀପ୍ସା ମୋ ପୂର୍ଣ୍ଣ କରିବ ।
କ୍ରୋଧାଗ୍ନିରେ ଜର୍ଜରିତ ସିନ୍ଧୁ ରାଜଜେମା
ଆରେ ମୂଢ ପିତମାତା ସାଥେ ତୋର ଏଡିକି ଛଳନା
    ଦେଖିବୁ ତୁ ଏଡେ ତୋର ମନ
ମଲାବେଳେ ନ ପାଇବୁ ଶୀରିକ୍ଷେତ୍ରେ ସ୍ଥାନ ।
ହୋଇଲା ଆସନ୍ନ ଯେବେ ମରଣ ସମୟ
ଶଯ୍ୟାଶାୟୀ ବଳରାମ ଖୋଜିଲେ ଶ୍ରୀଜଗନ୍ନାଥେ ହୋଇଲେ ତନ୍ମୟ
    କି କରିବି ଏବେ
ପାଇବିନି ଆଉ ଦେଖା ପ୍ରଭୁ ଥରେ ତୋଳିନିଅ ଭବେ ।
ଭକ୍ତ ଚିତ୍ତ ଚିନ୍ତାନଳ ଲିଭାଇବା ପାଇଁ
ବାହାରିଲେ ଖରତରେ ଭକ୍ତ ଭାବଗ୍ରାହୀ
    କୁଆଡେ ଯାଉଛ
ପଛରୁ ପୁଚ୍ଛିଲେ ଆସି ମାତା ଲକ୍ଷ୍ମୀ ହୋଇଣ ବିମର୍ଷ ।
ଏ ସମାଜ ଯାହା କହୁ ଅସ୍ପୃଶ୍ୟ ଅଚ୍ଛବ
ମୁଁ କିନ୍ତୁ ଥାଏ ତହିଁ, ଉବୁଟୁବୁ ହେଉଥାଏ ଯହିଁ ଭକ୍ତିନାବ
    ଉଦ୍ଧରିବା ପାଇଁ
ଧାଇଁଥାଏ,ରଚିଥିଲେ ଶ୍ରୀୟାଖ୍ୟାନ ମନେ ତୁମ ନାହିଁ ।
ନ ଥାଏ ବୈକୁଣ୍ଠେ କେବେ ଜାଣିନା କି ତୁମେ
ଯୋଗୀ,ସାଧୁସନ୍ଥ ପାଶେ ନ ଥାଏ ଏ ଭୂମେ
   ମିଳିଯାଏ ,ଭକ୍ତଗଣ ମୋର
ଗାଉଥାନ୍ତି ତଲ୍ଲୀନରେ ବିଗଳିତ ନୟନର ଧାର ।
ପୁରପଲ୍ଲୀ ଭ୍ରମୁଥାଏ ଖେଦିଯାଏ ତମସା ଅରଣ୍ୟ
ଦୁର୍ଗମ ଅଗମ୍ୟ ପଥ ଅସହ୍ୟ ବନ୍ଧୁର ଆଉ କଣ୍ଟକେ ପ୍ରକୀର୍ଣ୍ଣ
     ଝରୁଥାଏ ଆବେଗର ବିନ୍ଦୁ
ଢାଳିଦିଏ ସେଠି ପରା ମୋ ଆଶିଷ ସିନ୍ଧୁ ।
ଯାଉଛି ମୁଁ ଡାକୁଅଛି ଭକ୍ତ ବଳରାମ
ପଡିଅଛି ଅସହାୟେ ମୋର ଦରଶନେ ତଟିନୀ ପୁଳିନ ।
   ହସିଦେଲେ ସହର୍ଷରେ ମାତା
ଏଡିକି ଅଭାଗା,ଶାପ ମୋର ଫଳିଗଲା ନ ପାଇଲା ଶିରିକ୍ଷେତ୍ର ସତ୍ତା ।
ହସୁଥିଲେ ସେ ରଙ୍ଗା ଅଧର କୁଟିଳ ସେ ହାସ୍ୟ
ମହାଲକ୍ଷ୍ମୀ ସାଥେ ଘେନି ଗରୁଡ଼ ପୃଷ୍ଠରେ ପହଞ୍ଚିଲେ ବଳରାମ ପାଶ
    ସତୃଷ୍ଣେ ସେ ରହିଥିଲେ ଚାହିଁ
ମୁଦିବା ଆଗରୁ ଆଖି ଦର୍ଶନର ଅଭିଳାଷ ଗଲା ପୂର୍ଣ୍ଣ ହୋଇ ।
ଜଗନ୍ନାଥ ମାତା ପାଶେ କହୁଥିଲେ ହସି
ଶ୍ରୀ ପରା ତୁମେ ଆଉ ମୁଁ ଯେ କ୍ଷେତ୍ରବାସୀ
   ଆମେ ଦୁହେଁ ଥିଲେ ପରା ଏଠି
ବଳରାମ ପାଇଲା ଶ୍ରୀକ୍ଷେତ୍ର ,ଆଶୀର୍ବାଦ ଦେଲ ପରା ଭେଟି ।

  ବ୍ରହ୍ମପୁର, ଗଂଜାମ

Related posts

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ସମୟ

Sunil Chandra Nayak

ବରିଷ୍ଠ ମାନଙ୍କୁ ସମ୍ମାନ ଜଣାଇଲେ ବିଧାୟକ

Sunil Chandra Nayak

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

Sunil Chandra Nayak

Leave a Comment

error: Content is protected !!