ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

      କୃତ୍ରିମତା

     

    ଅପର୍ତ୍ତି ସେଠୀ

ଯାଇଥିଲି ଯେବେ ଭୂବନେଶ୍ଵର ମୁଁ
      ଆଚମ୍ବିତ ହୋଇଗଲି,
ମଣିଷର ହାତ ତିଆରି ଜିନିଷ
      ଅନେକ ସେଠି ଦେଖିଲି।
ଲକ୍ଷ ଲକ୍ଷ ଗାଡ଼ି ସୁଉଚ୍ଚ ଅଟାଳୀ
      ଶହଶହ କାରଖାନା,
ଗାଡ଼ି ମଟରଙ୍କ ଦ‌ଉଡା ଧାଆଁରେ
      ହୋଇଗଲି ଆନମନା।
ସୁନ୍ଦର ସୁନ୍ଦର ଉଦ୍ୟାନ ଶୋଭାରେ
       ସୁନ୍ଦର ଭୂବନେଶ୍ଵର,
ହେଲେ ମଣିଷଙ୍କ ମନରେ ସେଠାରେ
       କୃତ୍ରିମତା ଭରପୁର।
କଥାରେ ରହିଛି କୃତ୍ରିମ ଇଙ୍ଗୀତ
       ହସ ବି କୃତ୍ରିମ ସେଠି,
କୃତ୍ରିମ ପ୍ରେମରେ ପଡିଛନ୍ତି ସର୍ବେ
       କୃତ୍ରିମ ବି ଦିନ ରାତି।
ଚାକଚକ୍ଯ ଶୋଭା ଭାରି ମନଲୋଭା
       ଆଖି କି ସହଜେ ଛାଡେ,
ଫୁଲ ଫୁଟୁଅଛି ସୁନ୍ଦର ଦିଶୁଛି
       ବାସ୍ନା କି ଅଛି ସେଥିରେ? 
ଗାଈ ଖାଉଅଛି କାଗଜ ପଲ୍‌ଥିନ୍
       ଗୋବରରେ କୃତ୍ରିମତା,
ପ୍ରକୃତି ହସୁଛି ହେଲେ ସେହିଠାରେ
       ନାହିଁ ବି ପ୍ରାକୃତିକତା।
ଫଗୁଣ ଆସୁଛି ସବୁଦିନେ ହେଲେ
       ମଳୟ ସେଥିରେ ନାହିଁ,
କୃତ୍ରିମ ଶ୍ରାବଣ ବାରିଧାରା ବର୍ଷେ
      ଶୋଷ କାର ମେଣ୍ଟେ ନାହି।
କୃତ୍ରିମ ହୃଦୟ ଘେନି ବୁଲୁଛନ୍ତି
      ଲକ୍ଷ ଲକ୍ଷ ଲୋକ ସେଠି,
ସମସ୍ତେ କୃତ୍ରିମ ପଛେ ପଡିଛନ୍ତି
      ଖଟୁଛନ୍ତି ଖାଲି ବେଠି।
ପ୍ରକୃତି ଯେମିତି ହାଆର ମାନିଛି
      ଏହି ମାୟା ନଗରୀରେ,
କୃତ୍ରିମତା ଏଠି ଅଟ୍ଟହାସ କରି
      ଗରବେ ନିଶକୁ ମୋଡେ। 
କାର୍ଯ୍ୟାଳୟ ଗୁଡା ଅଛି ତ ହଜାରେ
      ମିଛ ସମ୍ପର୍କ ବି ଅଛି,
କିଏ ଯଦି କିଛି ବିପଦେ ପଡୁଛି
      ତାକୁ କିଏ ପଚାରୁଛି? 
ମୋ ଗାଁ ମୁହଁଟି ମନେ ପଡ଼ିଯାଏ
       ଆଖିରୁ ମୋ ଝରେ ଲୁହ,
ଟାଣିନିଏ ମୋତେ ବାପାବୋଉ ଆଉ
       ଦାଦା ଖୁଡିଙ୍କର ସ୍ନେହ।
ମନଖୋଲା ହସ ବଣ ବିଲ ଗଛ
       ହାତ ଠାରି ମୋତେ ଡାକେ,
ନିଷ୍କପଟ ଆଖି ମୋ ଗାଁ ମାଟି
       ମୋ ଆଖି ଆଗରେ ନାଚେ।
ବରମୁଣ୍ଡା ପିନ୍ଧା ବୁଢ଼ାଙ୍କୁ ଆଉ ମୁଁ
       ସହରେ ଦେଖିବି ନାହିଁ,
 ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଦୃଶ୍ୟକୁ
       ସହଜେ ମାନିବି ନାହିଁ।
ବୁଢୀଙ୍କ ନାଇଟି ଚୂଡିଦାର ବେଶ
       ସଟ୍‌କଟ୍ ଅର୍ଦ୍ଧ ନଗ୍ନ,
କଳୁଷିତ ସେଠି କୃତ୍ରିମ ପିରତୀ
       ଯାହା ସବୁ ମୂଲ୍ୟହୀନ।
ରଙ୍ଗ ବୋଳା ମନ ଗୁଡାଙ୍କର ସେଠି
      ଡ୍ଯାନ୍‌ସ ଚାଲେ ବାଆରରେ, ,
ମୋ ଗାଁ ସନ୍ଧ୍ୟାର ମଠ ମନ୍ଦିରର
       ସଂକୀର୍ତ୍ତନେ ପେଟ ପୁରେ।
ମୋ ଅଜା ଆଇଙ୍କ ମନଖୋଲା ପ୍ରେମ
       କ‌ଅଁଳା ବାଛୁରୀ ଡିଆଁ,
ନାହିଁ କୃତ୍ରିମତା ମୋ ଗାଁ ପରବେ
       ନିଆ ନିଶାପରେ ଯାହା।
ମୋ ଗାଁ ପୋଖରୀ ଗାଧୁଆର ମଜା
       ବାଥ୍‌ରୁମ୍‌ଟିରେ ନାହିଁ,
ମୋ ଗାଁ ପଖାଳ କଂସା ସ୍ଵାଦ ଭଳି
       ବିରିଆନୀ ହେବ କାହିଁ?
ମୋ ଗାଁ ସକାଳ ସୁନେଲି ଖରାରେ
       ମୋ ଗାଁ ହସୁଥାଏ,
ପଞ୍ଚତାରକାର ଏସି ହୋଟେଲରେ
       ମୋମନ ବୁଝୁ ନଥାଏ।
ପ୍ରକୃତି ଯେଉଁଠି ସବୁଜ ଶାଢୀରେ
       ମହାରାଣୀ ସାଜିଅଛି,
ସେହି ଗାଁ ମୋର ଅତି ଆପଣାର
       ମୂର୍ଖ ଅପର୍ତ୍ତି କହୁଛି।
ହେଲେ ଆଜି କିନ୍ତୁ ମଣିଷ କହୁଛି
      ନିଜର ଛାତି ଫୁଲେଇ, 
ଭୁବନେଶ୍ୱରରେ ଜାଗା କିଣିବାରୁ
      ଭାଗ୍ୟବାନଟିଏ ସେହି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

   

Related posts

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

Sunil Chandra Nayak

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

Sunil Chandra Nayak

ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!