ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ଶୀତୁଆ ପଖାଳ

 ଶୀତୁଆ ପଖାଳ

   (ବ୍ୟଙ୍ଗ ବୁଟି)
ଆଜ୍ଞା ବୟସ ହେଲାଣି
ରୋଗ ଗ୍ରାସିଲାଣି
ପେଟ ରୋଗ ଟିକେ ଅଛି,
ଡାକ୍ତର କହିଛି ଗରମ ଖାଇବୁ
ଔଷଧ ଲେଖି ଦେଇଛି ।।
ଶୀତୁଆ ସକାଳ ପେଟ ଗୋଳମାଳ
ବୋଉକୁ କହିଲି ବସି,
ବୋଉ ଲୋ ! ଏ ବୋଉ !
ବାସି ପଖାଳ ଗଣ୍ଡେ ଦିଅନ୍ତୁନି ଆଜି
ପେଟ ମୋ’ ଗଲାଣି ସିଝି ।।
କହିଲା ଧନରେ,
ବେଶି ଖାଇବୁନି
ନ ହେଲେ ଧରିବ ସର୍ଦ୍ଦି,
ରୋଗିଣା ଦେହ ତୋ ଖରାପ ହୋଇଲେ
ଏ ବୟସେ ତୋତେ କେମିତି ଉଠାଇବି
ମୋ ହାଡ଼ ମାଉଁସ ହେଲାଣି ରଦି ।।
ପଖାଳ କଂସାଏ ସଅଳ ପାରିଲା
ବାରମିଶା ଶାଗ କରି,
ଗରମା ଗରମ ସବୁ ପରଷିଲା
କଂସା କଡ଼ ଗଲା ପୁରି ;
କଞ୍ଚା କଦଳୀକୁ ବିମ୍ ପକେଇ
ଖମ୍ବ ଆଳୁ ଦେଲା ଭାଜି,
ମଞ୍ଜା ଚୁଡୁଚୁଡା ଆଳୁ ସିଝା ଦେଖି
ମନ ମୋ’ ଗଲା ତ ମଜି,
କମଳା କୁସାଏ କଞ୍ଚାଲଙ୍କା ଦଳି
ରସୁଣକୁ ଦେଲି ଚକଟି
ତୋରାଣି ଟୋପାଏ ଢାଳିଦେଲି ପୁଣି
ବଡିଚୁରା ଦେଲି ଘାଣ୍ଟି ,
ଆସନକୁ ଦେଲି ପାରି
ବସିଗଲି ଚକା ପାରି
ଖରା ଆଡେ ପିଠି କରି ।।
ଗପାଗପ କରି ଚୁଣ୍ଟିଲି ପ୍ରବଳ
କଂସାଏ ପଖାଳ ନିଅଣ୍ଟ ହେଲା
ତିଅଣ ସଜାକୁ ପଖାଳ ବାସନା
ପୁତୁରା ଝିଆରୀଙ୍କ ଲାଳ ଗଡିଲା ।।
କୋଉଠି ଥିଲେ ସେ ଡାହୁକ ଦି’ଟା
ଖାଇବାକୁ ଜିଦି ଧରିଲେ
ଦୁଇକଡେ ମୋର ବସିଗଲେ
କଂସା କଂସା କରି ଚାରି କଂସା ଠୁଙ୍କିଲେ
ମୋ ତିଅଣକୁ ଦେଲେ ଚାଟି
ସହି ପାରିଲିନି ସେସବୁକୁ ଦେଖି
ଛାତି ଗଲା ମୋର ଫାଟି ।।
ସେମିତି ବସି ମୁଁ ଅଳିଚଳି ହେଲି
ଟଁ ଟାଁ କରି ଛାଡିଲି
ଭଁ ଭାଁ କରି ରେଳ ଛୁଟାଇଲି
ଓସାସ ଲାଗିଲା ଭାରି ।।
ବାକି ପଖାଳକୁ କମଳା ଚକୁଟା
ଆଣ୍ଟେ ଆଣ୍ଟେ ଦେଲି ଠୁଙ୍କି
ଉଦର ଶାନ୍ତିକୁ ଆତ୍ମା ଶାନ୍ତି ହେଲା
ପେଟ ରୋଗ ଗଲା ଶଙ୍କି ।।
ଖାଇସାରି ଯେବେ ଟିକେ ବସିଗଲି
ହାକୁଟି ଗଲା ମୋ ଛୁଟି,
ଆରାମ ଲାଗିଲା ନିଦ ଆସିଗଲା
ଲୋଟେଇ ଦେଲି ମୁଁ ପିଠି ।।
ଗୋଟେ କଡ଼ ମାଡି଼ ଶୋଇଗଲି ଯାହା
ଘଣ୍ଟା ଶବ୍ଦ ଶୁଣି ଉଠିଲି,
ଏ ସୁଖଠୁ ବଳି କେଉଁ ସୁଖ ଅଛି
ପାଇବ କି ଭାଇ ଭଲା ??
ଶୀତୁଆ ପଖାଳ କମାଲ କରିଲା
ରାଜ ସୁଖ ଆଣିଦେଲା,
ମନ ମୋ’ ମଜେଇ ଦେଲା
ଗରମ ପବନ ତଳୁ ବାହାରିଲା
ପେଟ ରୋଗ କମିଗଲା ।।
ଯାହା କହ ଭାଇ !
ଏ ଶୀତୁଆ ପଖାଳ 
ବୈଦ୍ୟବୁଟି କାମ ଦେଲା,
ତାକୁ କି ଭୁଲିବି ଭଲା
ତାକୁ କି ଭୁଲିବି ଭଲା
ମୁଁ ପରା ଓଡି଼ଆ ପିଲା ।।

@ ଶ୍ରୀକାନ୍ତ ପଣ୍ଡା ଡଟ୍ କମ୍

             ଭଦ୍ରକ

Related posts

ଶିକ୍ଷକ ବାସୁଦେବଙ୍କ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ନୀଳଗିରି ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!