ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବାଟ

      ” ବାଟ ” 

                     ଶ୍ଯାମା ପ୍ରସାଦ୍ ବୋଷ୍ 

ବାଟ ର ବାଟୋଇ ବାଟ ଚାଲୁ ଚାଲୁ 
ବାଟ କେବେ ସରିଯାଏ 
ବାଟ ଚାଲିବାରେ ଥକ୍କାପଣ ଯେତେ 
ବାଟ ଧାରେ ମେଣ୍ଟିଥାଏ । 
ବାଟ ଧାରେ ଯେବେ ବୃକ୍ଷ ମିଳିଯାଏ 
ତା ମୂଳେ ବିଶ୍ରାମ ନିଏ 
ଥକ୍କା ମିଣ୍ଟିଗଲେ ପୁନଃ ବାଟ ଚାଲେ 
ଗନ୍ତବ୍ୟ ପଥରେ ସିଏ । 
ବାଟ ତ ଅନେକ ପକ୍କା କଚ୍ଚା ଥାଏ 
ସହର ଠୁଁ ଗ୍ରାମ ଯାଏଁ 
ବିଲ ଗହୀର ରେ ନଦୀ ପୋଖରୀ ରେ 
ବାଟ ପୁଣି ଯାଇ ଥାଏ । 
ବାଟର ଧରମ ବାଟୋଇ କୁ ତାର 
ଗନ୍ତବ୍ୟ ରେ ପହଞ୍ଚାଏ   
ବାଟ ହୁଡିଗଲେ ଅବାଟେ ବାଟୋଇ 
ବଡ ହିନସ୍ତା ଯେ ପାଏ । 
ଧର୍ମ କର୍ମ ନେଇ ବାଟ ର ଭିନ୍ନତା 
ଦିଗ କୁ ସୂଚାଇ ଦିଏ 
ଯୋଗ୍ୟ ବାଟୋଇ ଟି ସୁ ବାଟ ଧରଇ 
ଅଯୋଗ୍ୟ କୁବାଟ ନିଏ । 
ଧର୍ମ କର୍ମ ଘେନି ଜୀବ ଆସେ ଯାଏ 
ବାଟ ସବୁ ଦେଖୁଥାଏ 
ନିରବରେ ବାଟ ଅଛି ମୁକସାକ୍ଷୀ 
କିଏ ଆସେ କିଏ ଯାଏ । 
ଗ୍ରାମ ବାଟ ଦେଇ ନୂଆ ହୋଇ କେତେ 
ଗ୍ରାମ କୁ ତ ଆସିଥାଏ  
ଶେଷେ ସେହି ଗ୍ରାମ ବାଟ ଦେଇ ପୁଣି 
ଶ୍ମସାନ ଭୂଇଁ କୁ ଯାଏ ।  
କିଏ ପୁଣି ସେହି ଗ୍ରାମ ବାଟ ଦେଇ 
ସହର କୁ ଚାଲିଯାଏ 
ବାଟ ଭୁଲି ଯାଇ ଆଉ ଫେରେ ନାହିଁ 
ବାଟ ତାର ସାକ୍ଷୀ ଥାଏ । 
ବାଟ ଭୁଲି ଯିଏ ଅବାଟ ରେ ଯାଏ 
ତା ଜୀବନେ ଦୁଃଖ ଥାଏ 
ଅମଡା ବାଟରେ ଘାତ ପ୍ରତିଘାତେ 
କଷ୍ଟ ଓ ଯନ୍ତ୍ରଣା ପାଏ । 
ଅବାଟ ରେ କଣ୍ଟା ପାଦେ ଫୁଟି ଯାଇ 
ରକ୍ତ କେତେ ଝରିଥାଏ 
ଅବାଟ କୁ ଛାଡି ବାଟେ ଯିବା ପାଇଁ 
ସତର୍କ ସୂଚନା ଦିଏ । 
ପ୍ରତ୍ୟେକ କ୍ଷେତ୍ରରେ ବାଟ ରହିଅଛି 
ସୁ ବାଟ ଯେ ଆପଣାଏ 
ବାଟ ତାକୁ ନେଇ ଉତ୍ତମ ଲକ୍ଷ୍ୟରେ 
ଅବଶ୍ୟ ଯେ ପହଞ୍ଚାଏ । 
ଭକ୍ତି ର ବାଟରେ ଭଗବାନ ମିଳେ 
ବିଭୁ କୃପା ମିଳିଯାଏ 
ମୁକ୍ତି ର ମାର୍ଗ ରେ ବାଟ କୁ କଢାଏ 
ମୋକ୍ଷ ପ୍ରାପ୍ତି ହୋଇଥାଏ । 
ସଂସାର ବାଟରେ ସୁ ବାଟ କୁ ବାଟ 
ଉଭୟ ତ ପଡିଥାଏ । 
ସୁ ବାଟ ରେ ଗଲେ ଜୀବନ ସାର୍ଥକ 
କୁ ବାଟ ରେ ଦୁଃଖ ପାଏ । 
ଚାଲି ନଜାଣି ଯେ ବାଟ ଦୋଷ ଦିଏ 
ଅଧମ ଜନ ଟି ସିଏ  
ବାଟରେ ନଜର ରଖି ଚାଲେ ଯିଏ 
ଉତ୍ତମ ବାଟୋଇ ଟିଏ । 
ବାଟ ଭୁଲି ଯିଏ ଅବାଟ ରେ ଯାଏ 
ତାକୁ ବାଟ ମିଳିଯାଏ 
ଜାଣି ଶୁଣି ଯିଏ ଅବାଟ ରେ ଯାଏ 
ବହୁ ଦୁଃଖ କଷ୍ଟ ପାଏ । 
ଭଲ ମଣିଷ କୁ ବାଟ ଦେଖାଇଲେ 
ଭଲ ବାଟେ ଯାଏ ସିଏ 
ଖରାପ ମଣିଷ ଅବାଟ ରେ ଗଲେ 
ତାକୁ ଦେଖାଇବ କିଏ ? । 
ଶ୍ଯାମା ପ୍ରସାଦ୍ ବୋଷ୍ 
ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ

Sunil Chandra Nayak

ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ

Sunil Chandra Nayak

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

Sunil Chandra Nayak

Leave a Comment

error: Content is protected !!