କାମାକ୍ଷାନଗର (ମ ନି ସ) କାମାକ୍ଷାନଗର ଉପଖଣ୍ଡ ଚିକତ୍ସାଳୟରେ ମଙ୍ଗଳବାର ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଜନ୍ମିତ ସନ୍ତାନ କେହି ସତ୍କାର କରିବାକୁ ନ ଆସିବାରୁ ଉପଖଣ୍ଡ ଚିକିତ୍ସାଧିକାରୀ ବୃଦ୍ଧାଙ୍କର ସତ୍କାର କରିଥିବାର ଜଣାଯାଇଛି l ଭୁବନ ଥାନା ଅନ୍ତର୍ଗତ କହେଁଇପାଳ ଗ୍ରାମର ପ୍ରମିଳା ସେଠୀ ( ୬୫ ) ଗତ କିଛିଦିନ ଧରି ଉପଖଣ୍ଡ ଚିକିତ୍ସାଳୟର ପଛ ପାଖରେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଥିଲେ l ମଙ୍ଗଳବାର ଭୋର ସମୟରେ ପ୍ରମିଳାଙ୍କର ମୃତ୍ୟୁ ହୋଇଥିଲା l କାମାକ୍ଷାନଗର ସହର ମାଧ୍ୟରେ ଥିବା ତାଙ୍କ ଜନ୍ମିତ କନ୍ୟାକୁ ଖବର ଦିଆଯାଇଥିଲେ ହେଁ କେହି ତାଙ୍କ ମୃତ ଦେହକୁ ନେବାକୁ ଆସି ନ ଥିଲେ l କିନ୍ତୁ ଉପଖଣ୍ଡ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳ ନିଜସ୍ୱ ଉଦ୍ୟମରେ ବଜାରରୁ ସତ୍କାର କରିବା ସରଞ୍ଜାମ କ୍ରୟ କରି ଏନଏସି ଠାରୁ ଭଡାରେ ଗାଡି ଓ କର୍ମଚାରୀଙ୍କ ସହାୟତାରେ ସତ୍କାର ର ବ୍ୟବସ୍ଥା କରିଛନ୍ତି l ଏହି ଖବର ଏବେ ସହରରେ ଚର୍ଚାର ବିଷୟ ହୋଇଛି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ