ଭବାନୀ ପାଟଣା -: କଳାହାଣ୍ଡି ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ଧରିତ୍ରୀ ର ଜିଲ୍ଲା ପ୍ରତିନିଧି ଙ୍କ ଅକାଳ ବିୟୋଗରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଭବାନୀପାଟଣା ସ୍ଥିତ ହୋଟେଲ ଭାଗୀରଥୀ ଇନ୍ ଠାରେ ଆୟୋଜିତ ହୋଇଯାଇଛି ।୩୧ଜାନୁୟାରୀ ସଂଧ୍ୟା ୬ ଟା ସମୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲାର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ସାନ୍ତନୁ ବେହେରା , ବରିଷ୍ଠ ସାମ୍ବାଦିକ ତଥା ଏଇ ଓଡିଶା ର କାର୍ଯ୍ୟ ନିର୍ବାହୀ ସଂପାଦକ ନରେନ୍ଦ୍ର ନେଗୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ।ଏହି ଶୋକ ସଭାରେ ବହୁ ବରିଷ୍ଠ ଓ ଯୁବ ସାମ୍ବାଦିକ ଙ୍କ ସହ ବିଶିଷ୍ଟ ସମାଜ ସେବୀ,ରାଜନେତା ଉପସ୍ଥିତ ଥିଲେ।ପ୍ରଥମେ ଦିବଂଗତ ଆତ୍ମାର ସଦ୍ ଗତି ସକାଶେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା,ଏବଂ ଉପସ୍ଥିତ ବ୍ୟକ୍ତି ମାନେ ସ୍ଵର୍ଗତ ସଂଜୀବ ଯୋଶୀ ଙ୍କ ସ୍ମୃତି ଚାରଣ କରିଥିଲେ।ଶେଷରେ ପେଶାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀ କାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ସାମ୍ବାଦିକ ମାନେ ଜିଲ୍ଲା ର ଯେ କୌଣସି ସାମ୍ବାଦିକ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ସହଯୋଗ ର ହାତ ବଢ଼ାଇବା ପାଇଁ ଆହ୍ୱାନ ଜଣାଇଥିଲେ।ସେହିଭଳି ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବା ପାଇଁ ବରିଷ୍ଠ ସାମ୍ବାଦିକ ମାନେ ପରାମର୍ଶ ଦେଇଥିଲେ ।ଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଚାରି ଜଣ ଯୁବ ସାମ୍ବାଦିକ ଙ୍କ ଅକାଳ ବିୟୋଗ ଘଟିଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା।ଜିଲ୍ଲାର ଯେକୌଣସି ସାମ୍ବାଦିକ ଙ୍କ ମଧ୍ୟ ଅସୁସ୍ଥତା ଦେଖାଦେଲେ ତାଙ୍କୁ ତତକ୍ଷଣାତ୍ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ବେସରକାରୀ ଡାକ୍ତରଖାନା ମାନଙ୍କୁ ନିର୍ଦେଶ ଦିଆଯିବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଲିଖିତ ଭାବେ ସାମ୍ବାଦିକ ସମୂହ ତରଫରୁ ଅନୁରୋଧ କରାଯିବ ବୋଲି ମତପ୍ରକାଶ ପାଇଥିଲା।