ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା // ହେ ଇଂରାଜୀ ନବବର୍ଷ

 ହେ ଇଂରାଜୀ ନବବର୍ଷ

           ଅପର୍ତ୍ତି ସେଠୀ

         (ରମ୍ୟ କବିତା)
ହେ ଇଂରାଜୀ ନବବର୍ଷ,
ଠିକ୍ ବିତିଗଲା ବାରମାସ‌,
କ୍ୟାଲେଣ୍ଡର ପାଞ୍ଜି ତିଥି ଦେଖିଦାଖି
ପହଞ୍ଚିଲ ଆମ ପାଶ…
ହେ ଇଂରାଜୀ ନବବର୍ଷ !
ତୁମେ ଓଡ଼ିଆ ନୁହଁ ଅବଶ୍ୟ,
ହେଲେ ଏ ଓଡ଼ିଆ ବିଦେଶୀ ସାଜୁଛି
ଧରୁଛି ତୁମରି ବେଶ ….
ନୂଆକରି ଯେଣୁ ଆସିଛ ଏଠାରେ
ଜାଣ ହେ ଆମ ରହସ୍ୟ ,
ହେ ଇଂରାଜୀ ନବବର୍ଷ।୧।
ନାରୀମାନେ ଏଠି ଜିନ୍ ମାରିଲେଣି
      ଧରିଲେଣି ପୁଅ ବେଶ,
ପଖାଳକୁ ଆଉ ପସନ୍ଦ କରୁନୁ
      ଖାଇଲୁଣି ବ୍ରେକଫାଷ୍ଟ।
ଡା‌ଡ଼ି ମମି ଆମେ ଡାକିଲୁଣି ପୁଣି
      ହାଲୋ ହାଏ କରିଲୁଣି‌,
ଆଣ୍ଠୁଚିରା ଆଉ ବରମୁଣ୍ଡା ପିନ୍ଧି
       ଗଞ୍ଜାକଟ୍‌ କାଟିଲୁଣି‌,
ମନେ ମନେ ତୁମେ ନିଶ୍ଚେ ହସୁଥିବ
      ଦେଖି ଆମ ରସରାସ…..
ହେ ଇଂରାଜୀ ନବବର୍ଷ ‌।୨।
ତୁମରି ଆଗମେ‌ କବିମାନେ କେତେ
     କବିତା ବି ଲେଖିଲେଣି,
ଗ୍ରିଟିନ୍‌ସ ଦିଆ ନିଆ ଭାବ ନାହିଁ
      ମୋବାଇଲ ଚିପିଲେଣି‌।
ପାର୍କ ଆଡେ ଦେଖ ଅଶ୍ଳୀଳ ପରଶ
       ଯୋଡ଼ି ଯାଉଁଳୀଙ୍କ ଭିଡ଼,
ମନ୍ଦିର ଆଗରେ ରାହୁ ବେଶେ ଛନ୍ତି
       କେତେକ ଚପଲ ଚୋର,
ଗାନ୍ଧୀ ମାର୍କା ମଦ ମିଳିବ ଆଗକୁ
        ବାହାରିବ ଭକ୍ତିରସ‌ ,
ହେ ଇଂରାଜୀ ନବବର୍ଷ ।୩।
ସ୍ଵାମୀ ମୃତ୍ୟୁ ଦେଖି ସ୍ତ୍ରୀ ହୁଏ ଖୁସି
     ପାଏ ଯେଣୁ ଇନ୍‌ସ୍ଯୁରାନ୍ସ,
ପୁଅ ଶବ ପରେ ବାପ ପାରିହୁଏ
      ରକତ ନଦୀ ଅବଶ୍ୟ।
ବାପର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପୁଅ 
       ଝାମ୍ପୁଟା‌ ମାରିକି ନିଏ,
ଥିଲା ବାଲା ପାଏ ଇନ୍ଦିରା ଆବାସ
        ଗରୀବ ଉପାସେ ଶୁଏ।
ଚାଉଳ କିଲେକୁ‌ ଟଙ୍କାରେ ମିଳୁଛି
       ପେଟ୍ରୋଲ ଛୁଏଁ ଦେଢଶ‌,,
ହେ ଇଂରାଜୀ ନବବର୍ଷ ।୪।
ଦରମା ବଢୁଛି ପେଟ ନ ପୁରୁଛି 
      କିଏ ମାଗେ ଲାଞ୍ଚଭିକ‌,
ଯୋଜନା ପ୍ରବଳ ଉନ୍ନତି ଦୁର୍ବଳ
     ଆଗକୁ ଭୋଅଟ‌ ଦେଖ।
ହେ ଇଂରାଜୀ ନବବର୍ଷ !
ଦିନ ଆଜି ବୋଧେ ବଦଳିଯାଇଛି‌
      ପାଇ ତୁମ ନୂଆ ସ୍ପର୍ଶ….।
ନୂଆବର୍ଷ ତୁମେ କୁହ..
ନିରୀହା‌ ନିଷ୍ପାପ‌ ଧର୍ଷିତା ଆଖିର
    ଦେଖିଛ କି କେବେ ଲୁହ,
ବୁକୁଫଟା‌ ଯାଜ୍ଞସେନୀର ଯନ୍ତ୍ରଣା
      ଫୁଙ୍ଗୁଳା ବିଭତ୍ସ ଦେହ ?
ଆମେ ତ ମଣିଷ ପ୍ରବୃତ୍ତି ରାକ୍ଷସ
      ଜୀବ ବଧ କରୁଥାଉ‌,
ନାରୀ ସ୍ଵାଧୀନତା ନାଁ ‌ରେ ପ୍ରଚାର
      ମିଛେ ମିଛେ କରୁଥାଉ।
ହେ ଇଂରାଜୀ ନବବର୍ଷ ….
ଆଜି ,ପରାଧୀନ ଆମ ଦେଶ,
ଏବେ ବି ଆମକୁ ଶାସନ କରୁଛ
ଜଣା ପଡ଼ିଯାଏ ସ୍ପଷ୍ଟ …..
ନୂଆବର୍ଷ ଉପହାର ଆଣିଅଛ
ଆମ ପାଇଁ ଏବେ ମାସ୍କ‌…..
କରୋନା ସତର୍କ ବାଣୀ ଶୁଣ‌ଉଛ
ଉଡିଲାଣି ଆମ ହୋସ୍
ହେ ଇଂରାଜୀ ନବବର୍ଷ ।୫।

ପାଳକଣା‌, କୋରୋ‌, କେନ୍ଦ୍ରାପଡା

   

Related posts

ଡ. ଭବାନୀ ଶଙ୍କର ନିଆଲ ଙ୍କ କବିତା = ଆବେଦନ କରିନଥିଲି

masiha

ସହଦେବ ପରିଡ଼ା ଙ୍କ = ଜଣାଣ

Sunil Chandra Nayak

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

Sunil Chandra Nayak

Leave a Comment

error: Content is protected !!