ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ପୌଷ ପୂର୍ଣ୍ଣିମା.. ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୌଷ ପୂର୍ଣ୍ଣିମା କୃଷି ସମ୍ବନ୍ଧିତ ଏକ ସାମାଜିକ ପର୍ବ, ବ୍ରତ ବା ଓଷାପୂଜାର ଉପାଖ୍ୟାନ ଏହା ସହ ଜଡ଼ିତ ନଥାଏ । ପ୍ରଥମ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍‌ପୁନି ବା ଛେର୍‌ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶୀଦାର ଥାଆନ୍ତି । ଏହା କୃଷକମାନଙ୍କ ପାଇଁ କୃଷିର ଶେଷପର୍ବ ଯାହାକି ଶସ୍ୟ ଅମଳ ପରେ ପାଳିତ ହୁଏ । ପୂର୍ଣ୍ଣିମାର ୫/୭ଦିନ ପୂର୍ବରୁ ବାଳକମାନେ ଦଳ ଦଳ ହୋଇ ଦ୍ୱାରଦ୍ୱାର ବୁଲି ବାଡ଼ି ଠକ୍‌ଠକ୍ କରି ଶବ୍ଦର ତାଳେ ତାଳେ ଗୀତ ଗାଇ ଚାନ୍ଦା ଆଦାୟ କରି ଥା’ନ୍ତି । ଗୀତରେ ବାରମ୍ବାର ଛେର୍‌ଛେରା ଶବ୍ଦ ଉଚ୍ଚାରିତ ହେଉଥାଏ । ଛେର୍ ଛେରା ଚାନ୍ଦାରେ ସାର୍ବଜନୀନ ଭୋଜି ଆୟୋଜନ ହୋଇଥାଏ । ଏହିଦିନ ସାହୁକାର ବା ବଡ଼ଚାଷୀମାନେ ସେମାନଙ୍କ ଖାତକ ବା ହଳିଆ ଓ ମୂଲିଆଙ୍କ ଘରକୁ ଅଡ଼ିଆ ପଠାଇଥା’ନ୍ତି । ଏ ଅଡ଼ିଆରେ ଥାଏ କିଛି ଅର୍ଥ, ନୂଆ ଲୁଗା, ଚାଉଳ, ଡାଲି ଓ କିଛି ପନିପରିବା । ଏହି ପୁଷ୍‌ପୁନିରେ ସାହୁକାର ନୂଆ କୃଷିଶ୍ରମିକ ନିୟୋଜିତ କରିବାର ସାମାଜିକ ଧାରା ମଧ୍ୟ ରହିଛି । ଏହି ଦିନ ବରଗଡ଼ରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରାର ପରିସମାପ୍ତି ଘଟିଥାଏ ।

ପୂର୍ବେ ରାଜାମାନଙ୍କ ଶାସନ ସମୟରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା । ରାଜା ଓ ପ୍ରଜା ସମସ୍ତେ ଉପବୀତ ଧାରଣ କରୁଥିଲେ । ଏବେମଧ୍ୟ ଆମ ଗାଁମାନଙ୍କରେ ନୂତନ ପଇତା ଗ୍ରହଣ କରିବା ବିଧି ପ୍ରଚଳନ ଅଛି । ଅନେକ ସ୍ଥାନରେ ଦେବତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପବୀତରେ ଭୂଷିତ କରାଯାଏ । କୁହାଯାଏ ଯେ ହିନ୍ଦୁ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିବାହିଁ ହେଉଛି ସାମଗ୍ରିକ ଭାବେ ଉପବୀତ ଗ୍ରହଣ କରିବା । ଏହିଦିନ ନାନା ସୁଖାଦ୍ୟ: ମଣ୍ଡା, କାକରା, ଲଡୁ ଓ ମୁଆଁ ଆଦି ଦେବତାଙ୍କୁ ଭୋଗ କରାଯାଏ ଏବଂ ସମର୍ପିତ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଏ । ଏହି ଦିନ ଉତ୍କଳର ଜାତୀୟବାଦ୍ୟ ତେଲଙ୍ଗା ବାଦ୍ୟ ମଧ୍ୟ ଅନୁକୂଳ ହୁଏ । ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧକରିଥାଆନ୍ତି । ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଉଣାଅଧିକେ ଶସ୍ୟଦାନ କରିଥାଆନ୍ତି । ଜାତି-ବର୍ଣ୍ଣ-ନିର୍ବିଶେଷରେ ସମସ୍ତେ ଏହିପର୍ବ ସହିତ ସାମିଲ ହୋଇଥାଆନ୍ତି ।

ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ….

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: “ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ।

ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି: “ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥ ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ବାନକାମାନ ପରଂଲବ୍‌ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥ ଏହି ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ ।ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରାଜରାଜେଶ୍ୱର ଦର୍ଶନ ଦେବେ ଶ୍ରୀଜୀଉ।

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବା ସହ ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହେବେ ।

ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ।

ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଅନ୍ୟପଟେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ରାଜନଅରରେ ଅନୁଷ୍ଠିତ ହେବ।

ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେବେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣ ମାନେ ଆଶିଷ ମଧ୍ୟ ଦେଇଥାନ୍ତି।‌ ଏହାସହ ଆଜି ସନ୍ଧ୍ୟାରେ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ମହୋଦଧି ଆରତୀ ଅନୁଷ୍ଠିତ ହେବ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଝଙ୍କଡବାସିନୀ ମା’ ସାରଳା ଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା

Sunil Chandra Nayak

୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି

Sunil Chandra Nayak

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

Sunil Chandra Nayak

Leave a Comment

error: Content is protected !!