ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍
ବସ୍ତା,18/07: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲି ଠାରେ ଥିବା ଏସବିଆଇ ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ ହୋଇଛି। ଘଟଣାରୁ ଜଣାପଡିଛି ଯେ ମଙ୍ଗଳବାର ଅପରାହ୍ନ ସମୟରେ ଦୁଇଜଣ ମୁଖାପିନ୍ଧା ବନ୍ଧୁକଧାରୀ ଏକ ବାଇକରେ ଆସି ବିରିଙ୍ଗାଟୋଲି ଠାରେ ଥିବା ଗ୍ରାହକ ସେବାକେନ୍ଦ୍ରର ମାଲିକ ଅଞ୍ଜନା ଲାକଡାଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟ କରିଥିବା ବେଳେ ସେଠାକୁ ଆସିଥିବା ଜନୈକା ମହିଳା ଗ୍ରାହକଙ୍କ ଏକ ମୋବାଲ ମଧ୍ୟ ଲୁଟି ଚମ୍ପଟ ମାରିଥିବା ବୁଧବାର ସକାଳ ସମୟରେ କୁତ୍ରା ଥାନାରେ ଅଭିଯୋଗ ହୋଇଛି।
=============.===============

ଟ୍ରକର ପଛକୁ ଧକ୍କା ଦେଲା ଡ଼ମ୍ଫର , ଚାଳକ ଗୁରୁତର
ବସ୍ତା,18/07 : 60ନମ୍ବର ଜାତୀୟ ରାଜପଥର ଫୁଲାଡ଼ି-ନିଧିପଣ୍ଡା ରାସ୍ତାର ବ୍ଲୁ-ମୁନ ପେଟ୍ରୋଲ ଟାଙ୍କି ଅନତି ଦୂରରେ ଗତକାଲି ବିଳମ୍ବିତ ରାତିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଛିଡ଼ା ହୋଇଥିବା ଟ୍ରକର ପଛକୁ ଏକ ବାଲି ବୋଝେଇ ଡ଼ମ୍ଫର ଧକ୍କା ଦେବାରୁ ଡ଼ମ୍ଫର ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ଖଲାସୀ ସାମାନ୍ୟ ଆହତ ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ଉକ୍ତ ପେଟ୍ରୋଲ ପମ୍ପ ଅନତି ଦୂରରେ ଓଡ଼ି ୦୧ଏବି ୫୪୪୩ ନମ୍ବର ବିଶିଷ୍ଟ ଏକ କବାଡ଼ିଆ ଜିନିଷ ବୋଝେଇ ଟ୍ରକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାର ଡ଼ାହାଣ ପାର୍ଶ୍ବରେ ଛିଡ଼ା ହୋଇଥିଲା। ଏହି ସମୟରେ ଭଦ୍ରକରୁ ଜଳେଶ୍ବର ଅଭିମୁଖେ ଯାଉଥିବା ଓଡ଼ି ୦୧ଏଡ଼ବ୍ଲ୍ୟୁ ୧୯୦୭ ନମ୍ବର ବିଶିଷ୍ଟ ବାଲି ବୋଝେଇ ଡ଼ମ୍ଫର ଛିଡ଼ା ହୋଇଥିବା ଟ୍ରକର ପଛକୁ ଧକ୍କା ଦେଇ ରାସ୍ତାର ବାମ ପାର୍ଶ୍ବରେ ଥିବା ସୁରକ୍ଷା ବାଡ଼ା ଆଡ଼କୁ ପଶିଯାଇଥିଲା।ଫଳରେ ଡ଼ମ୍ଫରର କେବିନ ଅଂଶଟି ଚାପି ହୋଇଯିବାରୁ ଚାଳକ ଓ ଖଲାସୀ ମଧ୍ୟ ଗାଡ଼ିରେ ଚାପି ହୋଇ ରହିଯାଇଥିଲେ।ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିର ଚାଳକ ଓ ଖଲାସୀ ଉକ୍ତ ଡ଼ମ୍ଫର ନିକଟରେ ଅଟକି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଏସ.ଆଇ ଜେ.ଏ ଖାନ୍ ସଦଳବଳେ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରୁ ଚାଳକ ଓ ଖଲାସୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ସେହିଭଳି ଦୁର୍ଘଟଣାରେ କବାଡ଼ିଆ ଜିନିଷ ବୋଝେଇ ଟ୍ରକଟି ରାସ୍ତା ଉପରେ ପଡ଼ି ରହିବାରୁ ଗୁରୁବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ତେବେ ୨ ଆହତଙ୍କ ମଧ୍ୟରୁ ଚାଳକର ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ହଳଦୀପଦା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।
ଜଗତ କୁମାର ଗିରି ଙ୍କ ରିପୋର୍ଟ୍


