ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜିତ

ରାଉରକେଲା : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ବିଦାୟୀ ଛାତ୍ର-ଛାତ୍ରୀ ତଥା ନବାଗତ ଛାତ୍ର-ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ‘ଉଦୟ ଓ ଅସ୍ତର ରଙ୍ଗ ଲୋହିତ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ କରିଥିଲାବେଳେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଡଃ ଜେନା ତାଙ୍କର ସଭାପତିତ୍ବ ଅଭିଭାଷଣରେ ବିଦାୟୀ ଛାତ୍ର-ଛାତ୍ରୀ ତଥା ନବାଗତମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ସମାବର୍ତ୍ତନ ଓ ସ୍ବାଗତ ଭିତରର ଲୋହିତ ଭାବକୁ ବ୍ୟାଖ୍ୟା ସହ ଏବଂ ଓଡ଼ିଆ ବିଭାଗର ସଫଳତା ତଥା ଛାତ୍ର-ଛାତ୍ରୀ ଶୃଙ୍ଖଳା ଗୁଣ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ କବିଶତପଥି ତାଙ୍କର ବକ୍ତବ୍ୟରେ ଆଜିର ଯୁଗରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା-ସାହିତ୍ଯ-ସଂସ୍କୃତି ପ୍ରତି ଏତେ ସଂଖ୍ୟକ ଛାତ୍ର-ଛାତ୍ରୀମାନଙ୍କ ଶ୍ରଦ୍ଧା ଦେଖି ବିସ୍ମୟ ଭାବ ପ୍ରକଟ କରିଥିଲେ। ଛାତ୍ର-ଛାତ୍ରୀମାନଙ୍କୁ ସ୍ବପ୍ନ ଦେଖିବା ସହ ତାତ୍କାଳିକ ଲକ୍ଷ୍ୟ ଏବଂ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେବାକୁ ଉପଦେଶ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟା ରଶ୍ମିପ୍ରଭା ମଥାନ ଛାତ୍ର-ଛାତ୍ରୀମାନଙ୍କ ପ୍ରତି ଆଶୀର୍ବଚନ ରଖିବା ସହ ସଫଳତା ପ୍ରାପ୍ତିର ନିଶ୍ଚିତ ଆଶା ପୋଷଣ କରିଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଆଲୋଚନାଚକ୍ରର ଲୋହିତ ଭାବକୁ ରକ୍ତ, ସଂପର୍କ, ସଂପୃକ୍ତି, ଆସକ୍ତି ଓ ଦୁଃଖ ସହ ସଂପର୍କୀକୃତ କରାଇ ଛାତ୍ର-ଛାତ୍ରୀମାନଙ୍କୁ ସ୍ବପ୍ନ, ଶୃଙ୍ଖଳା, ଏକତା ଓ ସଫଳତାର ବୀଜ ମନ୍ତ୍ରକୁ ଘୋଷାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ସୁମାନ୍ତି ଏକ୍କା, ସ୍ବପ୍ନା ବୁଡା, ଏଞ୍ଜେଲା କୁଜୁର, ଚାନ୍ଦିନୀ ସେଠୀ, ସାଗୋରୀ କିଷାନ ଓ ପୂଜା କୁସୁମ ସ୍ବାଗତ ସଂଗୀତ ଗାନ କରିଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଛାତ୍ର ସୌମ୍ୟରଞ୍ଜନ ମହାନ୍ତି। କାର୍ଯ୍ୟକ୍ରମର ସଂଯୋଜନା ଛାତ୍ରୀ ସୋନାଲି ମହାନନ୍ଦ କରିଥିଲାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅପର୍ଣ୍ଣା ପାହାରୀ। ଶେଷରେ ଅତିଥିମାନଙ୍କ ଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ର-ଛାତ୍ରୀମାନେ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଓଡ଼ିଆ ବିଭାଗର ଅସାଧାରଣ କୃତିତ୍ୱ ଦେଖି ମୁଖ୍ୟ ଅତିଥି କବିଶତପଥି ତାଙ୍କର ପୂଜ୍ୟ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଚ୍ଚିଦାନନ୍ଦ କବି ଶତପଥି ସ୍ମୃତି ଟ୍ରଷ୍ଟ ତରଫରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଶ୍ରେଷ୍ଠ ଓଡ଼ିଆ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲାବେଳେ ଅଧ୍ୟାପକ ପାଟ୍ଟଶାଣୀ ତାଙ୍କର ପୂଜ୍ୟ ଗୁରୁ ଡଃ ବିଜୟ ପଟ୍ଟନାୟକ ସ୍ମୃତିରେ ପ୍ରତିବର୍ଷ ଶ୍ରେଷ୍ଠ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଅନୁଶ୍ରୀ ରାଉତ। ଏହି ପର୍ଯ୍ୟାୟରେ ସୁଶ୍ରୀରେଖା ବେହେରା, ତପସ୍ଵିନୀ କୁମ୍ଭାର, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ରଶ୍ମି ହରିପାଲ, ରୀତୁ ମୁଖି, ଶ୍ରୀୟା ବାଗ, ସାଲୋନି କଂସାରୀ, କରସ୍ମା ନାୟକ, ଜ୍ୟୋତ୍ସ୍ନା ଏକ୍କା ଓ କିରନ୍ ପ୍ରଧାନ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲିପ୍ସା ବଳିୟାରସିଂହ, ଗୋପାଳକୃଷ୍ଣ ଦାଶ, ଅଭିଷେକ ପରିଡ଼ା, ଛବିଳ ସେଠୀ, ଛନ୍ଦା ଚରଣ ଭିତ୍ରିଆ, ହିମାଂଶୁ ନାୟକ, ଶିବାନୀ କେର୍କେଟା, ଅଙ୍କିତା ବାର୍ଲା, ନରେଶ ମୁଣ୍ଡା, କ୍ରିଷ୍ଣା ଘସି, ରୋହିତ ଗୌଡ, ମାଳତି ଲାକ୍ରା ପ୍ରମୁଖ ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ ମାନେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

masiha

Leave a Comment

error: Content is protected !!