ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକରେ ରହିଛି ଗୋଟିଏ ବି ଶୌଚାଳୟ ନଥିବା ୩ଟି ଗାଁ

ଝରିଗାଁ ବ୍ଲକରେ ରହିଛି ଗୋଟିଏ ବି ଶୌଚାଳୟ ନଥିବା ୩ଟି ଗାଁ

ନବରଙ୍ଗପୁର(ତା୦୨/୦୯)(ରବି ନାରାୟଣ ମହାନ୍ତି)- ଦେଶ ସ୍ୱାଧୀନତାର ୭୮ ବର୍ଷ ହେଲାଣି ହେଲେ ଏବେ ବି ସ୍ୱଛ ପରିମଳ ବ୍ୟବସ୍ଥା ବିହୀନ ଗାଁ ରହିଛି | ଯେଉଁ ଗାଁ ଗୁଡ଼ିକରେ ଗୋଟିଏ ହେଲେ ଶୌଚାଳୟ ଦେଖିବା ସ୍ବପ୍ନ |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲା ପଦର ପଞ୍ଚାୟତର ସାଗଜବା,କୁସୁମ ବାହାଲ, ଡକରି କୋଟ ଆଦି ଗାଁ ସମେତ ଏକାମ୍ବା , ବଦଳାଗୁଡ଼ା,ରତାଲୁପଡ଼ା, ଡ଼ଙ୍ଗରିପଡ଼ା ବସ୍ତି ରହିଛି। ଗାଁ ଓ ପଡ଼ା ରେ ରହିଛି ଘର ସଂଖ୍ୟା ୮୭ ରୁ ଉର୍ଦ୍ଧ। ଜନସଂଖ୍ୟା ତିନିଶହ ରୁ ଉର୍ଦ୍ଧ ହେବ। ଭୌଗଳିକ ସ୍ଥିତି ଦୃଷ୍ଟିରୁ ଉପରୋକ୍ତ ଗାଁ ଗୁଡିକ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି । ବଣଜଙ୍ଗଲ ପାହାଡ ଘେରା ବ୍ଲକର ସୀମାନ୍ତ ଗ୍ରାମସବୁ ।ପରସ୍ପର ମଧ୍ୟରେ ଅଧ କିଲୋମିଟର ବ୍ୟବଧାନରେ ରହିଛି ଗାଁ ଓ ପଡ଼ା ଗୁଡ଼ିକ। ଗମନାଗମନର ସୁବିଧା ନାହିଁ। ପକ୍କା ରାସ୍ତା ନାହିଁ। ଆବଶ୍ୟକ ଅନୁସାରେ ନଳକୂପ ନାହିଁ। ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏ ଅଚଳ ହେଇଛି। ଶୌଚାଳୟ ଓ ପାନୀୟଜଳ ସୁବିଧାରୁ ଏବେବି ବଞ୍ଚିତ ଅଛନ୍ତି ଏହି ଗାଁଲୋକେ। ଶାଗଜବା ଓ କୁସୁମ ବାହାଲ ଦୁଇ ଗ୍ରାମରେ ପରିବାର ସଂଖ୍ୟା ୭୦ ରହିଥିବା ବେଳେ ଏହି ଦୁଇ ଗାଁରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଗୋଟିଏ ହେଲେ ହିତାଧିକାରୀ ପାଇଖାନା ପାଇନଥିବା କହିଛନ୍ତି ଗ୍ରାମବାସୀ। ସେହିପରି ଏକାମ୍ୱା ପଡ଼ାରେ ୯ ଘର,ବଦଳାଗୁଡ଼ାରେ ୬ ଘର, ରତାଲୁପଡ଼ାରେ ୪ ଘର, ଚାର ଡ଼ଙ୍ଗରି ପଡ଼ାରେ ୮ ଘର ରହିଛି |ଏସବୁ ପଡ଼ାର ସମାହାରରେ ଡକରି କୋଟ ଗାଁ ସୃଷ୍ଟି ହୋଇଛି ଏବଂ ସମୁଦାୟ ରହୁଛନ୍ତି ୬୦ ଟି ପରିବାର। ଶାଗଜବା,କୁସୁମବାହାଲ୍ ଓ ଡ଼କରିକୋଟ ଗ୍ରାମରେ ରହୁଛନ୍ତି ୧୩୦ ପରିବାର। କୌଣସି ବି ହିତାଧିକାରୀଙ୍କ ଘରେ ଶୌଚାଳୟ ଖଣ୍ଡେ ନାହିଁ। ପୁରୁଷମହିଳା,ଯୁବକ ଯୁବତୀ ଓ ବୃଦ୍ଧବୃଦ୍ଧା ଶୌଚ କରିବାକୁ ଗାଁ ଡେଇଁ ଦୂର ବାଟ ହାତରେ ପାଣି ଢାଳ ଧରି ଦଳ ଦଳ ହୋଇ ଯାଉଛନ୍ତି ଶୌଚ କରିବାକୁ। ଗର୍ଭବତୀ ମାଁ,ଗୁରୁତର ରୋଗୀ ଙ୍କୁ ଶୌଚ କରିବାକୁ ହେଲେ ଥକେଇ ଥକେଇ ଯିବାକୁ ପଡୁଛି ଗାଁ ପରିସର ବାହାରକୁ। ଦେଶ ୭୮ ତମ ଆଜାଦି କା ଅମୃତ ଉତ୍ସବ ପାଳନ କରୁଥିବା ବେଳେ ଢାଳ ନୋଟା ରେ ପାଣି ଧରି ଗାଁ ମହିଳା ଶୌଚ କରିବାକୁ ଗାଁ ବାହାରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ ଥାଉକୀ ପାଇଖାନା ଦୁର୍ନୀତି ରେ ୨୫ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଆତ୍ମସାତ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି, ଯାହାକି ଏବେବି ତଦନ୍ତ ପରିସରରେ ରହିଛି। ବିକାଶର ବହୁ ଦୂରରେ ରହିଛି ଉପାନ୍ତ ଅଞ୍ଚଳର ସୀମାନ୍ତ ବର୍ତ୍ତି ଗ୍ରାମ ଗୁଡ଼ିକ। ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ,ବିଜୁଳି ଆଦି ମୌଳିକ ସୁବିଧା ନାରେ ହେଉଥିବା ସରକାରୀ ଅନୁଦାନ ଅର୍ଥ ବାଟମାରଣା ହେଉଛି। ମୁଷ୍ଟିମେୟ ଠିକାଦାର, ପ୍ରଶାସନ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ବିକାଶର ବାଟ ଓଗାଳିଛି। ଦୁର୍ନୀତିର ଗଡ ସାଜିଛି ଝରିଗାଁ ବ୍ଲକ। କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ଆବାସ ଯୋଜନାରେ ଓ ମନରେଗା ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ବହୁବାର ପ୍ରଶାସନର ଦୃଷ୍ଟିଗୋଚର କୁ ଆସୁଥିଲେ ସୁଧା କୌଣସି ପ୍ରତିକାର ହୋଇପାରୁ ନାହିଁ। ସକାଳ ହେଉକି ସଞ୍ଜ ଓ ବେଳ ହେଉକି ଅବେଳ ଶୌଚ ସମୟ ଆସିଲେ ଗାଁ ପରିସର ଡେଇଁ ଚାଲିବାକୁ ପଡୁଛି। ଗାଁ ଓ ଗ୍ରାମବାସୀ ମୌଳିକ ସମସ୍ୟାରୁ ମୁକ୍ତି ପାଇବାକୁ ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନ ତଥା ଜନପ୍ରତିନିଧି ନିକଟରେ ବହୁବାର ଦାବି କରି ଆସୁଥିଲେ ସୁଧା ଏପର୍ଯ୍ୟନ୍ତ ଏସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା କହିଛନ୍ତି ପର୍ଶୁ ମାଝୀ, ମଞ୍ଚଳା ଯାନୀ, ହଳଧର ପୂଜାରୀ, ମଙ୍ଗଳସାଏ ଭତରା, ଖଗେ ମାଝୀ, ଦୁତିକା ଯାନୀ, ଗୁଞ୍ଜଳ ପୂଜାରୀ, ସୁମତି ଭୋଇ, ମନବୋଧ ହରିଜନ, ବିଳାସ ଯାନୀ ଓ ଅନ୍ୟାନ୍ୟ ଗ୍ରାମବାସୀ |

ମସିହା ନିୟୁଜ୍ ସର୍ଭିସ୍

Related posts

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

Sunil Chandra Nayak

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

masiha

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

Sunil Chandra Nayak

Leave a Comment

error: Content is protected !!