ଖରା
ସୁକାନ୍ତ ଖଣ୍ଡା
ଆକାଶରେ ସୂର୍ଯ୍ଯ ହସିବାବେଳେ
ଏଠି ଚାଲେ ହାହାକାର
ଟୋପାଏ ପାଣି ପାଇଁ ସଂଗ୍ରାମ
ଉଦ୍ଭିଦ ଓ ପ୍ରାଣୀ।
ଏ ମର୍ତ୍ତ୍ଯର ସବୁଆଡେ଼ ଗୋଟିଏ ଚିନ୍ତା
ହରଦମ ଥଣ୍ଡା ପାଇବାକୁ
ଝୁଣ୍ଟି ପଡୁଥିବା ଖରାର ଦାଉରୁ
ରକ୍ଷା ପାଇବାକୁ
ଆଉ ସନ୍ତୋଷ ଟିକିଏ ପାଇଁ
ଧାଁ ଧପଡ଼ ଦିନ ଆଉ ରାତି ।
ତୁମେ ତ ଖରାଠୁ ବଳି ଡହଡ଼ହ
ବିନା ତେଜରେ ଜଳି ଜଳାଉଛ ଦଶଦିଶ
ଉଷ୍ମ ମାୟାରେ କାହିଁକି କେଜାଣି
ସିଝି ଯାଉଥିଲେ ବି
ଚାରିପଟେ ନସର ପସର ହେବାକୁ
ଏ ମନ ଓ ହୃଦୟ ଘାଣ୍ଟି ହୁଏ।
ଫିକକିନି ହସି ଦେଇ କହିଲା
ଏ ଖରା,ଶୀତ ଓ ବସନ୍ତ
ବର୍ଷାର ଦାଉଦାଉ ଛିଟା
ଶରତର ନିର୍ମଳ ଆକାଶ
ଏଠି ହଜିଯିବାକୁ ସଭିଙ୍କ ମନ
ଉଦ୍ଭିଦ ହେଉ କି ପ୍ରାଣୀ
ମଣିଷ ତ ଈଶ୍ବରଙ୍କ ସହ ଯୁଦ୍ଧରତ୍ତ
ଏ ଛାର ଖରାକୁ ଡରିବ ବା କାହିଁକି?
ମୁଁ ଉଷ୍ମ ମାୟାରେ ଜୁଡୁବୁଡୁ
ମୋତେ ଲାଗୁଥିଲା ଯେମିତି
ଶୀତ ସକାଳର ଖରା
ବର୍ଷାରେ ଯେମିତି ମଇ ମାଡି଼ବାକୁ ହେବ
ଆଉ ବସନ୍ତର ମେଞ୍ଚାଏ ଫଗୁରେ
ବୋଳି ହେବାକୁ ଚାତକ ପକ୍ଷୀ।
ମୋ କଥା ଶୁଣି ହସି ଦେଇ ଚାଲିଗଲା
ଗଲାବେଳେ ଝଟକୁଥିଲା ଉଲକାପିଣ୍ଡ ପରି
ଡ଼ହଡ଼ହ ନିଆଁ ଆଉ ନିଆଁ
ଯେମିତି ଏବେ ପୋଡି଼ ଦେଇ ଭସ୍ମ କରିଦେବ।
ସତରେ !
ହେ ଖରା ତୁମେ ଶୀତ ହେଉ କି ବସନ୍ତ
ବର୍ଷା କି ଶରତ
ଆସୁଥାଅ ପାଦ ଚିପିଚିପି
ଭରି ଦେବାକୁ ଆକାଶେ ଉଷୁମ
ଦଲକାଏ ଶୀତର ଲହଡି଼
ଏ ସଂସାରର ସମୁଦ୍ରରେ।
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର